Home Culture ବଣ୍ଡା ଓ ଦିଦାୟୀଙ୍କ ସହ ଭାବ ବିନିମୟ

ବଣ୍ଡା ଓ ଦିଦାୟୀଙ୍କ ସହ ଭାବ ବିନିମୟ

ଭୁବନେଶ୍ୱର :  ରାଜ୍ୟପାଳଙ୍କ ଆମନ୍ତ୍ରଣକ୍ରମେ ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ପ୍ରତିନିଧିମାନେ ରାଜଭବନ ପରିଭ୍ରମଣରେ ଆସିଥିଲେ । ରାଜଭବନରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସେମାନଙ୍କ ସହ ଭାବ ବିନିମୟ କରିବା ସହ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।

ବଣ୍ଡା ଓ ଦିଦାୟୀ ଅନୁସୂଚିତ ଜନଜାତିର ପ୍ରତିନିଧିମାନେ ସେମାନଙ୍କର ବିଭିନ୍ନ ଅଭାବ , ଅସୁବିଧା, ଆଶା ଓ ଆକାଙ୍‍କ୍ଷା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟପାଳ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ। ରାଜ୍ୟପାଳ କହିଲେ ଯେ ଆଦିବାସୀମାନେ ହେଉଛନ୍ତି ଆଦିମାତାଙ୍କର ପ୍ରଥମ ସନ୍ତାନ । ସେମାନଙ୍କର ବିକାଶ ଆମର କାମ୍ୟ ।

ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରୁଛନ୍ତି । ଏହାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । ସେମାନଙ୍କର ସମସ୍ୟା ସମାଧାନ ଦିଗରେ ସେ ବ୍ୟକ୍ତିଗତ ଭାବରେ ପ୍ରୟାସ କରିବେ ବୋଲି ରାଜ୍ୟପାଳ ପ୍ରଫେସର୍‍ ଲାଲ ସେମାନଙ୍କୁ କହିଥିଲେ ।

ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।