Home Education ବଦଳିଲା ସ୍କୁଲ ସମୟ

ବଦଳିଲା ସ୍କୁଲ ସମୟ

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟରେ ପାଠପଢା ସମୟରେ ପରିବର୍ତ୍ତନ କରିଛନ୍ତି । ମଇ ୨ତାରିଖ ଠାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ପୂର୍ବରୁ ରାଜ୍ୟ ସରକାର ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢିବାପାଇଁ ସମୟ ଧାର୍ଯ୍ୟ କରିଥିଲେ । ତେବେ ରାଜ୍ୟରେ ଗ୍ରୀଷ୍ମପ୍ରଦାହକୁ ଦେଖି ୨୬ତାରିକରୁ ବିଦ୍ୟାଳୟ ଛୁଟି ରଖିଥିଲେ । କେବଳ ବିଦ୍ୟାଳୟ ନୁହେଁ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ବି ପ୍ରବଳ ଖରା ପାଇଁ ବନ୍ଦ ରହିଛି ।

ତେବେ ରାଜ୍ୟରେ ସ୍କୁଲଗୁଡିକୁ ମଇ ଦୁଇ ତାରିଖରୁ ଖୋଲିବାପାଇଁ ସରକାର ନିଷ୍ପତ୍ତି ନେବା ସହିତ ପାଠପଢା ସମୟକୁ ହ୍ରାସ କରିଛନ୍ତି । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢା ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ସମୟରେ ପାଠ ପଢିବେ ।

ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ ହେବନାହିଁ । ବର୍ତ୍ତମାନ ଯେଭଳି ଭାବେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି ତାହା ଜାରି ରହିବ ।

ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଲାଗୁ ହେଉଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଯେଉଁ କେତେକ ଶିକ୍ଷାନୁଷ୍ଠାନ ଦୁଇ ସିପ୍ଟରେ ପିଲାଙ୍କୁ ପଠାଉଛନ୍ତି ସେମାନେ କ’ଣ କରିବେ ତାହାକୁ ଅଭିଭାବକମାନେ ଅପେକ୍ଷା କରିଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାରୀ ବିଦ୍ୟାଳୟଗୁଡିକରେ ଖରାଛୁଟିକୁ କର୍ତ୍ତୃପକ୍ଷ ୧୧ଦିନକୁ ହ୍ରାସ କରିବା ନେଇ ପୂର୍ବରୁ ଘୋଷଣା କରିଛନ୍ତି । ଜୁନ୍‍ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବ । ତେବେ ବେସରକାରୀ ବିଦ୍ୟାଳୟଗୁଡିକ କେତେ ଦିନ ଖରାଛୁଟି କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।