Home Energy ବର୍ଷକରେ ବିଦ୍ୟୁତ ବିଭ୍ରାଟ ୪୭% ହ୍ରାସ

ବର୍ଷକରେ ବିଦ୍ୟୁତ ବିଭ୍ରାଟ ୪୭% ହ୍ରାସ

ଭୁବନେଶ୍ୱର: ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ରାଜ୍ୟରେ ବିଦ୍ୟୁତ୍ ଟ୍ରିପିଂରେ ହ୍ରାସ ଲାଗି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଫଳ ସ୍ୱରୂପ ବିଦ୍ୟୁତ ବିଭ୍ରାଟ ପ୍ରାୟ ୪୭% ହ୍ରାସ ପାଇଛି ।

୨୦୨୦ ଜୁନ୍ ୧ରେ ଶୁଭାରମ୍ଭ ହେବା ପରଠାରୁ ଟିପିସିଓଡିଏଲ୍ ପକ୍ଷରୁ ଏହାର ୩୦,୦୦୦ ବର୍ଗ କିଲୋମିଟର୍ ଲାଇସେନ୍ସ ପ୍ରାପ୍ତ ଅଂଚଳରେ ଥିବା ୨୭ ଲକ୍ଷ ଗ୍ରାହକଙ୍କୁ ସୁରକ୍ଷିତ, ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଲାଗି ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି ।

କମ୍ପାନୀର ବିତରଣ ନେଟ୍‌ୱର୍କରେ ଅଧିକାଂଶ ତାର ହେଉଛି ଓଭରହେଡ୍ ତାର (ଉଭୟ ହାଇ ଭୋଲ୍‌ଟେଜ୍ ଓ ଲୋ ଭୋଲ୍‌ଟେଜ୍‌) ଏବଂ ତାହା ପକ୍ଷୀ ମାଡ଼ ହେବା, ଗଛ ପଡ଼ିବା, ଦ୍ରୁତ ଗତିରେ ପବନ ବହିବା, ବଜ୍ରପାତ ଓ ପ୍ରବଳ ବର୍ଷା ଆଦିରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ଟିପିସିଓଡିଏଲ୍ ପକ୍ଷରୁ ଏକ ସମ୍ପୂର୍ଣ୍ଣ ସର୍ଭେ କରାଯାଇଥିଲା ଯେଉଁଥିରୁ ଜଣାପଡ଼ିଛି ଯେ ୨୦୧୯-୨୦ରେ ବର୍ଷକୁ ପ୍ରତି ୩୩ କେଭି ଫିଡର୍‌ରେ ବାର୍ଷିକ ପ୍ରାୟ ୨୨୫ଥର ବିଭ୍ରାଟ ଘଟୁଛି ଏବଂ ପ୍ରତି ୧୧ କେଭି ଫିଡର୍‌ରେ ୫୦୬ଥର ବିଭ୍ରାଟ ଘଟିଛି ।

ଟ୍ରିପିଂ ହ୍ରାସ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଯାହାର ସୂଚନା ନିମ୍ନରେ ଦିଆଯାଇଛି । ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ପରେ ୩୩ କେଭି ଫିଡର୍‌ରେ ଟ୍ରିପିଂ ୬୯ ପ୍ରତିଶତ ଓ ୧୧ କେଭି ଫିଡର୍‌ରେ ୪୦% ହ୍ରାସ ପାଇଛି । ମୋଟ ଉପରେ ବିଭ୍ରାଟରେ ପ୍ରାୟ ୪୭%ର ହ୍ରାସ ଘଟିଛି ।

ଟ୍ରିିପିଂ ହ୍ରାସ ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ନେଟ୍‌ୱର୍କ ପ୍ରଦର୍ଶନର ନିୟମିତ ନିରୀକ୍ଷଣ ଓ ସ୍ୱୟଂକ୍ରିୟ ପରିଚାଳନା ପାଇଁ ସେଂଟ୍ରାଲାଇଜ୍‌ଡ ପାୱାର ସିଷ୍ଟମ୍ କଂଟ୍ରୋଲ୍ ସ୍ଥାପନ, ପୁରୁଣା ବିତରଣ ନେଟ୍‌ୱର୍କରେ ଉନ୍ନତି ଆଣିବା ଓ ତାହାକୁ ଦୃଢ଼ କରିବା ଲାଗି ସମ୍ପୂର୍ଣ୍ଣ ନିବେଶ ଯୋଜନା, ନେଟ୍‌ୱର୍କର ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଢାଂଚାଗତ ରକ୍ଷଣାବେକ୍ଷଣ ସାରଣୀର କାର୍ଯ୍ୟକାରିତା ଏବଂ ବିଶେଷଜ୍ଞ ଏଜେନ୍ସି ମୂତୟନ, ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ପାଇଁ ଆବଶ୍ୟକ ଉପଯୁକ୍ତ ଉପକରଣ ଏବଂ ସ୍ପେୟାର୍ ନିଶ୍ଚିତ କରିବା ଏବଂ ନେଟ୍‌ୱର୍କ ସମସ୍ୟା ଚିହ୍ନଟ କରିବା ଓ ତାହାକୁ ବୁଝିବା ଲାଗି ଢାଂଚାଗତ ସର୍ବେକ୍ଷଣ ଇତ୍ୟାଦି ।

ଏ ସମ୍ପର୍କରେ ଟିପିସିଓଡିଏଲ୍ ସିଇଓ ଏମ୍ ସେନ୍‌ବାଗମ୍ କହିଛନ୍ତି ଯେ, “ନିରବଚ୍ଛିନ୍ନ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ୍ ସମସ୍ତ ଗ୍ରାହକଙ୍କୁ ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ଏବଂ ତାହାକୁ ନିଶ୍ଚିତ କରିବା ଲାଗି ନିରନ୍ତର ଭାବେ ବିଭିନ୍ନ ପ୍ରକାର ପ୍ରଯୁକ୍ତି ଭିତ୍ତିକ ଏବଂ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ଭିତ୍ତିକ ପଦକ୍ଷେପ କାର୍ଯ୍ୟକାରୀ କରୁଛି । ବିଦ୍ୟୁତ୍ ଶକ୍ତିର ଭରସାଯୋଗ୍ୟତାରେ ଉନ୍ନତି ଆଣିବା ଲାଗି ଆମର ଇଞ୍ଜିନିୟର୍ ଓ କ୍ଷେତ୍ର ଭିତ୍ତିକ ଷ୍ଟାଫ୍‌ମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି ।’’

ଟ୍ରିପିଂ ହ୍ରାସ କରିବା ଲାଗି, ଟିପିସିଓଡିଏଲ୍ ଆସନ୍ତା ସାତ ମାସରେ ପୁରୁଣା ଓ ଖରାପ ଉପକରଣକୁ ବଦଳାଇବ, ପ୍ରକଳ୍ପ ଭିତ୍ତିକ କାର୍ଯ୍ୟରେ ପୁଞ୍ଜିନିବେଶ, ଫିଡର୍ ଓ ସବ୍‌ଷ୍ଟେସନ୍‌ର ରିଫର୍‌ବିସ୍‌ମେଂଟ୍‌, ସ୍ଥିତି ଭିତ୍ତିକ ନିରୀକ୍ଷଣ, ପୁରୁଣା ସବ୍ ଷ୍ଟେସନ୍‌ଗୁଡ଼ିକର ଏଫ୍‌ଆରପି କିମ୍ବା ଶୃଙ୍ଖଳ ଭିତ୍ତିକ ବାଡ଼ ତିଆରି କରିବା ଭଳି ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟରେ ପୁଞ୍ଜି ନିବେଶ କରିବ ।