Home Administration ବରିଷ୍ଠତା ତାଲିକାରେ ବିଭ୍ରାଟ

ବରିଷ୍ଠତା ତାଲିକାରେ ବିଭ୍ରାଟ

ଭୁବନେଶ୍ୱର : ଜାତିଭିତ୍ତିକ ସଂରକ୍ଷଣ ଆଧାରରେ ଉଚ୍ଚ ପଦବୀରେ ରୋଷ୍ଟର ପଏଣ୍ଟରେ ଖାଲି ପଡ଼ୁଥିବା ଚାକିରିରେ ଆଗୁଆ ପଦୋନ୍ନତି ପାଉଥିବା କର୍ମଚାରୀମାନେ କିନ୍ତୁ ବରିଷ୍ଠତା ତାଲିକାରେ ଉଚ୍ଚରେ ରହିପାରିବେ ନାହିଁ ବୋଲି ସୁପ୍ରିମ୍‍କୋର୍ଟ ଓଡ଼ିଶାର ଅନ୍ୟ ଏକ ମାମଲାରେ ପୁଣି ସ୍ପଷ୍ଟ କରିଦେଇଛନ୍ତି । ଏହାଫଳରେ ବିଭିନ୍ନ ବିଭାଗର ବରିଷ୍ଠତା ତାଲିକା ଓ ପଦୋନ୍ନତି କ୍ଷେତ୍ରରେ ପୁଣି ବ୍ୟାପକ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସମ୍ବିଧାନର ୮୫ତମ ସଂଶୋଧନ ଅନୁଯାୟୀ ବରିଷ୍ଠତା ତାଲିକାରେ ତଳକୁ ଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀମାନେ ରୋଷ୍ଟର ପଏଣ୍ଟ ଆଧାରରେ ଆଗୁଆ ପଦୋନ୍ନତି ପାଇଲେ ସେମାନଙ୍କ ବରିଷ୍ଠତା ପଦୋନ୍ନତି ସମୟରୁ ଗଣାଯିବ ବୋଲି କୁହାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସୁପ୍ରିମ୍‍କୋର୍ଟ ଆଉ କେତେକ ମାମଲାରେ ସ୍ପଷ୍ଟ କରିଦେଇଥିଲେ ଯେ ବରିଷ୍ଠତା ତାଲିକାରେ ତଳେ ଥାଇ ବି ଯେଉଁମାନେ ଜାତିଭିତ୍ତିକ ସଂରକ୍ଷଣ ଆଧାରରେ ଆଗୁଆ ପଦୋନ୍ନତି ପାଉଛନ୍ତି ଅଣସଂରକ୍ଷିତ ବର୍ଗର ସେମାନଙ୍କ ବରିଷ୍ଠମାନେ ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇଲେ ‘କ୍ୟାଚ୍‍ଅପ୍‍’ ନୀତି ଅନୁଯାୟୀ କିନ୍ତୁ ଉପର ପାହ୍ୟାରେ ଆଗୁଆ ପଦୋନ୍ନତି ପାଇଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କଠାରୁ ବରିଷ୍ଠ ଭାବେ ବିବେଚିତ ହେବେ ।

ଏହି ପ୍ରସଙ୍ଗରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୧୫.୦୩.୨୦୦୭ରେ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ପୂର୍ବରୁ ୦୨.୧୧.୨୦୦୦ରେ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ସାଧାରଣ ପ୍ରଶାସନ ବିଭାଗ କେନ୍ଦ୍ର ସରକାରଙ୍କ ଆଉ ଏକ ବିଜ୍ଞପ୍ତି ଆଧାରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପଦୋନ୍ନତି ପରେ ବରିଷ୍ଠତା ପ୍ରସଙ୍ଗରେ ଆଉ ଏକ ସଂକଳ୍ପ ୨୦.୦୩.୨୦୦୨ରେ ଜାରି ହୋଇଥିଲା । ଏହାକୁ କେନ୍ଦ୍ର କରି ଅନେକଗୁଡ଼ିଏ ମାମଲା ବର୍ଷ ବର୍ଷ ଧରି ବିଭିନ୍ନ ଆଇନ୍‍ ଅଦାଲତରେ ଚାଲିଥିଲା ।

ସଂରକ୍ଷଣ ପ୍ରସଙ୍ଗରେ ସାମ୍ବିଧାନିକ ବ୍ୟବସ୍ଥା, ସୁପ୍ରିମ୍‍କୋର୍ଟଙ୍କ ରାୟ, ସଂରକ୍ଷଣ ଆଇନ୍‍ ଆଦି ଆଧାରରେ ଜାତିଭିତ୍ତିକ ପଦୋନ୍ନତି ପାଉଥିବା ସଂରକ୍ଷିତ ବର୍ଗର କର୍ମଚାରୀମାନେ ପଦୋନ୍ନତି ଦିନଠାରୁ ବରିଷ୍ଠ ଭାବେ ବିବେଚିତ ହେବାକୁ ଦାବି କରିଆସୁଛନ୍ତି । ଏ ପ୍ରସଙ୍ଗରେ ସ୍ୟାଟ୍‍ ଓ ହାଇକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ବେଳେ ଆଉ କେତେକ ମାମଲା କିନ୍ତୁ ସୁପ୍ରିମ୍‍କୋର୍ଟରେ ବିଚାରାଧୀନ ଥିଲା ।

ଓଏଏସ୍‍ କ୍ୟାଡରରେ ସଂରକ୍ଷଣଜନିତ ପଦୋନ୍ନତି ଓ ବରିଷ୍ଠତା ପ୍ରସଙ୍ଗକୁ ନେଇ ସୁପ୍ରିମ୍‍କୋର୍ଟରେ ବିଚାରାଧୀନ ଥିବା ଏକ ମାମଲା ନିକଟରେ ଫଇସଲା ହୋଇଛି । ଏଥିରେ ସୁପ୍ରିମ୍‍କୋର୍ଟ ଏମ୍‍. ନାଗରାଜ ସମେତ ଆଉ କେତେକ ମାମଲାର ନଜିର ଦେଇ କ୍ୟାଚ୍‍ଅପ୍‍ ନୀତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ଫଳରେ ଯେଉଁ କେତେକ କ୍ଷେତ୍ରରେ କ୍ୟାଚ୍‍ଅପ୍‍ ନୀତିର ଉଲ୍ଲଙ୍ଘନ କରାଯାଇ ବରିଷ୍ଠତା ତାଲିକା ପ୍ରସ୍ତୁତ ହୋଇଛି ସେଗୁଡ଼ିକରେ ପୁଣି ସଂଶୋଧନ ଆବଶ୍ୟକ ପଡ଼ୁଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ୟାଡର୍‍ରେ ଏଥିଘେନି ତତ୍ପରତା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here