Home General ବର୍ଦ୍ଧିତ ବିଲ୍ ଆଦାୟକୁ ବିରୋଧ

ବର୍ଦ୍ଧିତ ବିଲ୍ ଆଦାୟକୁ ବିରୋଧ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) କର୍ତ୍ତୃପକ୍ଷ ଏପ୍ରିଲ୍ ୧ ତାରିଖ ଠାରୁ ବିଜୁଳି ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । କିନ୍ତୁ ଦୁଃଖର କଥା ରାଜ୍ୟର ୮୭ଲକ୍ଷ ବିଜୁଳି ଗ୍ରାହକଙ୍କୁ ଶୋଷଣ କରିବା ପାଇଁ ୪ଟି ଯାକ ଡିସକମ ଦଖଲକୁ ନେଇଥିବା ଟାଟା କମ୍ପାନୀ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥକୋ ଅଞ୍ଚଳରେ ମାର୍ଚ୍ଚ ମାସର ୧୫ ଦିନ ଓ ଏପ୍ରିଲ୍ ମାସର ୧୫ ଦିନକୁ ମିଶାଇ ସମୁଦାୟ ୧ ମାସର ବିଲ୍ ଉପରେ ବର୍ଦ୍ଧିତ ଦର ହିସାବରେ ଟଙ୍କା ଆଦାୟ କରୁଛି ।

ଏହା ଫଳରେ ୫୦ ୟୁନିଟ୍ ବିଜୁଳି ଜାଳୁଥିବା ଉପଭୋକ୍ତାଙ୍କୁ ଅଧିକ ୧୫ ଟଙ୍କା ଓ ୧୦୦ ୟୁନିଟ୍ ବିଜୁଳି ଜାଳୁଥିବା ଉପଭୋକ୍ତାଙ୍କୁ ୪୫ ଟଙ୍କା ଅଧିକ ବିଲ୍ ଦେବାକୁ ପଡ଼ୁଛି । ସେହି ହିସାବରେ ୨୦୦ ୟୁନିଟ୍ ଓ ୪୦୦ ୟୁନିଟ୍ ବା ତଦୁର୍ଦ୍ଧ୍ୱ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଏହି ଦର ବୃଦ୍ଧି ହାରରେ ଅଧିକ ପଇସା ଦେବାକୁ ପଡ଼ୁଛି । ଟାଟା କମ୍ପାନୀର ଏହି ମନମାନି ଓ ଖାଉଟି ଶୋଷଣ ବିରୋଧରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପ୍ରତିବାଦ କରାଯାଇ ସ୍ୱର ଉତ୍ତୋଳନ କରାଯାଇଛି ।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଏକ ଚିଠି ଲେଖି ରାଜ୍ୟର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ତୁରନ୍ତ ମନ୍ତ୍ରୀ ଏ ଦିଗରେ ବିହିତ ପଦକ୍ଷେପ ନେଇ ଟାଟା କମ୍ପାନୀର ଏହି ବର୍ଦ୍ଧିତ ବିଲ୍ ଉପରେ ଅଧିକ ପଇସା ଆଦାୟକୁ ବନ୍ଦ କରିବାକୁ ସେ ଦାବି କରିଛନ୍ତି । ଯେଉଁ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ, ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ନେବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

କରୋନା ମହାମାରୀ ସମୟରେ ସାଧାରଣ ଲୋକମାନେ ଯେତେବେଳେ ନିଜର ଜୀବନ ଜୀବିକା ନେଇ ସଂଘର୍ଷ କରୁଛନ୍ତି, ସେତିକିବେଳେ ଓଇଆରସି କର୍ତ୍ତୃପକ୍ଷ ଦୁଇଦୁଇ ଥର ବିଜୁଳି ଦର ବୃଦ୍ଧି କରିବା ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ଗତ ଅକ୍ଟୋବର ମାସରେ ବିଜୁଳି ଦର ପିଛା ୨୦ ପଇସା ବୃଦ୍ଧି ହୋଇଥିଲା ବେଳେ ଏପ୍ରିଲ୍ ମାସ ୧ ତାରିଖରୁ ୟୁନିଟ୍ ପିଛା ୩୦ ପଇସା ବିଜୁଳି ଦର ବୃଦ୍ଧି କରାଯାଇଛି । ଏହା ଫଳରେ ରାଜ୍ୟର ଉପଭୋକ୍ତାମାନଙ୍କ ସମେତ ବିଧାୟକମାନେ ମଧ୍ୟ ବିଧାନସଭାରେ ଏହାର ଦୃଢ ପ୍ରତିବାଦ କରିଥିଲେ ।

ଏହି ପ୍ରତିବାଦ ଓ ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟ ସରକାର ବିଜୁଳି ଦର ବୃଦ୍ଧିର ପୁନଃ ବିଚାର କରିବା ପାଇଁ ଓଇଆରସି ପାଖରେ ଆବେଦନ କରିବେ । ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେ ଦିଗରେ କି ପଦକ୍ଷେପ ନେଇଛନ୍ତି, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ । ତେଣୁ ତୁରନ୍ତ ବିଜୁଳି ଦର ବୃଦ୍ଧିର ପୁନଃ ବିଚାର କରିବା ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ବିଧାନସଭାରେ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଦରବୃଦ୍ଧିର ପୁନର୍ବିଚାର ପାଇଁ ଓଇଆରସି ନିକଟରେ ଆବେଦନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଯଦି ଏ ଦିଗରେ ବିହିତ ପଦକ୍ଷେପ ନିଆନଯାଏ, ତା’ହେଲେ ଜନସାଧାରଣଙ୍କର ଏହି ମୌଳିକ ଦାବିକୁ ନେଇ ଆଗାମୀ ଦିନରେ ଜନଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ବେହେରା ସତର୍କ କରାଇଦେଇଛନ୍ତି ।