Home Administration ବଦଳି ଆଦେଶକୁ ମାନୁ ନାହାନ୍ତି କର୍ମଚାରୀ

ବଦଳି ଆଦେଶକୁ ମାନୁ ନାହାନ୍ତି କର୍ମଚାରୀ

ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନେ ଖୋଦ ଗୃହ ବିଭାଗର ବଦଳି ଆଦେଶକୁ ଖାତିର କରୁନାହାନ୍ତି । କିଛି କର୍ମଚାରୀଙ୍କୁ ସେମାନଙ୍କ ବିଭାଗରୁ ବଦଳି ପାଇଁ ଗୃହ ବିଭାଗ ବାରମ୍ବାର ନିର୍ଦ୍ଦେଶ ଦେବାପରେ ତାହା କାର୍ଯ୍ୟାକାରୀ ନହେବାରୁ ଗତ ମାସରେ ୬ଜଣ କର୍ମଚାରୀଙ୍କୁ ବାଧ୍ୟତାମୂଳକ ବଦଳି କରିଥିଲେ । ଏପରିକି ନିର୍ଦ୍ଦେଶନାମା ବାହାରିବା ପରେ ଏହାକୁ ସେମାନଙ୍କ ବଦଳି ଭାବେ ଧରି ନିଆଯିବ ବୋଲି ମଧ୍ୟ କୁହାଯାଇଥିଲା ।

ହେଲେ ଏହା ସତ୍ୱେ ବି ଏମାନଙ୍କ ମଧ୍ୟରୁ ୪ଜଣ କର୍ମଚାରୀ ନିଜ ନିଜ ବିଭାଗ ଛାଡୁ ନାହାନ୍ତି । ଏମାନଙ୍କ ବିରୁଦ୍ଧରେ ଗୃହ ବିଭାଗ କି ପଦକ୍ଷେପ ଗ୍ରହଣ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ମିଳିଥିବା ସୂଚନା ଅନୁଯାୟୀ ଗତମାସ ୨୨ ତାରିଖରେ ଗୃହ ବିଭାଗ ଏକ ବଦଳି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ତାଲିକାରେ ୪ଜଣ ଡେସ୍କ ଅଫିସର ଓ ଦୁଇ ଜଣ ସେକ୍ସନ ଅଫିସରଙ୍କ ନାଁ ଥିଲା ।

ଡେସ୍କ ଅଫିସରମାନଙ୍କ ମଧ୍ୟରୁ ପୂର୍ତ୍ତ ବିଭାଗର ଦୁଇ ଅଧିକାରୀଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅବକାରୀ ବିଭାଗକୁ ବଦଳି ହୋଇଥିବାବେଳେ ଅବକାରୀ ବିଭାଗର ଡେସ୍କ ଅଫିସରଙ୍କର ପୂର୍ତ୍ତ ବିଭାଗକୁ ଓ ପରିବହନ ବିଭାଗର ଅନ୍ୟଜଣେ ଡେସ୍କ ଅଫିସରଙ୍କର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗକୁ ବଦଳି ହୋଇଥିଲା ।

ସେହିଭଳି ଶକ୍ତି ବିଭାଗରେ କାର୍ଯ୍ୟରତ ଜଣେ ସେକ୍ସନ ଅଫିସରଙ୍କର ବଦଳି ସୂଚନା ଓ ଲୋକସମ୍ପର୍କ ବିଭାଗକୁ ହୋଇଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଥିବା ଅନ୍ୟଜଣେ ସେକ୍ସନ ଅଫିସରଙ୍କ ବଦଳି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗକୁ ହୋଇଥିଲା ।

ଏହି କର୍ମଚାରୀମାନଙ୍କ ମଧ୍ୟରୁ କେତେକ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହିବା ଓ ଆଉ କେତେକଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ଗୃହ ବିଭାଗ ପକ୍ଷରୁ ସେମାନଙ୍କ ବଦଳି ପାଇଁ ବାରମ୍ବାର କୁହାଯାଇଥିଲା । ଏମାନେ କର୍ଣ୍ଣପାତ ନକରିବାପରେ ଶେଷରେ ଗତମାସରେ ଚରମବାଣୀ ଗୃହ ବିଭାଗ ଶୁଣାଇଥିଲେ ।

ଏହାପରେ ବି ଦୁଇ ଜଣ ସେକ୍ସନ ଅଫିସରଙ୍କୁ ଛାଡିଦେଲେ ଅନ୍ୟମାନେ ନିଜ ନିଜ ଆସ୍ଥାନ ଛାଡିନଥିବା ଜଣାଯାଇଛି । ଗୃହ ବିଭାଗର ନିର୍ଦ୍ଦେଶକୁ ଅଣଦେଖା କରୁଥିବା ଏହି ବାବୁମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଉଲ୍ଲେଖନୀୟ ଯେ ଲୋକସେବାଭବନରେ ପ୍ରଶାସନକୁ ଚଳଚଞ୍ଚଳ କରିବାପାଇଁ ୨୦୧୭ ମସିହାରେ ଆନ୍ତଃ ବିଭାଗୀୟ ବଦଳି ନୀତି ପ୍ରସ୍ତୁତ ହୋଇଥିଲା । ତଦନୁଯାୟୀ ଜଣେ କର୍ମଚାରୀ ଗୋଟିଏ ବିଭାଗରେ ସର୍ବାଧିକ ୧୦ବର୍ଷ ଓ ଗୋଟିଏ ଶାଖାରେ ସର୍ବାଧିକ ୩ବର୍ଷ କାର୍ଯ୍ୟ କରିପାରିବେ । ଏହା ପରେ ତାଙ୍କର ନିଶ୍ଚିତ ଭାବେ ବଦଳି ହେବ ।

ତେବେ ସୂଚନା ଅନୁଯାୟୀ ଗୃହ ବିଭାଗର ଏହି ବଦଳି ତାଲିକାରେ ଥିବା କିଛି ବାବୁ ୧୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ବିଭାଗରେ ରହିଛନ୍ତି । ଗୋଟିଏ ଶାଖାରେ ବି ୬/୭ବର୍ଷ ଧରି କାର୍ଯ୍ୟ କରିସାରିଲେଣି । ଏହା ସତ୍ୱେ ବି ଗୃହ ବିଭାଗର ବଦଳି ନିର୍ଦ୍ଦେଶକୁ ଅଣଦେଖା କରି ଏମାନେ କାହିଁକି ବିଭାଗ ଛାଡୁ ନାହାନ୍ତି ତାହା ଏବେ ଲୋକସେବାଭବନରେ ଚର୍ଚ୍ଚାର ବିଷୟ ପାଲଟିଛି । (ତଥ୍ୟ)