Home Agriculture ବଳରାମ ଯୋଜନାର ମନ୍ଥର ଗତି

ବଳରାମ ଯୋଜନାର ମନ୍ଥର ଗତି

ଭୁବନେଶ୍ୱର : ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘ବଳରାମ’ ଯୋଜନା ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ବ୍ୟାଙ୍କ୍‍ ଓ ପାକ୍ସ ଦ୍ୱାରା ଚିହ୍ନିତ ଚାଷୀଙ୍କ ମଧ୍ୟରୁ ମାତ୍ର ଏକ ତୃତୀୟାଂଶ ଏହି ଯୋଜନାରେ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ବ୍ୟାଙ୍କ୍‍ ଓ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଦ୍ୱାରା ମୋଟ୍‍ ୧,୪୨,୯୪୯ ଯୋଗ୍ୟ କୃଷକଙ୍କ ତଥ୍ୟ ଯାଞ୍ଚ ହୋଇଛି ଏବଂ ୨୦,୯୬୦ ଯୁଗ୍ମ କୃଷକ ଗୋଷ୍ଠି ଗଠନ ହୋଇଛି ଓ ଏଥିରେ ୧,୦୨,୬୭୦ଜଣ କୃଷକ ଅଛନ୍ତି । ତେବେ ମାତ୍ର ୫୧୧୮ ଟି କୃଷକ ଗୋଷ୍ଠିକୁ ଋଣ ପାଇବାକୁ ଯୋଗ୍ୟ ହୋଇଛନ୍ତି । ଅର୍ଥାତ୍‍ ମାତ୍ର ଏକ ତୃତୀୟାଂଶ କୃଷକ ବଳରାମ ଯୋଜନାରେ ଉପକୃତ ହୋଇଛନ୍ତି ।

ଓଡିଶା ସରକାର ନାବାର୍ଡ ସହାୟତାରେ ଗତଷର୍ବ ଜୁଲାଇ ମାସରେ ବଳରାମ ଯୋଜନାର ଶୁଭାରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଦୁଇବର୍ଷ ମଧ୍ୟରେ ଏକ ଲକ୍ଷ ଯୁଗ୍ମ କୃଷକ ଗୋଷ୍ଠି ମାଧ୍ୟମରେ ୫ଲକ୍ଷ ଭୂମିହୀନ କୃଷକଙ୍କୁ ଉପକୃତ କରିବା । ହେଲେ ଏଥିରୁ ଜଣାପଡୁଛି ଯେ ସରକାରଙ୍କ ଏହି ଯୋଜନା ଠିକଣା ଲକ୍ଷ୍ୟ ପଥରେ ଯାଉନାହିଁ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୧୧୮ ଭୂମିହୀନ ଚାଷୀ ଗୋଷ୍ଠିଙ୍କୁ ବଳରାମ ଯୋଜନାରେ ୪୯.୮୯ କୋଟି ଟଙ୍କା ଯୋଗାଇ ଦିଆଗଲାଣି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ପରେ ‘ବଳରାମ’ ହେଉଛି ଅନ୍ୟତମ ବୃହତ୍‍ କାର୍ଯ୍ୟକ୍ରମ । ସୂଚନା ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୫୧୧୮ ଭୂମିହୀନ କୃଷକଙ୍କ ମିଳିତ ଗୋଷ୍ଠିକୁ ବିଭିନ୍ନ ବ୍ୟାଙ୍କ୍‍ ମୋଟ୍‍ ୪୯,୮୯,୮୫,୩୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଭୂମିହୀନ ଚାଷୀମାନଙ୍କୁ ସର୍ବାଧିକ ୩୭କୋଟି ୩୭ଲକ୍ଷ ଟଙ୍କା ଦିଆଯାଇଛି । ଏହି ଜିଲ୍ଲାରେ ୩୪୭୪ ଯୁଗ୍ମ ଚାଷୀ ଗୋଷ୍ଠି ଏହି ଅର୍ଥ ପାଇଛନ୍ତି । କେନ୍ଦୁଝର ଜିଲ୍ଲାର ଭୂମିହୀନ ଚାଷୀମାନଙ୍କୁ ସବୁଠାରୁ କମ୍‍ ମାତ୍ର ଦେଢ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ନୈରାଶ୍ୟ ପ୍ରଦର୍ଶନ କରିଥିବା ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ ପାଇଁ ୮ଲକ୍ଷ ୭୦ହଜାର, ଗଜପତିରେ ୨ଲକ୍ଷ ୪୦ହଜାର, ଯାଜପୁରରେ ୨ଲକ୍ଷ ୪୭ହଜାର, ନବରଙ୍ଗପୁରରେ ୯ଲକ୍ଷ ୨୭ହଜାର ଏବଂ ଜଗତସିଂହପୁରରେ ୯ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର ହୋଇଛି ।

ଏହି ଯୋଜନାରେ ୪ରୁ ୧୦ଜଣ ଭୂମିହୀନ କୃଷକ ଏକାଠି ହୋଇ ଯୁଗ୍ମ ଗୋଷ୍ଠି ଗଠନ ସହିତ ମିଳିତ ଭାବେ ବ୍ୟାଙ୍କ୍‍ ଋଣ ପାଇଥାନ୍ତି । ବିନା ଗ୍ୟାରେଣ୍ଟିରେ ଗୋଟିଏ ଗୋଷ୍ଠି ଏକ ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ । ତେବେ ୨୦୧୫-୧୬ କୃଷି ଗଣନା ଅନୁଯାୟୀ ରାଜ୍ୟରେ ୪୮.୬୬ଲକ୍ଷ ଚାଷପଯୋଗୀ ଜମି ରହିଛି । ଏଥିରୁ ପ୍ରାୟ ୯ଲକ୍ଷ ହେକ୍ଟର ଜମିରେ ଭାଗଚାଷ ହେଉଛି । ଏଥି ମଧ୍ୟରୁ ୨.୮୩ଲକ୍ଷ ହେକ୍ଟର ଜମିରେ ଶତପ୍ରତିଶତ ଭାଗ ଚାଷ ହେଉଥିବାବେଳେ ୬.୨୨ ଲକ୍ଷ ହେକ୍ଟର ଜମି ଆଂଶିକ ଭାଗଚାଷ ହେଉଛି । (ତଥ୍ୟ)