Home General ବର୍ଷା ଅଧିବେଶନ ଉପରେ ନଜର

ବର୍ଷା ଅଧିବେଶନ ଉପରେ ନଜର

ଭୁବନେଶ୍ୱର : ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ରାଜ୍ୟ ସରକାରଙ୍କୁ ଘେରିବାପାଇଁ ପ୍ରମୁଖ ବିରୋଧିଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ସଜବାଜ ଚାଲିଥିବାବେଳେ ବିରୋଧିଦଳଙ୍କୁ ମୁକାବିଲା କରିବାପାଇଁ ସରକାରୀ ପକ୍ଷ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଭଳି ସ୍ଥିତିରେ ଗତ ଅଧିବେଶନ ଭଳି ବିଧାନସଭା କାର୍ଯ୍ୟକ୍ରମ ଗୁରୁତର ଭାବେ ବ୍ୟାଘାତ ହେବ ନା ସୁରୁଖୁରୁରେ ଚାଲିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଆସନ୍ତା ସେପ୍ଟେମ୍ବର ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ମଧ୍ୟରେ ରବିବାର ପାଇଁ ୫ ତାରିଖଟି ଛୁଟି ରହିବ । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାପାଇଁ ଇତି ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ରଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ବାଚସ୍ପତି ସବୁଦଳର ନେତାମାନଙ୍କ ସହଯୋଗ କାମନା କରିଛନ୍ତି ।

ଅନ୍ୟ ପକ୍ଷରେ ବିଧାନସଭା ଅଧିବେଶନ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକଦଳର ପୃଥକ ପୃଥକ ବୈଠକମାନ ଅନୁଷ୍ଠିତ ହେବାକୁ ଯାଉଛି । ତିନିଦଳର ବିଧାୟକମାନଙ୍କ ପକ୍ଷରୁ ଯେଉଁ ସୂଚନା ମିଳୁଛି ସେଥିରେ କେତେକ ପ୍ରମୁକ ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସରକାରକୁ ଘେରିବାପାଇଁ ମନସ୍ଥିର କରିସାରିଥିବାବେଳେ ସରକାର ମଧ୍ୟ ସବୁ ପ୍ରସଙ୍ଗରେ ଉତ୍ତର ରଖିବାକୁ ପ୍ରସ୍ତୁତ ହେଉଛନ୍ତି ।

ଏହି ଅଧିବେଶନ କାଳରେ ପ୍ରମୁଖ ବିରୋଧିଦଳ ବିଜେପିକୁ ମୁଲତବି ପ୍ରସ୍ତାବ ଆଣିବାଲାଗି ୪ଦିନ ସମୟ ଦିଆଯାଉଥିବାବେଳେ କଂଗ୍ରେସକୁ ୨ଦିନ ମିଳିଛି । କରୋନା କଟକଣା ଦୃଷ୍ଟିରୁ ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ, ବିଧାୟକଙ୍କ ସମେତ ଅଧିବେଶନ ଲାଗି ନିୟୋଜିତ ହେଉଥିବା ସମସ୍ତ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କର ଗତଥର ଭଳି କରୋନା ପରୀକ୍ଷା କରାଯିବ । କେବଳ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେହିମାନଙ୍କୁ ବିଧାନସଭା ପରିସରକୁ ଛଡାଯିବ । ଏହାଛଡା ବିଧାୟକ ଓ ମନ୍ତ୍ରୀମାନଙ୍କର ମଧ୍ୟ ଆଣ୍ଟିବଡି ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ଶେଷ ହୋଇଥିବା ସଂସଦ ଅଧିବେଶନ ପୂର୍ବରୁ ଲୋକସଭାର ବାଚସ୍ପତି ମଧ୍ୟ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କ ସହଯୋଗ ଲୋଡିଥିଲେ । ତେବେ ଦେଶର ସ୍ୱାର୍ଥ ଜଡିତ ବହୁ ପ୍ରସଙ୍ଗ ରହିଥିବାବେଳେ କେବଳ ପେଗାସସ ପ୍ରସଙ୍ଗରେ ବିରୋଧିଦଳମାନେ ଅଡିବସିବା ଯୋଗୁଁ ସଂସଦର ବର୍ଷାକାଳୀନ ଅଧିବେଶନ ଏକ ପ୍ରକାର ଅଚଳ ହୋଇଯାଇଥିଲା । ସଂସଦ ଭିତରେ ଅବସ୍ଥା ଏଭଳି ହେଲା ଯେ ଅଧିବେଶନର ଅନ୍ତିମ ଭାଷଣରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ କାନ୍ଦି ପକାଇଥିଲେ ।

ଯାହା ସୂଚନା ମିଳୁଛି କେତେକ ପ୍ରମୁଖ ପ୍ରସଙ୍ଗରେ ବିରୋଧିଦଳମାନେ ବିଧାନସଭା କାର୍ଯ୍ୟକ୍ରମ ଗତଥର ଭଳି ବ୍ୟାହତ କରିପାରନ୍ତି । ତେବେ ସରକାରୀଦଳର ବରିଷ୍ଠ ବିଧାୟକ ମନ୍ତ୍ରୀମାନେ କହୁଛନ୍ତି ଯେ ବିରୋଧିଦଳ ପକ୍ଷରୁ ବିଧାନସଭା ନିୟମାବଳୀର ଗଣ୍ଡି ଭିତରେ ଯେତେବସବୁ ପ୍ରସଙ୍ଗ ଅଣାଯିବ ସରକାର ସେ ସବୁର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛନ୍ତି । ଏ ପରିପ୍ରେକ୍ଷୀରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ ସରଗରମ ରହିବ ନା ରଚନାତ୍ମକ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ବୟସ୍କ ମନ୍ତ୍ରୀ ଓ ବିଧାୟକମାନେ ଚାହିଁଲେ ବିଧାନସଭାକୁ ନଆସି ନିଜ ନିର୍ଦ୍ଧାରିତ ସ୍ଥାନରୁ ଭର୍ଚୁଆଲ ମୋଡ୍‍ରେ ଭାଗ ନେଇପାରିବେ । ତେବେ କେରୋନା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସାଧିନ ଥିବା ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ସ୍ୱାସ୍ଥ୍ୟଗତ କାରଣରୁ ବିଧାନସଭାକୁ ଆସିବେ କି ନାହିଁ ତାହା ଉପରେ ବି ସମସ୍ତଙ୍କ ନଜର ରହିଛି । (ତଥ୍ୟ)