Home General ବସ୍ତିରେ ଉପୁଜିପାରେ ଆଇନ୍‍ଶୃଙ୍ଖଳା ସ୍ଥିତି

ବସ୍ତିରେ ଉପୁଜିପାରେ ଆଇନ୍‍ଶୃଙ୍ଖଳା ସ୍ଥିତି

ଭୁବନେଶ୍ୱର : ଜାଗା ମିଶନରେ ଜମି ପାଇଥିବା ଅନେକ ହିତାଧିକାରୀ ଏବେ ଏହି ଜମି ଉପରେ ଥିବା ଘରକୁ ଦଖଲକୁ ନେଇପାରୁ ନାହାନ୍ତି । ଏଥିଘେନି ବିଭିନ୍ନ ବସ୍ତିରେ ବିବାଦୀୟ ପରିସ୍ଥିତି ଲାଗି ରହିଛି । ଯେକୌଣସି ସମୟରେ ଏହା ଆଇନ୍‍ଶୃଙ୍ଖଳା ବିଗାଡିବା ଆଶଙ୍କା ଥିବାରୁ ସରକାରୀ ସ୍ତରରେ ତୁରନ୍ତ ଏହାର ପ୍ରତିକାର ପାଇଁ ବିଭିନ୍ନ ବସ୍ତିର ଅନେକ ଲୋକ ଦାବି କରୁଛନ୍ତି ।

ରାଜଧାନୀରେ ନିଜସ୍ୱ ଜମି ଓ ଘର ନଥାଇ ହଜାର ହଜାର ଲୋକ ବିଭିନ୍ନ ବସ୍ତିରେ ସରକାରୀ ଜାଗା ଜବରଦଖଲ କରି ରହୁଛନ୍ତି । ଏଠାରେ ଏମାନେ ପରିବାର ପ୍ରତିପୋଷଣ ଲାଗି ବିଭିନ୍ନ କାମଧନ୍ଦା ବି କରୁଛନ୍ତି । ବସ୍ତିରେ ଘରକରି ରହିଥିବା ସଂଖ୍ୟାଧିକ ଲୋକଙ୍କୁ ବିଭାଗୀୟ କର୍ତ୍ତୃପକ୍ଷ ସଡକ, ପାଣି, ବିଜୁଳି ଆଦିର ସୁବିଧା କରିବା ସହିତ ଆଧାରକାର୍ଡ, ରାସନକାର୍ଡ ଆଦି ମଧ୍ୟ ଯୋଗାଇ ଦେଇଛନ୍ତି । ଏମିତିକି କେତେକ ବସ୍ତିରେ ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟ ଗଠିତ ହୋଇଛି । ଏହାଛଡା ବସ୍ତିଗୁଡିକରେ ପିଲାଙ୍କ ପାଠପଢା ଠାରୁ ଆରମ୍ଭକରି ଚିତ୍ତିବିନୋଦନପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଅନେକ ବସ୍ତିବାସିନ୍ଦା ଅଧିକ ଘର ତିଆରି କରି ତାହାକୁ ଭଡା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି । ଜାଗା ମିଶନ ପାଇଁ ସର୍ଭେ କାମ ଚାଲିବାବେଳେ ବସ୍ତିର ଘର ମାଲିକଙ୍କ ସମେତ ଭଡାଟିଆମାନେ ରହୁଥିବା ଜାଗାର ବି ସର୍ଭେ ହୋଇଛି । କେବଳ ଉଭୟ ଘର ମାଲିକ ଓ ଭଡାଟିଆ ମଧ୍ୟ ଜାଗା ମିଶନରେ ଜାଗା କି ଘରଖଣ୍ଡେ ପାଇବାପାଇଁ ଆବେଦନ କରିବା ସହିତ ବିଭିନ୍ନ ସ୍ତରରେ ଗୁହାରି କରିଆସିଛନ୍ତି ।

ସର୍ଭେ ପରେ ବସ୍ତିର ଘରମାଲିକମାନଙ୍କୁ ନିର୍ଦ୍ଧାରିତ ନୀତି ଅନୁଯାୟୀ ସୀମିତ ପରିମାଣର ଜାଗା ଦିଆଯାଇଥିବାବେଳେ ଭଡାଟିଆମାନଙ୍କୁ ବି ଜାଗା ମିଳିଛି । ବହୁ କ୍ଷେତ୍ରରେ ସେମାନେ ଯେଉଁ ଘରେ ମାଲିକାନା ଜାରିକରି ରହୁଛନ୍ତି କିମ୍ବା ଭଡାରେ ରହୁଛନ୍ତି ତାହାକୁ ମଧ୍ୟ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି । ବସ୍ତିରେ ଭଡା ଦେଇଥିବା ବାସିନ୍ଦା ଭଡାଘର ନିଜ ଖର୍ଚ୍ଚରେ ତିଆରି କରିଛନ୍ତି । ତେଣୁ ଏହି ଭଡାଘର ଥିବା ଜାଗାକୁ ଅନେକ ସ୍ଥଳରେ ଭଡାଟିଆମାନଙ୍କୁ ଆବଣ୍ଟନ କରାଯାଇଛି । କେତେକ କ୍ଷେତ୍ରରେ ଲୋକେ ମାଗଣାରେ ଜାଗାମିଶନ ମାଧ୍ୟମରେ ଜମି ପାଇଥିବାବେଳେ ଆଉ କେତେକ କ୍ଷେତ୍ରରେ ଅର୍ଥ ଦେବାକୁ ପଡିଛି ।

ଏବେ ଜମିର କାଗଜପତ୍ର ବିଏମ୍‍ସି କର୍ତ୍ତୃପକ୍ଷ ହସ୍ତାନ୍ତର କରିବାପରେ ମଧ୍ୟ ମାଲିକମାନେ ସମ୍ପୃକ୍ତ ଜାଗା ପାଇଁ ଘରଭଡା ଆଦାୟ କରୁଛନ୍ତି । ବହୁ ସ୍ଥଳରେ ସେମାନେ ଘରର ମୂଲ୍ୟ ବାବଦରେ ମୋଟା ଅଙ୍କର ଅର୍ଥ ବି ଦାବି କରୁଛନ୍ତି । ଏ ପ୍ରସଙ୍ଗ ଘେନି ବହୁ ବସ୍ତିରେ ଘର ମାଲିକଙ୍କ ସହ ଭଡାଟିଆମାନଙ୍କର ସମ୍ପର୍କ ତିକ୍ତ ହେଉଛି ।

ସରକାର ସେମାନଙ୍କୁ ଜାଗା ମିଶନରେ ଘର ଥିବା ଜମି ଆବଣ୍ଟନ କରିଥିବାରୁ ସେମାନେ ଭଡା ଦେବେନାହିଁ ବୋଲି କହୁ କ୍ଷେତ୍ରରେ ରୋକଠୋକ୍‍ ଭାବେ ମନାକରି ଦେଉଥିବାରୁ ଏମାନଙ୍କ ଠାରୁ ଭଡା ଅର୍ଥ ଆଦାୟ କରିବା କିମ୍ବା ସମ୍ପୃକ୍ତ ସ୍ଥାନରୁ ସେମାନଙ୍କୁ ବିଦା କରିବାପାଇଁ ବିକଳ୍ପ ବ୍ୟବସ୍ଥା ହେଉଛି । ତେବେ କେତେକ ସ୍ଥଳରେ ଡରି ମରି ଲୋକେ ପୂର୍ବ ଘର ମାଲିକଙ୍କୁ ପଇସା ଦେବାକୁ ବାଧ୍ୟ ହେଉଛନ୍ତି । ଆଗରେ ନିର୍ବାଚନ ଥିବାରୁ ବସ୍ତି ଭୋଟ ଉପରେ ସବୁ ଦଳଙ୍କର ନଜର । ଏ ପରିପ୍ରେକ୍ଷୀରେ ରାଜଧାନୀରେ ସୃଷ୍ଟି ହେଉଥିବା ଏହି ଅସନ୍ତୋଷର ତୁରନ୍ତ ସମାଧାନ କରାନଗଲେ ପରିସ୍ଥିତି ବିଗିଡିପାରେ ବୋଲି ବିଭିନ୍ନ ବସ୍ତିର ବାସିନ୍ଦାମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । (ତଥ୍ୟ)