Home Environment ବାଘ, ହାତୀ ପାଇଁ କେନ୍ଦ୍ର ଦେଇଛି ୪୦କୋଟି

ବାଘ, ହାତୀ ପାଇଁ କେନ୍ଦ୍ର ଦେଇଛି ୪୦କୋଟି

ଭୁବନେଶ୍ୱର : ବାଘ ଓ ହାତୀ ବଂଶର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଗତ ତିନିବର୍ଷ ମଧ୍ୟରେ ଓଡିଶାକୁ ୪୦କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି ସୂଚନା ଦେଇଛନ୍ତି ।

ଓଡିଶାକୁ ୨୦୧୮-୧୯ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ବ୍ୟାଘ୍ର ସଂରକ୍ଷଣ ପାଇଁ କେନ୍ଦ୍ର ପକ୍ଷରୁ ୩୦କୋଟି ୫ଲକ୍ଷ ଟଙ୍କା ଦିଆଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌବେ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି । ୨୦୧୮-୧୯ ବର୍ଷରେ ୧୦.୨୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଏହା ପରବର୍ଷ ୧୩.୦୩ କୋଟି ମିଳିଥିଲା । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥ ପରିମାଣ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ମିଳିଥିଲା ମାତ୍ର ୬.୮୦ କୋଟି ଟଙ୍କା ।

ଅନୁରୂପ ଭାବେ କେନ୍ଦ୍ର ସରକାର ବିଗତ ୩ଟି ଆର୍ଥିକ ବର୍ଷରେ ହାତୀ ପ୍ରକଳ୍ପ ପାଇଁ ୧୦.୯୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୮-୧୯ବର୍ଷରେ ଓଡିଶାକୁ ୧୯୭.୨୮ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ୨୦୧୯-୨୦ ରେ ୩୧୯.୧୩ ଲକ୍ଷ ଏବଂ ୨୦୨୦-୨୧ ବର୍ଷରେ ୫୭୭.୯୯ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବନ୍ୟଜନ୍ତୁମାନଙ୍କ ବାସସ୍ଥାନର ବିକାଶ ପାଇଁ କେନ୍ଦ୍ର ସରକାର ୧୮.୯୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

ବନ୍ୟଜନ୍ତୁମାନଙ୍କ ବାସସ୍ଥାନର ବିକାଶ ପାଇଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ‘ବ୍ୟାଘ୍ର ପ୍ରକଳ୍ପ’ ଓ ‘ହସ୍ତୀ ପ୍ରକଳ୍ପ’ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ପ୍ରାକୃତିକ ଜଳାଶୟଗୁଡିକର ପୁନରୁଦ୍ଧାର, କୃତ୍ରିମ ଜଳାଶୟ ସୃଷ୍ଟି କରିବା, ସଂରକ୍ଷିତ ଅଞ୍ଚଳରେ ବନ୍ୟ ଜନ୍ତୁଙ୍କ ଖାଦ୍ୟ ସାମଗ୍ରୀ ବୃଦ୍ଧି କରିବା, ସୌରଶକ୍ତି କିମ୍ବା ବିଦ୍ୟୁତ ଶକ୍ତି ବ୍ୟବହାର ମାଧ୍ୟମରେ ତାରବାଡ ବୁଲାଇବା, କ୍ୟାକଟସ୍‍ ବ୍ୟବହାର କରି ଜୈବିକ ବାଡ ପ୍ରସ୍ତୁତ କରିବା, ପ୍ରାଚୀର ନିର୍ମାଣ ଓ ପଶୁମାନଙ୍କୁ ଜଙ୍ଗଲ ବାହାରକୁ ନଆସିବାପାଇଁ ଟ୍ରେଞ୍ଚ ଆଦି ଖୋଳିବାର ରହିଛି ।

ବନ୍ୟଜନ୍ତୁ ମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଫଳରେ ବିଭିନ୍ନ ବନ୍ୟଜନ୍ତୁ ଯଥା ବାଘ, ହାତୀ, ସିଂହ, ଗଣ୍ଡା ଆଦିଙ୍କର ବଂଶ ଦେଶରେ ବୃଦ୍ଧି ପାଇବାରେ ଲାଗିଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ପଶୁ-ମଣିଷ ଲଢେଇ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ଏହାର ମୁଖ୍ୟ କାରଣ ହେଉଛି ବାସସ୍ଥାନ ହରାଇବା, ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି, ଚାଷବାସରେ ପରିବର୍ତ୍ତନ ଯୋଗୁଁ ବଣୁଆ ଜନ୍ତୁମାନେ ଚାଷଜମି ପ୍ରତି ଆକୃଷ୍ଟ ହେବା, ଖାଦ୍ୟ ଅନ୍ୱେଷଣରେ ବଣୁଆ ଜନ୍ତୁମାନେ ଜନପଦକୁ ଆସିବା, ଜଙ୍ଗଲଜାତ ସାମଗ୍ରୀର ବେଆଇନ୍‍ ସଂଗ୍ରହ ପାଇଁ ଲୋକେ ଜଙ୍ଗଲକୁ ଯିବା ଏବଂ ଜଙ୍ଗଲରେ ଅଣଜଙ୍ଗଲ କାର୍ଯ୍ୟ ବୃଦ୍ଧି ପାଇବା ଆଦି ଅର୍ନ୍ତଭୁକ୍ତ । (ତଥ୍ୟ)