Home Agriculture ବାତ୍ୟାରେ ଉଜୁଡିଯିବ ଫସଲ

ବାତ୍ୟାରେ ଉଜୁଡିଯିବ ଫସଲ

ଭୁବନେଶ୍ୱର : ଓଡିଶା ଉପକୂଳକୁ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଚିଲା ଧାନ ଅମଳ ପାଇଁ ପ୍ରଶାସନ ପରାମର୍ଶ ଦେଉଥିବାବେଳେ ଏହାଦ୍ୱାରା କେବଳ ଧାନ ନୁହେଁ ଶୀତଦିନିଆ ପନିପରିବା ଓ ଡାଲିଜାତୀୟ ଫସଲ ବି ନଷ୍ଟ ହୋଇଯିବ । ଏହି ଆଶଙ୍କାରେ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଗଲେଣି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପ୍ରାୟ ଦୁଇଦିନ ଧରି ସମଗ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଏହାଦ୍ୱାରା ପାଚିଲା ଧାନ ବହୁ ଭାବରେ କ୍ଷତିଗ୍ରସ୍ତ ହେବ । କାରଣ ଏବେ ଗଞ୍ଜାମ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ବିଲରେ ପାଚିଲା ଧାନ ଲହଡି ଭାଙ୍ଗୁଛି । ଆଉ ୪/୫ ଦିନ ପରେ ଚାଷୀ ଧାନକଟା ଆରମ୍ଭ କରିଥାନ୍ତେ । ହେଲେ ପାଣିପାଗ ବିଭାଗ ପ୍ରବଳ ବର୍ଷା ସହିତ ୫୦ରୁ ୬୦ କିଲୋମିଟର ବେଗରେ ପବନର ପୂର୍ବାନୁମାନ କରୁଥିବାରୁ ବିଲରେ ଥିବା ପାଚିଲା ଧାନଗଛ ପାଣିରେ ପଡି ପଚିଯିବ ବୋଲି ଚାଷୀମାନେ ଆଶଙ୍କା କଲେଣି । ଗୋଟିଏ ଦିନ ଯଦି ପାଣିରେ ପାଚିଲାଧାନ ପଡିଯିବ ତେବେ ଏହା କାନ୍ଦିରୁ ଗଳିପଡି ମାଟିରେ ମିଶିଯିବ । ତେବେ ଯେଉଁମାନଙ୍କର ଧାନଗଛ ଛିଡା ହୋଇଛି ଓ ଧାନ ସମ୍ପୂର୍ଣ୍ଣ ପାଚିନାହିଁ ସେମାନେ ଏବେ ଭଗବାନଙ୍କ ଭରସାରେ ତାହାକୁ ସେଭଳି ଅବସ୍ଥାରେ ଛାଡି ଦେଲେଣି ।

ତେବେ ସବୁଠାରୁ ଅଧିକ ଚିନ୍ତାରେ ଅଛନ୍ତି ଶୀତଦିନିଆ ପନିପରିବା ଚାଷ କରିଥିବା ଚାଷୀମାନେ । ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ହଜାର ହଜାର ହେକ୍ଟର ଜମିରେ ଫୁଲକୋବି, ବନ୍ଧାକୋବି, ମୂଳା, ବିନ୍‍, ବାଇଗଣ ଆଦି ଲାଗିଛି । ବହୁ ସ୍ଥାନରେ ଅମଳ ଆରମ୍ଭ ହୋଇଥିବାବେଳେ ଚାଷୀମାନେ ଶୀତ ଆଗମନକୁ ଦୃଷ୍ଟିରେ ରଖି ଏବେ ବନ୍ଧାକୋବି ଲଗାଇଛନ୍ତି । ଯଦି ସାମାନ୍ୟ ବର୍ଷାହୁଏ ତେବେ ଛୋଟ ଛୋଟ ଚାରାଗୁଡିକ ପଚିଯିବା ସହିତ ଫଳନ୍ତି ଗଛକୁ ରୋଗପୋକ ଆକ୍ରମଣ କରିବ । ବଡ ବର୍ଷାରୁ ଏହାକୁ ରକ୍ଷା କରିବା ଏକ ପ୍ରକାର ଅସମ୍ଭବ ବୋଲି ଚାଷୀମାନେ ମତ ଦେଉଛନ୍ତି ।

ସେହିଭଳି ଯେଉଁ ଚାଷୀମାନେ ଧାନ କଟା ପରେ ପରେ ରବି ଫସଲ ଯଥା ବିରି, ମୁଗ, ହରଡ, କୋଳଥ ସମେତ ସୂର୍ଯ୍ୟମୁଖୀ ଆଦି ଚାଷପାଇଁ ଯୋଜନା କରିଥିଲେ ସେମାନେ ବି ହତାଶ ହୋଇପଡିଛନ୍ତି । କାରଣ ବଡ ବର୍ଷାର ପୂର୍ବାନୁମାନ ହେଉଥିବାରୁ ବିଲରୁ ପାଣିଛାଡିବାପାଇଁ କିଛିଦିନ ଲାଗିଯିବ ଓ ସେତେବେଳକୁ ଡାଲି ଓ ତୈଳବୀଜ ଚାଷପାଇଁ ସମୟ ଗଡିଯାଇଥିବ । ତେଣୁ ସମ୍ଭାବ୍ୟ ବାତ୍ୟା ପାଇଁ ଚଳିତବର୍ଷ ରବି ଫସଲ ଉଜୁଡି ଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି ।

ଦକ୍ଷିଣ ଭାରତରେ ବର୍ଷା ଯୋଗୁଁ ଓଡିଶା ବଜାରରେ ଏବେ ଟମାଟୋ, ବିନ୍‍, ଗାଜର, ବନ୍ଧାକୋବି ଭଳି ପରିବା ଦର କିଲୋପ୍ରତି ୫୦ ଟଙ୍କା ଉପରେ ଥିବାବେଳେ ବ୍ୟବସାୟୀ ଓ ଖାଉଟିମାନେ ରାଜ୍ୟରୁ ଉତ୍ପାଦିତ ହେବାକୁ ଥିବା ଶୀତଦିନିଆ ପନିପରିବାକୁ ଚାହିଁ ରହିଥିଲେ । ତେବେ ହଠାତ୍‍ ଅଦିନିଆ ବାତ୍ୟା ଓ ଏହାର ପ୍ରଭାବରେ ସମଗ୍ର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ଏବେ ଲୋକଙ୍କୁ ଏକ ପ୍ରକାର ହତାଶ କରିଦେଲାଣି । ତେବେ ଆସନ୍ତା କାଲି ଲଘୁଚାପ ଅବପାତର ରୂପ ନେବାପରେ ଏହାର ପ୍ରଭାବରେ ନିର୍ଦ୍ଦିଷ୍ଟ ଭାବେ କେଉଁ ଅଞ୍ଚଳରେ କେତେ ପରିମାଣ ବର୍ଷା ହେବ ତାହା ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । (ତଥ୍ୟ)