Home General ବଳିଆ ଋଣ ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି

ବଳିଆ ଋଣ ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ଵର :  ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି । ଅତ୍ୟନ୍ତ କଳାତ୍ମକ ଡିଜାଇନ୍, ନିଖୁଣ ଏବଂ ସୁନ୍ଦର ରୂପରେଖ ପାଇଁ ଓଡ଼ିଶାର ହସ୍ତତନ୍ତ ଦେଶବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । 

ରାଜ୍ୟର ବୁଣାକାରମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା / କାର୍ଯ୍ୟକ୍ରମ କରାଯାଉଛି । ବୁଣାକାରମାନଙ୍କ ରୋଜଗାର ସୁନିଶ୍ଚିତ କରିବା,  ଅର୍ଥନୈତିକ ଅବସ୍ଥାକୁ ସୁଦୃଢ ଓ ସୁରକ୍ଷିତ କରିବା ଏହି ଯୋଜନା ଗୁଡିକର ଲକ୍ଷ୍ୟ ଓ  ଉଦ୍ଦେଶ୍ୟ । ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରର ଅଭିବୃଦ୍ଧି ପ୍ରଣିଧାନ ଯୋଗ୍ୟ ।

୨୦୧୯-୨୦ ହସ୍ତତନ୍ତ ଗଣନା ଅନୁୟାୟୀ, ତା.୦୧.୦୪.୨୦୨୧ସୁଦ୍ଧା ରାଜ୍ୟରେ ୬୬,୧୪୧ ଜଣ ବୁଣାକାର ପରିବାରରେ ୧,୨୪,୦୮୪ ଜଣ ବୁଣାକାର ଥିବା ବେଳେ ୫୬,୫୬୯ ସଂଖ୍ୟକ ତନ୍ତ ରହିଛି ।

“ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା (BALIA)”,୨୦୨୨-୨୩ ଆର୍ଥିକ ବର୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବୁଣାକାରଙ୍କ ନିମନ୍ତେ ଘୋଷଣା କରାଯାଇଥିବା ସ୍ଵତନ୍ତ୍ର ପ୍ୟାକେଜ ଅନୁଯାୟୀ ପ୍ରଣୟନ କରାଯାଇଅଛି । ଏହି ଯୋଜନା ମାଧ୍ୟମରେ ୧୮-୭୦ ବର୍ଷ ବୟସ ମଧ୍ୟରେ ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ୫୦,୦୦୦/-(ପଚାଶ ହଜାର) ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା ।

ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ,  ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ସହିତ ନିଜର ଉତ୍ପାଦନ ଏବଂ ବିପଣନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାରର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧି  ଆଣିବା ଦରକାର ପଡୁଥିଲା ଓ ଏଥିପାଇଁ ପଚାଶ ହଜାର ଟଙ୍କା ଯଥେଷ୍ଟ ହେଉନଥିଲା । ତେଣୁ ଋଣ ରାଶିକୁ ପଚାଶ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଏହି ଯୋଜନାର ନିୟମାନୁଯାୟୀ ବୁଣାକାରମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀପୁଞ୍ଜି ବିନା ସୁଧରେ ରଣ ଆକାରରେ ବ୍ୟାଙ୍କ ରୁ ପାଇପାରିବେ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ଆୟ ଏବଂ ଜୀବନଧାରଣର ମାନ ବୃଦ୍ଧି ପାଇବ ।