Home General ବାଡି ବଗିଚାରେ ମାଡୁଛି ବିଶୁଦ୍ଧ ପାନୀୟ ଜଳ

ବାଡି ବଗିଚାରେ ମାଡୁଛି ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର : ରାଜ୍ୟ ସରକାର ଟ୍ୟାପ୍‍ ଡୁ ଡ୍ରିଙ୍କ୍‍ ଯୋଜନାରେ ଯୋଗାଉଥିବା ଅତ୍ୟନ୍ତ ବିଶୁଦ୍ଧ ଜଳର ସିଂହଭାଗ ଗାଧୁଆଘରେ ଓ ବାଡି ବଗିଚାରେ ବୋହି ଯାଉଛି । ସରକାର ଏହି ଯୋଜନାରେ ଅତ୍ୟନ୍ତ ବିଶୁଦ୍ଧ ରିଭର୍ସ ଓସମୋସିସି (ଆରଓ) ଜଳ ଯୋଗାଉଛନ୍ତି ଯାହାକୁ ସିଧାସଳଖ ଟ୍ୟାପ୍‍ରୁ ଆଣି ପିଆଯାଇ ପାରିବ ।

ଏହି ଯୋଜନାରେ ରାଜଧାନୀ ଭୁବନେଶ୍ୱରର କେତେକ ଅଞ୍ଚଳ ସମେତ ପୁରୀ ସହରରେ ପ୍ରତି ଘରକୁ ଆରଓ ଜଳ ଯୋଗାଣ ହେଉଛି । ଏହି ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଭାବେ ବିଶୋଧନ ବ୍ୟବସ୍ଥା ସହିତ ପାଇପ୍‍ ବିଛା ଯାଇଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ ଯୋଗାଯାଉଥିବା ଜଳ ମଧ୍ୟରୁ ଗୋଟିଏ ୫ଜଣିଆ ପରିବାର ଦିନକୁ ୧୦ରୁ ୧୫ ଲିଟର ପାନୀୟଜଳ ଆକାରରେ ବ୍ୟବହାର କରୁଥିବାବେଳେ ଅଳ୍ପ କେଇ ଲିଟର ଜଳ ରୋଷେଇ କାର୍ଯ୍ୟରେ ଲାଗୁଛି । ଏହାର ସିଂହଭାଗ ଗାଧୁଆଘରେ, ପାଇଖାନାରେ, ବଗିଚାରେ, ଗାଡିଧୁଆରେ ଯାଉଛି ।

ରାଜ୍ୟ ସରକାର ୫୦ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳରେ ମୁଣ୍ଡପିଛା ୧୩୫ ଲିଟର ହିସାବରେ ଜଳଯୋଗାଣ କରିଥାନ୍ତି । ରାଜଧାନୀରେ କିନ୍ତୁ ଏହାର ପରିମାଣ ଢେର ଅଧିକ । ବିଶେଷକରି ବଡ ବଡ ସରକାରୀ ବଙ୍ଗଳାକୁ ଦୈନିକ ହଜାର ହଜାର ଲିଟର ଜଳ ଯୋଗାଣ ହୋଇଥାଏ । ଏପରିକି ଛୋଟ ଛୋଟ ସରକାରୀ କ୍ୱାଟର୍ସରେ ବି ଅତି କମ୍‍ରେ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ବସିଛି ।

ଜଳ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମତରେ ଲୋକଙ୍କୁ ଆରଓ ଜଳ ଯୋଗାଣ ପାଇଁ ଲିଟର ପିଛା ୧୫ରୁ ୨୦ ପଇସା ଖର୍ଚ୍ଚ ହେଉଛି । ସାଧାରଣ ଜଳ ଯୋଗାଣ କ୍ଷେତ୍ରରେ ଏହାର ବ୍ୟୟ କମ୍‍ ଥିଲା । ସେହିଭଳି ଆରଓ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଭାବେ ପାଇପ୍‍ ବିଛା ଯାଇଛି । ରାଜଧାନୀର ଗୋଟିଏ ୟୁନିଟ୍‍ରେ ଏହି ପାଇପ୍‍ ବିଛାଇବାପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । ହେଲେ ଯେତିକି ପରିମାଣରେ ଏହି ବିଶୁଦ୍ଧ ପାନୀୟଜଳକୁ ପିଉଛନ୍ତି ତାହାର ଦଶଗୁଣରୁ ଅଧିକ ଗାଧୁଆ ପାଧୁଆ ଓ ଗାଡି ଧୁଆରେ ସାରୁଛନ୍ତି । ଯେତିକି ଟଙ୍କା ବ୍ୟୟରେ ଲୋକଙ୍କ ଘରକୁ ଆରଓ ଜଳ ଯୋଗାଣ ହେଉଛି ତାହାଠାରୁ ଢେର କମ୍‍ ଖର୍ଚ୍ଚରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଜଳ ବିଶୋଧନ ଯନ୍ତ୍ର ଯୋଗାଯାଇ ପାରିଥାନ୍ତା ।

ଇତି ମଧ୍ୟରେ ୨୪ଘଣ୍ଟିଆ ଆରଓ ଜଳ ଯୋଗାଣ ହେଉଥିବା ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲାଗିଥିବା ପାଣି ମିଟରକୁ ଚୋରମାନେ ପାଇପ୍‍ ଭାଙ୍ଗି ନେଇଯିବା ଫଳରେ ଲୋକେ ଆଉ ପାଣିର ବିଶୁଦ୍ଧତା ଉପରେ ଭରସା କରିପାରୁ ନାହାନ୍ତି । ଏହାକୁ ଆକ୍ୱାଗାର୍ଡ ଭଳି ଜଳବିଶୋଧନ ଯନ୍ତ୍ରରେ ବିଶୋଧିତ କଲାପରେ ବ୍ୟବହାର କରୁଛନ୍ତି ।

ଦେଶ ବିଦେଶରେ ଯେଉଁସବୁ ସ୍ଥାନରେ ଲୋକଙ୍କୁ ଆରଓ ଭଳି ବିଶୁଦ୍ଧ ପାନୀୟଜଳ ଯୋଗାଣ ହେଉଛି ସେଠାରେ ଲୋକଙ୍କ ଅନ୍ୟାନ୍ୟ ବ୍ୟବହାର ବିଶେଷକରି ଲୁଗାପଟା ସଫା କରିବା, ବଗିଚାରେ ପାଣି ମଡାଇବା ଓ ଶୌଚାଳୟ ଲାଗି ଅଲଗା ଜଳ ସଂଯୋଗ ରହିଛି । ସେଠାରେ ଆରଓ ଜଳକୁ ଲୋକେ କେବଳ ପାନୀୟ ଓ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରିଥାନ୍ତି । ହେଲେ ଏଠାରେ ସେଭଳି ବ୍ୟବସ୍ଥା ହୋଇନଥିବାରୁ ବିପୁଳ ଅର୍ଥ ବ୍ୟୟରେ ଯୋଗାଯାଉଥିବା ଆରଓ ଜଳର ସିଂହଭାଗ ଲୋକଙ୍କ ଗାଧୁଆଘରେ, ପାଇଖାନାରେ ଓ ବାଡି ବଗିଚାରେ ବୋହି ଯାଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)