Home General ବର୍ଷକରେ ୫୬୯୮ ମିଛ ମାମଲା

ବର୍ଷକରେ ୫୬୯୮ ମିଛ ମାମଲା

ଭୁବନେଶ୍ୱର: ଗତବର୍ଷ ରାଜ୍ୟରେ ୫୬୯୮ ମିଛ ମାମଲା ରୁଜୁ ହୋଇଥିଲା । ଏଥିମଧ୍ୟରେ ଧର୍ତ୍ତବ୍ୟ ଅପରାଧଠାରୁ ଆରମ୍ଭ କରି ମୋଟରଯାନ ଦୁର୍ଘଟଣା ପର୍ଯ୍ୟନ୍ତ ମାମଲା ଆଦି ରହିଛି ।

ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଶ୍ୱେତପତ୍ର ୨୦୨୦ରୁ ଏହି ସୂଚନା ମିଳିଛି । ଏଥିରେ ଦର୍ଶାଯାଇଛି ଯେ ଗତବର୍ଷ ଓଡ଼ିଶାରେ ୧,୩୪,୨୩୦ ପଞ୍ଜିକୃତ ଅପରାଧ ମାମଲା ମଧ୍ୟରୁ ୧,୧୦,୭୪୧ ମାମଲା ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା ।

ତେବେ ମିଛ ମାମଲା ରୁଜୁ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଧର୍ତ୍ତବ୍ୟ ଅପରାଧ । ୨୦୨୦ରେ ରୁଜୁ ହୋଇଥିବା ୧,୩୪,୨୩୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୪୯୨୫ଟି ମିଛ ମାମଲା ଥିବା ପୁଲିସ ନଜରକୁ ଆସିଛି । ତେବେ ମୋଟ୍‍ ସତ୍ୟ ମାମଲା ମଧ୍ୟରୁ ୯୩,୨୨୯ଟିରେ ପୁଲିସ ଚାର୍ଜସିଟ୍‍ ଦାଖଲ କରିଛି ।

ସେହିଭଳି ଗତବର୍ଷ ପଞ୍ଜିକୃତ ହୋଇଥିବା ୧୪୭୦ଟି ହତ୍ୟା ମାମଲା ମଧ୍ୟରୁ ୭୮ଟି ମିଛ ଥିବା ବେଳେ ରୁଜୁ ହୋଇଥିବା ୫୧୪ଟି ଡକାୟତି ମାମଲା ମଧ୍ୟରୁ ୧୨ଟି ମିଛ ଥିଲା । ତେବେ ଡକାୟତି ଘଟଣାରେ ୧୨ ଜଣ ଆନ୍ତଃରାଜ୍ୟ ଡକାୟତ ସହିତ ୧୮୭୬ ଜଣଙ୍କୁ ପୁଲିସ ବାନ୍ଧିଥିଲା ।

୨୦୨୦ରେ ପୁଲିସ ନିକଟରେ ୨୧୬୬ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୩୯ଟି ମିଛ ମାମଲା ଥିଲା । ସେହିଭଳି ରୁଜୁ ହୋଇଥିବା ୪୫୦୦ଟି ସିନ୍ଧିଚୋର ମାମଲା ମଧ୍ୟରୁ ୭୩ଟି ମିଛ ଥିବା ବେଳେ ପୁଲିସ ମାତ୍ର ୧୪୨୨ ମାମଲାରେ ଚାର୍ଜସିଟ୍‍ ଦାଖଲ କରିଛି ।

ଗତବର୍ଷ ଦ୍ୱିତୀୟ ସର୍ବାଧିକ ମାମଲା ଥିଲା ଚୋରି । ପୁଲିସ ନିକଟରେ ରୁଜୁ ହୋଇଥିବା ୧୦,୪୧୨ଟି ଚୋରି ମାମଲା ମଧ୍ୟରୁ ୨୦୫ଟି ମିଛ ଥିଲା । ତେବେ ୧୦,୨୦୭ ସତ୍ୟ ମାମଲା ମଧ୍ୟରୁ ପୁଲିସ ୩୭୭୦ରେ ଚାର୍ଜସିଟ୍‍ ଦାଖଲ କରିଥିଲା । ରୁଜୁ ହୋଇଥିବା ୩୫୨୪ଟି ଠକେଇ ମାମଲାରେ ୧୮୧ଟି ମିଛ ଥିବା ବେଳେ ୬୨ଟି ମିଛ ଦଙ୍ଗା ମାମଲା ବି ରୁଜୁ ହୋଇଥିଲା । ଗତବର୍ଷ ୨୦୫୯ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୧୯୯୭ଟି ସତ୍ୟଥିବା ଜଣାପଡ଼ିଥିଲା ।

୨୦୨୦ରେ ୨୯୮୪ଟି ଦୁଷ୍ମର୍ମ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୭୭ଟି ମିଛ ଥିଲା । ୨୯୦୭ଟି ଦୁଷ୍କର୍ମ ମାମଲା ମଧ୍ୟରୁ ପୁଲିସ ୨୦୫ଟିରେ ଚାର୍ଜସିଟ୍‍ ଦାଖଲ କରିଥିଲା । ଗତବର୍ଷ ରାଜ୍ୟରେ ୯୮୧୭ଟି ମୋଟର ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୪୬ଟି ମିଛା ମାମଲା ଥିଲା ।

ସ୍ୱରାଷ୍ଟ୍ର ବିଭାଗର ଶ୍ୱେତପତ୍ରରେ ଦର୍ଶାଯାଇଥିବା ମୋଟ୍‍ ମିଛ ମାମଲାର ସଂଖ୍ୟା ୫୬୯୮ ରହିଥିବା ବେଳେ ପୁଲିସ ପକ୍ଷରୁ ଗତବର୍ଷ ୧୮ଥର ଗୁଳିଚାଳନା ହୋଇଥିଲା । ତେବେ ଗତବର୍ଷ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ନ ଥିବା ଏଥିରେ ଦର୍ଶାଯାଇଛି । ମାଓ କାର୍ଯ୍ୟକାଳପରେ ଲିପ୍ତଥିବା ୩୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୧ ଜଣ ଆତ୍ମସମର୍ପଣ କରିଥିଲେ ।

ଗତବର୍ଷ ବିଭିନ୍ନ ରାଜନୈତିକ ଦଳ ଓ ସେମାନଙ୍କର ସଂଗଠନ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩୮ଥର ରାସ୍ତାରୋକ, ୭ଥର ରେଳ ରୋକ, ୭୪୫ଥର ଧାରଣା, ୨୭୭ଥର ର‌୍ୟାଲି, ୭୬୩ଥର ବିକ୍ଷୋଭ, ୯୦ଥର ଅନଶନ, ୩୧ଥର ବନ୍ଦ ଓ ୨୧ଥର ଘେରାଉ କରିଥିଲେ ମଧ୍ୟ କୌଣସିଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିନଥିଲା ।