Home News in Odia ବର୍ଜ୍ୟ ସଂଗ୍ରହକାରୀଙ୍କ ନୂଆ ପରିଚୟ

ବର୍ଜ୍ୟ ସଂଗ୍ରହକାରୀଙ୍କ ନୂଆ ପରିଚୟ

ଭୁବନେଶ୍ୱର : ଦିନେ ଜରି ଗୋଟାଉଥିଲେ ପେଟ ପୋଷିବାପାଇଁ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଭୁବନେଶ୍ୱରର ୩୫ବର୍ଷ ବୟସ୍କା ଶୁଭଲକ୍ଷ୍ମୀ ।

ଜରି ଗୋଟାଉଥିବା ଶୁଭଲକ୍ଷ୍ମୀ ଏବେ ବ୍ୟାଟେରୀଚାଳିତ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ମିଳୁଥିବା ପାଉଣାରେ ତାଙ୍କ ପରିବାର ଚଳାଇଛନ୍ତି । ପିଲାଙ୍କୁ ପାଠ ପଢାଇବାପାଇଁ ଘରୁ ଗୋଡ କାଢିଥିବା ଶୁଭଲକ୍ଷ୍ମୀ ଏବେ ନିଜର ଦ୍ୱାଦଶ ଓ ଷଷ୍ଠ ଶ୍ରେଣୀରେ ଥିବା ଦୁଇ ପୁଅଙ୍କ ସମେତ ସ୍କୁଲ ଯିବାପାଇଁ ପ୍ରସ୍ତୁତ ହେଉଥିବା ଛୋଟ ଝିଅଙ୍କୁ ଠିକଣା ଭାବେ ପଢାଇପାରିବେ ବୋଲି କହିଛନ୍ତି । ଦିନକୁ ମାତ୍ର ୪ଘଣ୍ଟା କାମ କରି ଶୁଭଲକ୍ଷ୍ମୀ ଏବେ ମାସକୁ ୭୦୦୦ ଟଙ୍କା ବେତନ ପାଉଛନ୍ତି । ତାଙ୍କ ସହିତ ଅଛନ୍ତି ୩୨ବର୍ଷିଆ ଲିଲା ରାଓ ଏବଂ ୨୯ବର୍ଷିୟା ଝିଲି ମୁଲି ।

କେବଳ ଶୁଭଲକ୍ଷ୍ମୀ ନୁହନ୍ତି ତାଙ୍କ ଭଳି ୨୧୧୮ ଜଣଙ୍କୁ ଚିହ୍ନଟ କରାଯାଇ ବର୍ଜ୍ୟ ସଂଗ୍ରହ, ଏହାର ପୃଥକୀକରଣ, ଖତ ପ୍ରସ୍ତୁତି ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଛି । ରାଜ୍ୟର ୫୫ଟି ସ୍ୱୟଂ ସହାୟିକା ଗୋଷ୍ଠି ଏହି କାର୍ଯ୍ୟରେ ଯୋଡିହୋଇ ଯାଇଥିବାବେଳେ ୬୧୮ଜଣ ସଦସ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି ।

ରାଜଧାନୀରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି କାର୍ଯ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନଙ୍କୁ ମୁତୟନ କରାଯାଇଛି । ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଖତ ପ୍ରସ୍ତୁତ ସମୟରେ ସମସ୍ତ ସର୍ତକତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ଛୋଟ ଛୋଟ ସହରାଞ୍ଚଳରେ ଅନୁରୂପ ଛୋଟ ଛୋଟ ଗୋଷ୍ଠି ଗଠନ କରାଯାଇ ପୌର ପ୍ରଶାସନ ସହିତ ଯୋଡାଯାଉଛି ।

ଜରି ଗୋଟାଳିଙ୍କ ବ୍ୟତିତ କିନ୍ନର ଓ ବସ୍ତିବାସିନ୍ଦାମାନେ ଏବେ ପୌର ପ୍ରଶାସନ ସହିତ ଯୋଡିହେବା ଯୋଗୁଁ ରାଜ୍ୟ ସରକାର ଜାତୀୟ ସ୍ତରର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଜାଗାମିଶନ ପାଇଁ ଓଡିଶା ବିଶ୍ୱ ବାସସ୍ଥାନ ପୁରସ୍କାର – ୨୦୧୯ ରେ ବ୍ରୋଞ୍ଚ ପଦକ ପାଇପାରିଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଏବେ ସମସ୍ତ ପୌରାଞ୍ଚଳ ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଚିହ୍ନଟ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି ।

ଏମାନଙ୍କୁ ଚିହ୍ନଟ ସହିତ ସହରରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ଏହାର ବିଘଟନରେ ବିନିଯୋଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନଙ୍କୁ ଚିହ୍ନଟ ସହିତ ସହରର ପରିଚ୍ଛନ୍ନତାରେ ସେମାନଙ୍କୁ ସାମିଲ କରିବା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନାର ଏକ ମାନଦଣ୍ଡ ଯାହାକି ଗତ ଡିସେମ୍ବରରେ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଅନୁରୂପ ଏହି ପୁରସ୍କାର ବୋଲି ପ୍ରମୁଖ ସଚିବ କହିଛନ୍ତି । ଉତ୍ତମ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ପୁରସ୍କାର ରାଶି ଘୋଷଣା କରିବେ । ତେବେ ଆଗାମୀ ୩ମାସ ଲାଗି ଏ ସଂକ୍ରାନ୍ତରେ ଟେଲିଫୋନ୍‍ ମାଧ୍ୟମରେ ମତାମତ ସଂଗ୍ରହ ଓ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।

ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ପ୍ରଶାସନର ସହଯୋଗୀ ଭାବେ ଗ୍ରହଣ କରାଯିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟା ବଣ୍ଟନ ହୋଇଥିବାବେଳେ ଖୁବ୍‍ଶୀଘ୍ର ଆଉ ୨୦ହଜାରଙ୍କୁ ଏହି ପଟ୍ଟା ମିଳିବ । ଜମି ଯୋଗାଇବା ସହିତ ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରିବାପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ସକାଶେ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ବର୍ଷକ ମଧ୍ୟରେ ଅତି କମ୍‍ରେ ହଜାରେ ଆଦର୍ଶ କଲୋନି ପ୍ରସ୍ତୁତ ହେବବୋଲି ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ କହିଛନ୍ତି ।

ଅନୁରୂପ ଭାବେ ଭୁବନେଶ୍ୱର ସମେତ କେତେକ ସହରାଞ୍ଚଳରେ କିନ୍ନରମାନଙ୍କୁ ହୋଲଡିଂ ଟିକସ ଓ ପାର୍କିଂ ଫି ଆଦାୟରେ ନିୟୋଜିତ କରାଯାଇଛି । କିନ୍ନରମାନଙ୍କୁ ଅଳ୍ପ କେତେକ ପରମର୍ଶରେ ଏଭଳି କେତେକ କାର୍ଯ୍ୟରେ ନିୟୋଜିତ କରାଯାଇଛି ଯେଉଁଠାରେ ବୈଷୟିକ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ଏମାନଙ୍କ ବ୍ୟତିତ ଠିକାଦାର, ସ୍ୱୟଂସହାୟକ ଗୋଷ୍ଠିଙ୍କୁ ମଧ୍ୟ ସହରାଞ୍ଚଳରେ ଅନ୍ୟ କେତେକ କାର୍ଯ୍ୟରେ ମୁତୟନ କରାଯାଇଛି ।