Home General ବନ୍ଦର ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା

ବନ୍ଦର ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା

ଭୁବନେଶ୍ୱର : ବାତ୍ୟା ପ୍ରବଣ ଓଡିଶା ଉପକୂଳରେ ଥିବା ତିନିଟି ବନ୍ଦର ପାରାଦୀପ୍‍, ଧାମରା ଓ ଗୋପାଳପୁର ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହୋଇଛି । ଗତବର୍ଷ ଫେବୃଆରୀ ମାସରେ ଭାରତୀୟ ଜାହାଜ ଚଳାଚଳ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ପାରାଦୀପ୍‍ ବନ୍ଦରର ପ୍ରତି ଥିବା ବିପଦର ଆକଳନ କରାଯାଇଥିବା କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସଂସଦରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ପାରାଦୀପ୍‍ ବନ୍ଦର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମ୍‍ପି) ଅନୁଯାୟୀ ସାଜ ସରଞ୍ଜାମ ସହିତ ବାତ୍ୟା ମୁକାବିଲା ସହିତ ତୈଳ ଲିକ୍‍ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଛୋଟ ଛୋଟ ବନ୍ଦରଗୁଡିକ ଓଡିଶା ସରକାରଙ୍କ ନିୟନ୍ତ୍ରଣ ଭିତରେ ରହୁଛି । ବର୍ତ୍ତମାନ ଦୁଇଟି ଅଣବୃହତ୍‍ ବନ୍ଦର ଧାମରା ଓ ଗୋପାଳପୁର ରାଜ୍ୟରେ କାର୍ଯ୍ୟକ୍ଷମ ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଧାମରା ବନ୍ଦର ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହିତ ଗୋଟିଏ ବିପର୍ଯ୍ୟୟ ପରିଚାଳନା ଟିମ୍‍ ରହିଛି ଯେଉଁଥିରେ ବନ୍ଦରରେ ବିପର୍ଯ୍ୟୟ ମୁକାବିଲା ସହିତ ବନ୍ଦର ସୁରକ୍ଷା ପାଇଁ ମାନବସମ୍ବଳ ଓ ସାଜ ସରଞ୍ଜାମ ଆଦି ମହଜୁଦ ଅଛି । ଅନୁରପୂ ଭାବେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ବିପର୍ଯ୍ୟୟରୁ ବନ୍ଦରକୁ ସୁରକ୍ଷା ଦେବାପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ବର୍ଥର ସୁରକ୍ଷା ଏବଂ ବନ୍ଦର ମଧ୍ୟରେ ଜଳପ୍ରବେଶ ସଂକ୍ରାନ୍ତରେ ଅନୁଧ୍ୟାନ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଭାରତ ସରକାର ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ପାରାଦୀପ୍‍ ବନ୍ଦର ପାଇଁ ରିଲିଫ୍‍ ଓ ପୁନଃନିର୍ମାଣ ସକାଶେ ୬୮.୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବନ୍ଦର ନିର୍ମାଣ ଯୋଗୁଁ ଉପକୂଳ ଓଡିଶାରେ ଉପୁଜୁଥିବା ସ୍ଥିତିର ଅନୁଧ୍ୟାନ ସଂକ୍ରାନ୍ତରେ ସେ କହିଛନ୍ତି ଯେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ୨୦୧୧ରେ ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ଏହି ରିପୋର୍ଟରେ ଓଡିଶା ଉପକୂଳରେ ମୃତ୍ତିକା କ୍ଷୟ ଉପକୂଳ ସମ୍ପ୍ରସାରଣ ସଂକ୍ରାନ୍ତରେ ଆକଳନ କରାଯାଇଛି । ଏହାଛଡା ବନ୍ଦରଗୁଡିକର ଦୀର୍ଘସ୍ଥାୟୀ ବିକାଶ ପାଇଁ ‘ମାରିଟାଇମ୍‍ ଇଣ୍ଡିଆ ଭିଜନ ୨୦୩୦ ପ୍ରକାଶ ପାଇଛି ଯେଉଁଥିରେ ବନ୍ଦର ବିକାଶ ସମୟରେ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ଜ୍ଞାନକୌଶଳ ଆପଣେଇବା ଉଲ୍ଲେଖ ଥିବା ମନ୍ତ୍ରୀ କହିଛନ୍ତି । (ତଥ୍ୟ)