Home News in Odia ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ସ୍ଥଗିତ

ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ର ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି । ଏହା ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ଦେଖାଦେବା ପରେ ଅଦାଳତଙ୍କ ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଲା ବୋଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଘୋଷଣା କରିଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ ଜମିର ବେଞ୍ଚ ମାର୍କ ଦର ଅନୁସାରେ ହୋଲିଡିଂ ଟିକସ ଆଦାୟ ପାଇଁ ସ୍ଥିର ହୋଇଥିଲା । ତେବେ ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେବା ପରେ ଲୋକଙ୍କ ମନୋଭାବକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ଟିକସ ଏବେ ଆଦାୟ ନକରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ବର୍ଦ୍ଧିତ ଟିକସ ଆଦାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା । ଏହା ଉପରେ ଅଦାଲତ ରହିତାଦେଶ ଜାରି କରିଥିଲେ । ରହିତାଦେଶ ଜାରି ପରେ ବିଏମ୍‍ସି ପୂର୍ବ ଦରରେ ହୋଲଡିଂ ଟିକସ ଆଦାୟ କରୁଥିଲା । ତେବେ ଇତି ମଧ୍ୟରେ ଅଦାଲତ ରହିତାଦେଶ ଉଠାଇ ଦେବାପରେ ବିଏମ୍‍ସି ବର୍ଦ୍ଧିତ ଦରରେ ଟିକସ ଆଦାୟ ପାଇଁ ଅଣ୍ଟା ଭିଡିଥିଲା ।

ବିଏମ୍‍ସି ବର୍ଦ୍ଧିତ ଦର ଆଦାୟ ନିଷ୍ପତି ଶୁଣାଇବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଉଭୟ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ସହିତ ବିଏମ୍‍ସି ଦପ୍ତର ଘେରାଉ କରିଥିବାବେଳେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଭୁବନେଶ୍ୱର ବନ୍ଦ ପାଇଁ ସଜବାଜ ହେଉଥିଲା । ଏହାର ପ୍ରଭାବ ଆଗାମୀ ପୌର ନିର୍ବାଚନରେ ପଡିବ ବୋଲି ଆଲୋଚନା ବି ଜୋର ଧରିଥିଲା ।