Home General ବରିଷ୍ଠ ନାଗରିକଙ୍କୁ ଅବଦାନ ସହୟତା

ବରିଷ୍ଠ ନାଗରିକଙ୍କୁ ଅବଦାନ ସହୟତା

ଭୁବନେଶ୍ୱର : ବରିଷ୍ଠ ନାଗରିକମାନେ ସେମାନଙ୍କ ପରିଣତ ବୟସରେ ଯେଭଳି ସହଜ ଜୀବନ ଯାପନ କରିବେ ସେଥିପାଇଁ ରାଜ୍ୟ ସରକାର ଅବଦାନ ଯୋଜନାରେ ପ୍ରତ୍ୟେକ ଜିଲ୍ଲାକୁ ଏକକାଳୀନ ୫୦,୦୦୦ ଟଙ୍କାର ସହାୟତା ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ପଞ୍ଜିକୃତ ବରିଷ୍ଠ ନାଗରିକ ସ୍ୱୟଂ ସହାୟକ ଗୋଷ୍ଠି, ବୃଦ୍ଧାଶ୍ରମ ଏବଂ ବରିଷ୍ଠ ନାଗରିକ ସଂଗଠନଗୁଡିକୁ ଏକକାଳନୀ ଭାବେ ୫୦ହଜାର ଟଙ୍କା କରି ଯୋଗାଇ ଦିଆଯିବ । ଅନେକ ବରିଷ୍ଠ ନାଗରିକ ସେମାନଙ୍କର ସ୍ୱର ଉତଥାପନ କରିପାରୁ ନଥିବାରୁ ଅତି କଷ୍ଠରେ କାଳାତିପାତ କରୁଛନ୍ତି । ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ତେଣୁ କେତେକ ସଂଗଠନ ଏହି ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ସହାୟତାର ହାତ ବଢାଇଥାନ୍ତି ।

ତେଣୁ ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠିକୁ ସହାୟତା ଲାଗି ସ୍ଥିର ହୋଇଛି । ଏଥିପାଇଁ ବରିଷ୍ଠ ନାଗରିକ ସ୍ୱୟଂ ସହାୟକ ଗୋଷ୍ଠି କିମ୍ବା ସଂଘକୁ ପଞ୍ଜିକରଣ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ଏଭଳି ପଞ୍ଜିକରଣ କରାଯିବା ସହିତ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ତଦନୁଯାୟୀ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଜିକୃତ ବରିଷ୍ଠ ନାଗରିକ ସ୍ୱୟଂ ସହାୟକ ଗୋଷ୍ଠି, ସଂଘ ଏବଂ ସେମାନେ କେଉଁ କେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେବାକୁ ଜିଲ୍ଲାଗୁଡିକୁ କୁହାଯାଇଛି ।

ରାଜ୍ୟ ସରକାର ୨୦୧୭ ମସିହାରେ ବରିଷ୍ଠ ନାଗରିକମାନଙ୍କୁ ସହାୟତା ଲାଗି ଅବଦାନ ଯୋଜନା ଆରମ୍ଭ କରିଥିଲେ । ଏଥିରେ ସେମାନଙ୍କୁ ବାସସ୍ଥଳୀ, ଖାଦ୍ୟ, ଚିକିତ୍ସା ସୁବିଧା ଯୋଗାଇବାର ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧିନରେ ସମ୍ବେଦନଶୀଳ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏପରିକି ବରିଷ୍ଠ ସ୍ୱେଚ୍ଛାସେବୀମାନେ ଯେଭଳି ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ଆଗେଇ ଆସିବେ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । (ତଥ୍ୟ)