Home Energy ବଳକା ବିଜୁଳି ଅଧା ଦାମରେ ବିକ୍ରି

ବଳକା ବିଜୁଳି ଅଧା ଦାମରେ ବିକ୍ରି

ଭୁବନେଶ୍ୱର : ଓଡିଶାର ବିଦ୍ୟୁତ୍‍ ଉପଭୋକ୍ତାମାନେ ଯେଉଁ ଦରରେ ବିଜୁଳି ଖରିଦ କରୁଛନ୍ତି ସରକାର କିନ୍ତୁ ତାଙ୍କର ବଳକା ବିଜୁଳିକୁ ତାହାଠାରୁ ଅଧା ଦାମରେ ବିକ୍ରି କରୁଛନ୍ତି । ଗତବର୍ଷ ରାଜ୍ୟ ସରକାର ୟୁନିଟ୍‍ ପିଛା ୨ଟଙ୍କା ୭୯ ପଇସା ଦରରେ ବଳକା ବିଦ୍ୟୁତ୍‍ ବିକ୍ରି କରିଥିବାବେଳେ ରାଜ୍ୟର ଖାଉଟିମାନେ କିନ୍ତୁ ୟୁନିଟ୍‍ ପିଛା ୩ଟଙ୍କାରୁ ୫ଟଙ୍କା ୮୦ ପଇସା ପର୍ଯ୍ୟନ୍ତ ଗଣୁଛନ୍ତି ।

ରାଜ୍ୟ ସରକାର ୨୦୧୯-୨୦ ମସିହାରେ ବଳକା ଥିବା ୧୭୨୮ ନିୟୁତ ୟୁନିଟ୍‍ ବିଜୁଳି ବିକ୍ରି କରିଥିଲେ । ୟୁନିଟ୍‍ ପିଛା ହାରାହାରି ୩.୩୩ ଟଙ୍କା ଦରରେ ସରକାରଙ୍କୁ ୫୭୪କୋଟି ୮୫ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିଲା । ସେହିଭଳି ୨୦୨୦-୨୧ ବର୍ଷରେ ୬୦୬୧ ନିୟୁତ ୟୁନିଟ୍‍ ବିଜୁଳି ବକ୍ରି କରିଥିଲେ । ଏହି ବର୍ଷ ସରକାର ୟୁନିଟ୍‍ ପିଛା ହାରାହାରି ୨.୭୯ ଟଙ୍କା ଦରରେ ବିଜୁଳି ବିକି ୧୬୪୦କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ୱ ପାଇଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟ ସରକାର ତାଙ୍କର ବଳକା ବିଜୁଳିକୁ ଯେତିକି ଦରରେ ଅନ୍ୟ ରାଜ୍ୟ ବା ସଂସ୍ଥାକୁ ବିକ୍ରି କରୁଛନ୍ତି ଓଡିଶାର ଗ୍ରାହକଙ୍କ ଠାରୁ ତା ଅପେକ୍ଷା ଅଧିକ ଦର ଆଦାୟ କରୁଛନ୍ତି । ରାଜ୍ୟର ଗ୍ରାହକମାନେ ଏବେ ୫୦ ୟୁନିଟ୍‍ ପର୍ଯ୍ୟନ୍ତ ବିଜୁଳି ପାଇଁ ୟୁନିଟ୍‍ ପିଛା ୩ଟଙ୍କା ଦେଉଥିବାବେଳେ ୫୦ରୁ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ୪.୮୦ ଟଙ୍କା ଏବଂ ୨୦୦ ୟୁନିଟ୍‍ରୁ ଅଧିକ ବିଦ୍ୟୁତ୍‍ ପାଇଁ ୟୁନିଟ୍‍ ପିଛା ୫.୮୦ ଟଙ୍କା ଆଦାୟ କରୁଛନ୍ତି । ଅଥଚ ବଳକା ବିଦ୍ୟୁତ୍‍କୁ ଅନ୍ୟ ରାଜ୍ୟକୁ ୟୁନିଟ୍‍ ପିଛା ୨.୭୯ ଟଙ୍କା ଦରରେ ଦେଉଛନ୍ତି ।

ବହୁଗୁଣିତ ଭାବେ ଆଦାୟ ହେଉଥିବା ବିଜୁଳି ଦର ଏବେ ସଧାରଣ ଲୋକଙ୍କୁ ବାଧୁଥିବାବେଳେ ଗାଁ ଗହଳର ଲୋକେ ବିଜୁଳି କାଟ୍‍ରେ ଅତିଷ୍ଠ ହେବାରେ ଲାଗିଛନ୍ତି । ସହରାଞ୍ଚଳ ଭଳି ଗାଁ ଗହଳରେ ବିଦ୍ୟୁତ୍‍ ଭିତ୍ତିଭୂମିର ରକ୍ଷଣା ବେକ୍ଷଣ ହେଉନଥିବାରୁ ମେଘ ଉଠାଇଲେ କିମ୍ବା ଘଡଘଡି ମାରିଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‍ କାଟ୍‍ ହେଉଛି । ଗାଁ ଗହଳର ଗ୍ରାହକ କିନ୍ତୁ ସହରାଞ୍ଚଳ ସହିତ ସମାନ ଦରରେ ବିଜୁଳି ବିଲ୍‍ ପଇଠ କରୁଛନ୍ତି ।

ଗ୍ରିଡ୍‍କୋ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ହାରାହାରି ଭାବେ ୨୭୯୬ ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିବାବେଳେ ସର୍ବାଧିକ ୩୧୮୬ ମେଗାୱାଟ ପର୍ଯ୍ୟନ୍ତ ଏହା ଯାଇପାରୁଛି । କେନ୍ଦ୍ରୀୟ ଅଂଶ ବାବଦରେ ରାଜ୍ୟକୁ ମିଳୁଥିବା ବିଜୁଳିକୁ ମିଶାଇଲେ ରାଜ୍ୟରେ ସର୍ବାଧିକ ୪୮୫୪ ମେଗାୱାଟ ବିଜୁଳି ଶକ୍ତି ଉପଲବ୍ଧ ହେଉଛି ।

ସେହିଭଳି ବିଦ୍ୟୁତ୍‍ ଚାହିଦା ରାଜ୍ୟରେ ୩୭୯୫ ମେଗାୱାଟରୁ ୪୨୨୫ ମେଗାୱାଟ ପର୍ଯ୍ୟନ୍ତ ରହୁଛି । ରାଜ୍ୟର ଅବଶ୍ୟକତା ପୂରଣ ପରେ ବଳକା ବିଦ୍ୟୁତ୍‍ ବିକ୍ରି ହେଉଛି । ତେବେ ରାଜ୍ୟର ଖାଉଟିମାନେ ସମାନ ବିଦ୍ୟୁତ୍‍କୁ ୟୁନିଟ୍‍ ପିଛା ୫ଟଙ୍କା ୮୦ ଦରରେ କିଣୁଥିବାବେଳେ ସରକାର କିନ୍ତୁ ବଳକା ବିଜୁଳିକୁ ଏହାର ଅଧାରୁ କମ୍‍ ଦାମରେ ବିକ୍ରି କରୁଛନ୍ତି । (ତଥ୍ୟ)