Home Agriculture ବନ୍ଦ ହେବ ପୁରୁଣା ଧାନ ବିହନ

ବନ୍ଦ ହେବ ପୁରୁଣା ଧାନ ବିହନ

ଭୁବନେଶ୍ୱର : ଦୁଇ ଦଶନ୍ଧି ଧରି ରାଜ୍ୟରେ ଚାଷ ହେଉଥିବା ଅନେକ ଧାନ ବିହନର ଉତ୍ପାଦନ ବନ୍ଦହେବ । ରାଜ୍ୟ ସରକାର ଏହି ବିହନ ଉପରେ ଆଉ ସବ୍‍ସିଡ୍‍ ପ୍ରଦାନ କରିବେ ନାହିଁ । ଏହା ବଦଳରେ ଚାଷୀଙ୍କୁ ନୂତନ ବିହନ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

୨୦୨୨-୨୩ ଖରିଫ ଋତୁରୁ ସରକାର ଆଉ ପୁରୁଣା କିସମର ଧାନ ବିହନ ଚାଷୀଙ୍କୁ ଯୋଗାଣ କରିବେ ନାହିଁ । ଏହିସବୁ ଧାନ ବିହନ ମଧ୍ୟରେ ସ୍ୱର୍ଣ୍ଣ, ପୂଜା, ୧୦୦୯, ୧୦୧୮, ଲଲାଟ ୧୦୧୦ ଓ ୧୦୦୧ ଆଦି କିସମ ରହିଛି । ଏହି ବିହନଗୁଡିକ ପ୍ରାୟ ୨୦ବର୍ଷ ଧରି ରାଜ୍ୟରେ ଚାଷ ହୋଇ ଆସୁଛି । ଓଡିଶାର ଜଳବାୟୁ ସହିତ ଖାପ ଖାଇଥିବାରୁ ଚାଷୀମାନେ ଏହି ବିହନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

କିନ୍ତୁ ରାଜ୍ୟ ସରକାର ଏହା ବଦଳରେ ନୂଆ କିସମର ଅଧିକ ଅମଳକ୍ଷମ ବିହନ ଯୋଗାଣ ପାଇଁ ଯୋଜନା କରୁଛନ୍ତି । ବିଶେଷକରି ନୂତନ ଭାବେ ବିକଶିତ ହୋଇଥିବା ଧାନ ବିହନ ଯୋଗାଣ ପାଇଁ ମତପ୍ରକାଶ ପାଉଛି । ସରକାରଙ୍କ ମତରେ ଯେଉଁସବୁ ବିହନଗୁଡିକ ରାଜ୍ୟରେ ଅଧିକ ଦିନ ଧରି ଚାଷ ହେଉଛି ତାହାର ରୋଗପ୍ରତିରୋଧ ଶକ୍ତି ହ୍ରାସ ପାଇବା ସହିତ ଅମଳ ମଧ୍ୟ କମିଯାଉଛି । ତେଣୁ ଏହା ବଦଳାଯିବା ଆବଶ୍ୟକ ।

ତେଣୁ ରାଜ୍ୟରେ ଥିବା ବିହନଚାଷୀମାନଙ୍କୁ ଆଉ ପୁରୁଣା ବିହନର ପିଣ୍ଡ ଓ ପ୍ରମାଣିକ ବିହନ ଉତ୍ପାଦନ ବନ୍ଦ ଲାଗି କୁହାଯିବ । ଏହା ବଦଳରେ ସେମାନଙ୍କୁ ନୂତନ କିସମର ବିହନ ଯୋଗାଇ ଦିଆଯିବ । ତେବେ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଯୋଗାଇଥିବା ସ୍ୱର୍ଣ୍ଣ ସବ୍‍-୧ ଓ ୧୦୦୯ ସବ୍‍ ୱାନ ଭଳି ନୂତନ କିସମର ବିହନ ସେଭଳି ଆଦୃତ ହେଉନାହିଁ । ବର୍ତ୍ତମାନ ରାଜ୍ୟରେ ଯେତେ ଧାନ ଉତ୍ପାଦନ ହେଉଛି ତାହାର ୮୦ ପ୍ରତିଶତ ପୁରୁଣା ବିହନ ଚାଷରୁ ହିଁ ଆସୁଛି । ହେଲେ ରାଜ୍ୟ ସରକାର କିନ୍ତୁ ଆଉ ପୁରୁଣା ବିହନ ଯୋଗାଣ ସପକ୍ଷରେ ନାହାନ୍ତି ।

ସବ୍‍ସିଡ୍‍ ପ୍ରଦାନ ବନ୍ଦ ହୋଇଗଲେ ଚାଷୀଙ୍କୁ ବିହନ କୁଇଣ୍ଟାଲ ପିଛା ପ୍ରାୟ ୨୮୦୦ ଟଙ୍କାରେ ଖରିଦ କରିବାକୁ ପଡିବ । କାରଣ ବର୍ତ୍ତମାନ ଏହା ଉପରେ ସରାକର ୧୦୦୦ ଟଙ୍କାର ସବ୍‍ସିଡ୍‍ ପ୍ରଦାନ କରୁଛନ୍ତି । ସେହିଭଳି ପିଣ୍ଡ ବିହନ ଯୋଗାଣ ବନ୍ଦ ହୋଇଗଲେ ବିହନ ଯୋଗାଣ ଚେନ୍‍ରୁ ଏହି ପୁରୁଣା କିସମ ଗୁଡିକ ବାଦ୍‍ ପଡିଯିବ ।

ତେବେ ଚାଷୀମାନେ ହଠାତ୍‍ ନୂଆ କିସମର ବିହନକୁ ଗ୍ରହଣ କରିପାରୁନଥିବାରୁ ତାହାକୁ ଆଖିଆଗରେ ରଖି କିଛି କିସମର ପୁରୁଣା ବିହନ ଯୋଗାଣ ଜାରି ରଖିବାପାଇଁ ମତପ୍ରକାଶ ପାଉଛି । ସରକାର ଯଦି ପ୍ରକ୍ରିୟାକୃତ ପୁରୁଣା ବିହନ ଯୋଗାଣ ବନ୍ଦ କରିଦେବେ ତେବେ ଚାଷୀମାନେ ନିମ୍ନମାନର ବିହନ ଆଣି ଚାଷ କରିବେ ଓ ଏହାଦ୍ୱାରା ଉତ୍ପାଦନ ହ୍ରାସ ପାଇବ ବୋଲି କିଛି ଅଗ୍ରଣୀ ଚାଷୀ ମତ ଦେଉଛନ୍ତି । ତେଣୁ ବିହନ ଉତ୍ପାଦନ ଓ ସବ୍‍ସିଡ୍‍ ବନ୍ଦ କରିବା ପୂର୍ବରୁ ଚାଷୀମାନଙ୍କ ରାୟ ନେବାପାଇଁ ମତପ୍ରକାଶ ପାଉଛି ।