Home General ବରିଷ୍ଠ ନାଗରିକମାନେ ଅମୂଲ୍ୟ ସମ୍ପଦ

ବରିଷ୍ଠ ନାଗରିକମାନେ ଅମୂଲ୍ୟ ସମ୍ପଦ

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କୁ ସମାଜର ଅମୂଲ୍ୟ ସଂପଦ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କ ପାଖରେ ଅଭିଜ୍ଞତା ଓ ସମସ୍ୟାର ସମାଧାନ ରହିଛି । ସେମାନଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି ।

ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନିକଟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ଚାରିଲକ୍ଷ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯାଇଛି । ସେମାନଙ୍କ ପାଇଁ ଜରାଶ୍ରମ ସହ ବିଭିନ୍ନ ହସ୍‌ପିଟାଲ୍‌ରେ ଜେରିଆଟ୍ରିକ୍‌ ସେଣ୍ଟର, ଫିଜିଓଥେରାପି ସେଣ୍ଟର ପରି ଅନେକ ସୁବିଧା କରାଯାଇଛି । ସେମାନଙ୍କ ପାଇଁ ତୀର୍ଥଯାତ୍ରାର ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତେ ମିଶି ଆମର ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବରିଷ୍ଠ ନାଗରିକମାନଙ୍କୁ ସମାଜର ମଙ୍ଗୁଆଳ ଭାବେ ଅଭିହିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଗୁଣାତ୍ମକ ଜୀବନଚର୍ଯ୍ୟାରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଏହି କ୍ରମରେ ମଧୁବାବୁ ପେନ୍‌ସନ୍‌ ଯୋଜନା, ସମନ୍ୱିତ ଭିତ୍ତିଭୂମି ପରିଷଦ, ଜରାଶ୍ରମ ସମେତ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକ ସଂପର୍କରେ ଆଲୋକପାତ
କରିଥିଲେ ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାରେ ବରିଷ୍ଠ ନାଗରିକମାନେ ଉପଯୁକ୍ତ ପରାମର୍ଶ ଓ ମତାମତ ଦେବା ଉଚିତ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପାଠାଗାରଗୁଡ଼ିକର ପରିଚାଳନାରେ ସେମାନେ ଆପଣା ଅଭିଜ୍ଞତାକୁ ଭିତ୍ତିକରି ଅଂଶଗ୍ରହଣ କରିବା ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ ।

ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର ପି୍ରୟଦର୍ଶୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ବୟସ୍କ ନାଗରିକଙ୍କ ସଂଖ୍ୟା ୨୦ ପ୍ରତିଶତରେ ପହଞ୍ଚିଥିବା ଉଲ୍ଲେଖ କରିବା ସହିତ ସେ ସାଇବର ସଚେତନତା, ପ୍ରତି ଥାନାରେ ରହିଥିବା ବରିଷ୍ଠ ନାଗରିକ ସେଲ୍‌ର କାର୍ଯ୍ୟକାରିତା ଓ ପୁଲିସ୍‌ ହେଲ୍‌ପ ଲାଇନ୍‌ର ଉପଯୋଗିତା ଉପରେ ମତାମତ ରଖିଥିଲେ ।

କାର୍ଯକ୍ରମରେ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ କହିଥିଲେ ଯେ ବୈଷୟିକ ବିଦ୍ୟା ଓ ଚିକିତ୍ସା ବିଜ୍ଞାନର ବିକାଶ ଫଳରେ ବୟସ୍କ ନାଗରିକଙ୍କ ଆୟୁ ବୃଦ୍ଧି ପାଇଛି ଓ ସେମାନଙ୍କ ପାଇଁ ଅଧିକ ସେବା ଓ ସୁରକ୍ଷା ଆବଶ୍ୟକ ହୋଇଛି । ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଇଥିବାବେଳେ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଡାକ୍ତର କୃପାସିନ୍ଧୁ ପଣ୍ଡା ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପକ୍ଷରୁ ସ୍ୱସ୍ଥ୍ୟ ପରୀକ୍ଷା ଶିବିର, ସାଇଟ୍‌ ସେଭର୍ସ ଇଣ୍ଡିଆ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଓ ୟୁଏନ୍‌ଏଫ୍‌ପିଏ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶୁଭମ୍‌ କୁମାର ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ପ୍ରଶାନ୍ତ ପ୍ରଧାନ ସଙ୍କେତିକ ଭାଷାରେ ଅତିଥିମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଇଂ. ମିଲନ୍‌ ଘଟୁଆରୀଙ୍କ ସଂଯୋଜନାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।