Home Election ବଣ୍ଟା ହେଉଛି ବେନାମୀ ପ୍ରଚାରପତ୍ର

ବଣ୍ଟା ହେଉଛି ବେନାମୀ ପ୍ରଚାରପତ୍ର

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ ବେନାମୀ ପ୍ରଚାର ସାମଗ୍ରୀ କିନ୍ତୁ ହାଉ ଯାଉ ହେଉଛି । ବିଶେଷକରି କିଛି ନିର୍ଦ୍ଦିଷ୍ଟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଅପପ୍ରଚାର ସହ ବେନାମୀ ପ୍ରଚାରପତ୍ର ବି ବଣ୍ଟାଯାଉଛି ।

ଆଇନାନୁଯାୟୀ ପ୍ରଚାରପତ୍ରରେ ପ୍ରକାଶକ ଓ ମୁଦ୍ରାକରଙ୍କ ନାମ ସହିତ ଛପେଇର ପରିମାଣ ଉଲ୍ଲେଖ ରହିବାକଥା ଏବଂ ସମ୍ପୃକ୍ତ ଛାପାଖାନା, ପ୍ରକାଶକ ଓ ପ୍ରାର୍ଥୀଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ଛପେଇ ସାମଗ୍ରୀର ପ୍ରତିଲିପି ମଧ୍ୟ ଦାଖଲ କରାଯାଇଥାଏ । ଏହାର ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । କିନ୍ତୁ ଏବେ ବିଭିନ୍ନ ପ୍ରାର୍ଥୀଙ୍କ ବିରୁଦ୍ଧରେ ବେନାମୀ ପ୍ରଚାରପତ୍ର ଛପାଇ ଖବରକାଗଜ ହକରମାନଙ୍କ ମାଧ୍ୟମରେ ଘରେ ଘରେ ପହଞ୍ଚାଯାଉଛି । ଏହାକୁ ନିୟନ୍ତ୍ରଣ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏଭଳି ବେଆଇନ୍‍ ପ୍ରଚାର ସାମଗ୍ରୀର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି ।

ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ଲଢୁଥିବା ପ୍ରାର୍ଥୀମାନଙ୍କ ଭିତରୁ ଦୁଇ ଜଣଙ୍କ ବିରୁଦ୍ଧରେ ଏଭଳି ବେନାମୀ ପ୍ରଚାରପତ୍ର ଆଜି ସକାଳୁ ଖବରକାଗଜ ହକରମାନଙ୍କ ଜରିଆରେ ଘରେ ଘରେ ପହଞ୍ଚାଯାଇଛି । ଏଭଳି ଏକ ବେଆଇନ୍‍ ପ୍ରଚାରପତ୍ରରେ ଜଣେ ସାଂସଦ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଯାଇଥିବାବେଳେ ଅନ୍ୟଜଣେ ସାଂସଦ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ବୈବାହିକ ଜୀବନ ସଂକ୍ରାନ୍ତରେ ଅନେକ କଥା ଉଲ୍ଲେଖ କରାଯାଇଛି । କିନ୍ତୁ ଏ ସଂକ୍ରାନ୍ତରେ କେହି ଆଇନ୍‍ଗତ ପଦକ୍ଷେପ ଗ୍ରହଣ କରିନଥିବା ଜଣାଯାଇଛି ।

ସେହିଭଳି ଖୋରଧା ଜିଲ୍ଲାର ଅନ୍ୟଜଣେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ସଭା ମଞ୍ଚରୁ ଦଳୀୟ ନେତା ବାହାର କରିଦେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଆଉ କେତେକ ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ସେହିଭଳି ମିଛ ସତ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏବେ ଘରେ ଘରେ ସ୍ମାର୍ଟଫୋନ୍‍ ବ୍ୟବହାର କରାଯାଉଥିବା ପରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଫେସ୍‍ବୁକ୍‍, ହ୍ୱାଟସ୍‍ଆପ୍‍ ଆଦି ସାମାଜିକ ଗଣମାଧ୍ୟମକୁ ବ୍ୟାପକ ଭାବେ ବ୍ୟବହାର ଓ ଅପବ୍ୟବହାର କରାଯାଉଛି ।

ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଏଥିଲାଗି ସ୍ୱତନ୍ତ୍ର ସେଲ୍‍ ଖୋଲିଛନ୍ତି ଏବଂ ବିଶେଷଜ୍ଞମାନଙ୍କ ସହାୟତାରେ ମୋଟା ଅଙ୍କର ଅର୍ଥ ବ୍ୟୟ କରି ନିଜ ସପକ୍ଷରେ ଓ ପ୍ରତିଦ୍ୱନ୍ଦିମାନଙ୍କ ବିପକ୍ଷରେ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡୁଛନ୍ତି । ତୃତୀୟ ପର୍ଯ୍ୟାୟ ର୍ନିବାଚନ ପୂର୍ବରୁ ଏଭଳି ଅନେକ ଆପତ୍ତିଜନକ ପ୍ରଚାର ସାମଗ୍ରୀ ଦୃଶ୍ୟମାନ ହେଉଥିବାବେଳେ ଶେଷ ପର୍ଯ୍ୟାୟ ବେଳକୁ ଏହି ମାତ୍ରା ଢେର ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ସ୍ୱାଧୀନତା ପ୍ରାପ୍ତିପରେ ହୋଇଥିବା ପ୍ରଥମ ତିନିଟି ନିର୍ବାଚନବେଳେ ପ୍ରଚାରପତ୍ର ଓ ଭାଷଣରେ ପ୍ରତିପକ୍ଷଙ୍କ ସଂକ୍ରାନ୍ତରେ ପ୍ରତିକୂଳ ବକ୍ତବ୍ୟ ରଖାଯାଇଥିବା ପରିପ୍ରେକ୍ଷୀରେ ନିର୍ବାଚନୀ ମାମଲାମାନ ରୁଜୁ କରାଯାଇ କେତେକ କ୍ଷେତ୍ରରେ ବିଜିତ ପ୍ରାର୍ଥୀଙ୍କ ନିର୍ବାଚନକୁ ମଧ୍ୟ ଆଇନ୍‍ ଅଦାଲତ ଓଡିଶାରେ ବାତିଲ କରିଥିବାର ନଜିର ରହିଛି । ଖୋରଧାରୁ ଉମରକୋଟ୍‍ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସେତେବେଳେ ଅପପ୍ରଚାରକୁ ଆଧାର କରି ନିର୍ବାଚନୀ ମାମଲା ରୁଜୁ ହେଉଥିଲା । କିନ୍ତୁ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ଓ ତାରକା ପ୍ରଚାରକମାନେ ଘୃଣା, ବିଦ୍ୱେଷ ସୃଷ୍ଟି କରିବା ଭଳି ଆରୋପ ପ୍ରତ୍ୟାରୋପ ଖୋଲାଖୋଲି ଭାବେ କରୁଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ତାଗିଦ ସତ୍ୱେ ତାହା ଥମିବାର ନାଁ ଧରୁନି । (ତଥ୍ୟ)