Home Health ବହୁ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ତମାଖୁ

ବହୁ ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ତମାଖୁ

ଭୁବନେଶ୍ୱର : ତମାଖୁ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାରର ପ୍ରାଣଘାତୀ ରୋଗ ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ଯଥା କର୍କଟ, ହୃଦ ରୋଗ, ଯକ୍ଷ୍ମା, ଆଖି ସମସ୍ୟା ଓ ମଧୁମେହ ଆଦି ହୋଇଥାଏ । ତେବେ ବ୍ୟାପକ ଜନସଚେତନତା ଓ ଠିକଣା ଶିକ୍ଷା ପ୍ରଦାନ ଦ୍ୱାରା ଲୋକଙ୍କୁ ଏହା କବଳରୁ ରକ୍ଷା କରାଯାଇ ପାରିବ ।

ଆଜି ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍‌) ଓ ରୋଟାରୀ କ୍ଲବ୍ ୟୁନିକ୍‌, ଭୁବନେଶ୍ୱରର ସହଯୋଗରେ ଆୟୋଜିତ ଭର୍ଚୁଆଲ ଉତ୍ସବରେ ବରିଷ୍ଠ ଚିକିତ୍ସକ, ବିଶେଷଜ୍ଞ, ସ୍ୱେଚ୍ଛାସେବୀ ମାନେ ଏଭଳି ମତପ୍ରକାଶ କରିଛନ୍ତି ।

ଏହି ସଭାରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଏଥିରେ ସଭାପତିତ୍ୱ କରି କହିଥିଲେ ଯେ ପ୍ରତିବର୍ଷ ଭାରତରେ ତମାଖୁ ସେବନ ଯୋଗୁଁ ୧୩ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହା ଏବେ ଏକ ମହାମାରୀର ରୁପ ନେଇଛି ଓ ଏହାକୁ ରୋକିବା ନିମନ୍ତେ ବ୍ୟାପକ ଜନ ସଚତନତା ଆବଶ୍ୟକ ।

ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଓ ରୋଟାରୀ କ୍ଲବ୍ ୟୁନିକ୍‌, ଭୁବନେଶ୍ୱରର ଅଧ୍ୟକ୍ଷ ଡାକ୍ତର ସରୋଜ କୁମାର ତ୍ରିପାଠୀ କହିଥିଲେ ତମାଖୁ ସେବନ ଆମ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ ଓ ଶରୀର ଉପରେ ଏହାର ପ୍ରଭାବ ଅତ୍ୟନ୍ତ କ୍ଷତିକାରକ । ଏହା ଆମର ଫୁସଫୁସ୍ କୁ ଦୁର୍ବଳ କରିଦେଇଥାଏ ଓ କୋଭିଡ ମହାମାରୀ ପରି ରୋଗ ର ସମ୍ଭାବନାକୁ ମଧ୍ୟ ବଢାଇ ଥାଏ ।

ବିଶିଷ୍ଟ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱରୂପ ମହାନ୍ତି ତମାଖୁ ସେବନର ଶରୀର ଉପରେ କ୍ଷତିକାରକ ପ୍ରଭାବ କୁ ବୁଝାଇବା ସହିତ କହିଲେ ଯେ ତମ୍ବାକୁ ସେବନରୁ ମିଳୁଥିବା ସାମୟିକ ଖୁସି ପାଇଁ ଦୁର୍ଲ୍ଲଭ ଶରୀରକୁ ନଷ୍ଟ କରିବା ଅନୁଚିତ । ବିଶ୍ୱରେ ପ୍ରତିବର୍ଷ ଏକ ଲକ୍ଷ ୪ହଜାର କୋଟିରୁ ଅଧିକ ଟଙ୍କାର ତମାଖୁ କାରବାର ହେଉଥିବାବେଳେ ୬ନିୟୁତ ଲୋକ ଏଥିଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ଭାରତରେ ୩୫ପ୍ରତିଶତ ଯୁବକ ତମାଖୁ ସେବନ କରିଥାନ୍ତି । ଏମାନଙ୍କ ମଧ୍ୟରେ ଠକଣା ଭାବେ ଶିକ୍ଷା ଓ ସଚେତନତା ମାଧ୍ୟମରେ ପରିବର୍ତ୍ତନ ଅଣାଯାଇ ପାରିବ ।

ପିକକର ଅଧ୍ୟକ୍ଷା ଡଃ ମିନାକ୍ଷୀ ପଣ୍ଡା ତମାଖୁ ସେବନର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସେ କହିଥିଲେ ଯେ ତମାଖୁ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ରପ୍ତାନି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଦେଶରେ ତମାଖୁ କାରବାର ୩.୪ ପ୍ରତିଶତ ହାରରେ ବଢୁଛି । ହେଲେ ଆମେରିକା ଭଳି ଦେଶରେ କରୋନା କାରବାର ହ୍ରାସ ପାଇବାରେ ଲାଗିଛି ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରଦୀପ କୁମାର ବେହେରା ପଶ୍ଚିମଓଡିଶାରେ କୋରେକ୍ସ ନାମକ ନିଶାଯୁକ୍ତ ଔଷଧର କବଳରେ ଯୁବପୀଢି ପଡିଥିବା ଉଲ୍ଲେଖ କରିଥିବାବେଳେ ସୁକାନ୍ତ ନାୟକ କନ୍ଧମାଳରେ ଯୁବପୀଡି ନିଶାପାଇଁ ପୁରୁଣା ବ୍ୟାଟେରୀକୁ ଗୁଣ୍ଡକରି ନାସ ଭଳି ସେବନ କରୁଥିବା ଦର୍ଶାଇଥିଲେ । କନ୍ଧମାଳରେ ନାସ କାରବାର ଏବେ ଘରେ ଘରେ ହେବା ସହିତ ଜିଲ୍ଲାରେ ତାହା ବିଷମ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟତମ ସ୍ୱେଚ୍ଛାସେବୀ ଉଷାରାଣୀ ବେହେରା ପୂର୍ବେ ଲୋକେ କିଭଳି ପାନ ଖାଉଥିଲେ ଓ ବର୍ତ୍ତମାନ ତମାଖୁ ସେବନ କିଭଳି ଭୟାବଡତା ସୃଷ୍ଟି କରିଛି ସେ ସଂକ୍ରାନ୍ତରେ ନିଜର ଅଭିଜ୍ଞତା ବଖାଣିଥିଲେ । ପିକକର କାର୍ଯ୍ୟ ର୍ନିବାହୀ ନିର୍ଦ୍ଦେଶିକା ଅନୁରଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।