Home Health ବନ୍ଦ ପାର୍କ ଏବେ ଡେଙ୍ଗୁ ମଶା ପ୍ରଜନନ କେନ୍ଦ୍ର

ବନ୍ଦ ପାର୍କ ଏବେ ଡେଙ୍ଗୁ ମଶା ପ୍ରଜନନ କେନ୍ଦ୍ର

ଭୁବନେଶ୍ୱର : କରୋନା ଆତଙ୍କ କମିନଥିବାବେଳେ ରାଜଧାନୀ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ଯେଭଳି ବଢି ଚାଲିଛି ତାହା ସାଧାରଣ ଲୋକଙ୍କ ପାଇଁ ଆତଙ୍କର କାରଣ ହେଲାଣି ।

କରୋନା ବୃଦ୍ଧି ପାଇଁ ଅମାନିଆମାନଙ୍କୁ ଦାୟୀ କରାଯାଉଥିବାବେଳେ ସେମାନଙ୍କୁ ରୋକିବାରେ ପୁଲିସ୍‍ ଓ ପ୍ରଶାସନକଳ ଏକ ପ୍ରକାର ବ୍ୟର୍ଥ ହେଉଛନ୍ତି । କରୋନାର ପ୍ରଥମ ଲହରବେଳେ ଗତବର୍ଷ କଡା କାର୍ଯ୍ୟାନୁଷ୍ଠାନ ଭୟରେ ଅମାନିଆମାନେ କଟକଣା ଉଲ୍ଲଙ୍ଘନ କରିବାକୁ ସାହସ କରୁନଥିଲେ । ଏବେ କିନ୍ତୁ ପରିସ୍ଥିତି ଠିକ୍‍ ଓଲଟା ।

ଡେଙ୍ଗୁ ଏକ ମଶା ବାହକ ରୋଗ । ସ୍ମାର୍ଟସିଟି ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ପାଣି ଜମି ରହୁଥିବା ଏବଂ ଅଳିଆ ଆବର୍ଜନା ନିୟମିତ ସଫାହେଉ ନଥିବାରୁ ଏହା ଡେଙ୍ଗୁ ବଢାଉଥିବା ଏଡିସ୍‍ ମଶାଙ୍କ ବଂଶବୃଦ୍ଧିରେ ସହାୟକ ହେଉଛି । ଏବେ ଜଣାପଡିଛି ଯେ ରାଜଧାନୀରେ ବନ୍ଦହୋଇ ରହିଥିବା କେତେକ ପାର୍କର ଡଷ୍ଟବିନ୍‍ରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ସହ ପଚା ପାଣି ଜମି ରହୁଥିବାରୁ ଏହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି ।

ଏହାର ଅନୁଧ୍ୟାନ କରୁଥିବା ଏକ ବିଶେଷଜ୍ଞଦଳ ନିକଟରେ ବଦ୍ଧପାର୍କ ଭିତରେ ମାଳ ମାଳ ଏଡିସ୍‍ ମଶାଙ୍କୁ ଡଷ୍ଟବିନ୍‍ର ଠାବ କରିଛନ୍ତି । କେବଳ ବୁଦ୍ଧପାର୍କ ନୁହେଁ, ଅନ୍ୟ ବହୁ ପାର୍କରେ ବି ଏଭଳି ସମସ୍ୟା ଲାଗି ରହୁଥିାରୁ ଡଷ୍ଟବିନ୍‍ଗୁଡିକୁ ଓଲଟା କରି ରଖିବାକୁ କୁହାଯାଇଛି ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଗତ ଶୀତ ଓ ଗ୍ରୀଷ୍ମଋତୁରେ ନାଳ ନର୍ଦ୍ଦମାଗୁଡିକୁ ଯେଭଳି ସଫା କିରବାକଥା ତାହା କରିପାରି ନାହାନ୍ତି । ଏହାଛଡା ସ୍ମାର୍ଟସିଟି ପ୍ରକଳ୍ପରେ ଚାଲିଥିବା ନିତିଦିନିଆ ଭଙ୍ଗାଗଢା କାମ ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହୁଛି । ଅଳିଆ ଆବର୍ଜନା ଉଠାଇବା କ୍ଷେତ୍ରରେ ବେଶ୍‍ କିଛିଦିନ ଧରି ଢିଲା ପଣ ଦେଖାଯାଉଛି ।

ସ୍ପର୍ଶ ହସ୍ପିଟାଲ ଓ ବାଣୀବିହାର ଛକ ମଝିରେ କୁଢ କୁଢ ଆବର୍ଜନା ମାସାଧିକକାଳ ଧରି ଗଦାହୋଇ ରହିବା ଫଳରେ ଏଠାରେ ବି ଏଡିସ୍‍ ମଶାଙ୍କ ପ୍ରାର୍ଦୁଭାବ ଦେଖାଦେଉଛି । ରବିଟକିଜ୍‍ରୁ ଟଙ୍କପାଣି ଯାଇଥିବା ମୁଖ୍ୟ ରାସ୍ତା କଡରେ ବାସୁଆଘାଇ ପଞ୍ଚାୟତ ଅର୍ନ୍ତଭୁକ୍ତ ଅଞ୍ଚଳରେ ବର୍ଷା ଛାଡିବାର ୪/୫ଦିନ ପରେ ବି ପାଣି ଶୁଖୁନାହିଁ ।

ବିଶେଷକରି ଜଗନ୍ନାଥ ମନ୍ଦିର କଡରେ ଥିବା କଲୋନୀବାସୀ କହୁଛନ୍ତି ଯେ ଏଠାରେ ଏଡିସ୍‍ ମଶା ଚାଷକୁ ବୋଧହୁଏ ପ୍ରୋତ୍ସାହିତ କରାଯାଉଛି । ଏହି ଅଞ୍ଚଳ ବିଏମ୍‍ସି ପରିସରଭୁକ୍ତ ନୁହେଁ ବୋଲି ପୌରସଂସ୍ଥା ହାତଟେକି ଦେଉଥିବାବେଳେ ପଞ୍ଚାୟତପାଣ୍ଠିରେ ପାଣି ସଫା କରିବାପାଇଁ ଅର୍ଥନାହିଁ ବୋଲି ରୋକ୍‍ଠୋକ୍‍ ଶୁଣାଇ ଦିଆଯାଉଛି ।

ଶିଶୁପାଳଗଡ ଅଞ୍ଚଳରେ ବି ଅନୁରୂପ ସମସ୍ୟା । ରସୁଲଗଡ, ଚକେଇସିଆଣି, ଲକ୍ଷ୍ମୀସାଗର, ଝାରପଡା, ବରଗଡ, ବିଜେବିନଗର, ନୂଆପଲ୍ଲୀ, ନିଳାଦ୍ରୀବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରେ ମଧ୍ୟ ପାଣି ଜମି ରହିବା ଓ ଠିକଣା ଭାବେ ସଫେଇ ନହେବା କାରଣରୁ ମଶାବଂଶ ଯେଭଳି ବ୍ୟାପୁଛି ତାହା ଡେଙ୍ଗୁ ସମସ୍ୟାକୁ ଅଧିକ ବିଗାଡିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଏ ପରିପ୍ରେକ୍ଷୀରେ ବିଭିନ୍ନ ସଂସ୍ଥା ମଧ୍ୟରେ ସହଯୋଗ ରକ୍ଷାକରି ଯୁଦ୍ଧକାଳୀନ ଭିତ୍ତିରେ କାମ କରାନଗଲେ ଭୁବନେଶ୍ୱର ଓ ତାହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ପ୍ରାର୍ଦୁଭାବ ଅଧିକ ହୋଇପାରେ । (ତଥ୍ୟ)