Home Finance ବଢୁନି ଏଟିଏମ୍‍ ସଂଖ୍ୟା

ବଢୁନି ଏଟିଏମ୍‍ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ବ୍ୟାଙ୍କ୍‍ ଆକାଉଣ୍ଟଧାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ବ୍ୟାଙ୍କ୍‍ ଶାଖା କିମ୍ବା ଏଟିଏମ୍‍ ସଂଖ୍ୟା ବୃଦ୍ଧି ପାଉନାହିଁ । ଏହା ଫଳରେ ରାଜ୍ୟର ଗାଁ ଗହଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ବ୍ୟାଙ୍କ୍‍ସେବା ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ୫୨୯୩ଟି ବ୍ୟାଙ୍କ୍‍ଶାଖା ଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୫୫୪୮ରେ ପହଞ୍ଚିଛି । ଏହି ଦୁଇବର୍ଷ ମଧ୍ୟରେ ମାତ୍ର ୨୫୫ଟି ନୂଆ ବ୍ୟାଙ୍କ୍‍ ଶାଖା ଖୋଲିଛି । ସେହିଭଳି ୨୦୧୯ ମାର୍ଚ୍ଚ ଶେଷସୁଦ୍ଧା ରାଜ୍ୟରେ ୬୭୫୧ଟି ଏଟିଏମ୍‍ ମେସିନ ଥିବାବେଳେ ଚଳିତବର୍ଷ ଶେଷ ସୁଦ୍ଧା ତାହା ୬୯୯୭ରେ ପହଞ୍ଚିଛି । ଯଦିଓ ଏଟିଏମ୍‍ ମେସିନ ସଂଖ୍ୟା ବଢିଛି କିନ୍ତୁ ଜନସଂଖ୍ୟା ଅନୁପାତରେ ଏହା ମାତ୍ର ଏକ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି ।

୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୩ଟି ବ୍ୟାଙ୍କ୍‍ ଶାଖା ଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସେହି ହାର ଅପରିବର୍ତ୍ତିତ ରହିଛି । ତେବେ ଏଟିଏମ୍‍ ମେସିନ କ୍ଷେତ୍ରରେ ଏକ ପ୍ରତିଶତ ବୃଦ୍ଧି ବୃଦ୍ଧି ପାଇଛି । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ପ୍ରତି ଏକଲକ୍ଷ ଲୋକଙ୍କ ପାଇଁ ହାରାହାରି ୧୬ଟି ଏଟିଏମ୍‍ ମେସିନ ଥିବାବେଳେ ଚଳିତବର୍ଷ ତାହା ୧୭କୁ ବୃଦ୍ଧି ପାଇଛି । ସେହିଭଳି ବ୍ୟାଙ୍କିଂ କରସପେଣ୍ଡେଣ୍ଟ (ବିସି) ପଏଣ୍ଟ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଆଖିଦୃଶିଆ ଅଭିବୃଦ୍ଧି ହୋଇନାହିଁ ।

ଅନ୍ୟ ପକ୍ଷରେ ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା କାର୍ଯ୍ୟକାରୀ ହେବାପରେ ଲୋକେ ନୂଆ ଆକାଉଣ୍ଟ ଖୋଲିବାରେ ଲାଗିଛନ୍ତି । ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ରାଜ୍ୟରେ ଏହି ଯୋଜନାରେ ଖୋଲିଥିବା ଆକାଉଣ୍ଟ ସଂଖ୍ୟା ଏକ ଲକ୍ଷ ୭୩ ହଜାରକୁ ଟପିଥିବାବେଳେ ୬୬୪୧କୋଟି ଟଙ୍କା ଜମା ହୋଇଗଲାଣି । ଏହି ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୫୪,୪୯୫ ଜଣଙ୍କୁ ଓଭରଡ୍ରାଫ୍ଟ ସୁବିଧା ଦିଆଯାଇଛି । ସେହିଭଳି ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୭,୧୧,୮୫୪ ଆକାଉଣ୍ଟ ଓ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ରେ ୭୯,୩୪,୪୭୪ ଆକାଉଣ୍ଟ ଖୋଲିଛି ।

କେବଳ ଆକାଉଣ୍ଟ ସଂଖ୍ୟା ବୃଦ୍ଧି ନୁହେଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ପାଇଁ ବ୍ୟାଙ୍କ୍‍ ଆକାଉଣ୍ଟ ଆବଶ୍ୟକ ହେଉଛି । ମହିଳାଙ୍କୁ ମମତା ଯୋଜନାରେ ସହାୟତା ହେଉ କିମ୍ବା ଚାଷୀଙ୍କୁ ବିହନ ବାବଦ ସବ୍‍ସିଡ୍‍ ସବୁରି ପାଇଁ ବ୍ୟାଙ୍କ୍‍ ଆକାଉଣ୍ଟ ଓ କାରବାର ଜରୁରୀ ହୋଇପଡୁଛି ।

ତେବେ ଜନସଂଖ୍ୟା ତୁଳନାରେ ବିଶେଷକରି ଗାଁ ଗହଳରେ ବ୍ୟାଙ୍କ୍‍ମାନେ ଶାଖା ଖୋଲିବାକୁ କିମ୍ବା ଏଟିଏମ୍‍ ବସାଇବାକୁ ଆଗ୍ରହ ଦେଖାଉନଥିବାରୁ ଲୋକେ ହୀନସ୍ତା ହେଉଛନ୍ତି । ମନେରଗା ଯୋଜନାର ମଜୁରୀ ପାଇବାକୁ ଲୋକଙ୍କୁ ଦିନଟିଏ କାମ ବନ୍ଦକରି ଘରଠାରୁ ଦୂରରେ ଥିବା ବ୍ୟାଙ୍କ୍‍କୁ ଯିବାକୁ ପଡୁଛି । ହେଲେ ଗାଁ ଗହଳରେ ବ୍ୟାଙ୍କ୍‍ ଶାଖା ଖୋଲିବାକୁ ବ୍ୟାଙ୍କଗୁଡିକୁ ଯେତେ କୁହାଗଲେ ବି ସେମାନେ ସେମାନେ ଏଥିପ୍ରତି ନଜର ଦେଉନାହାନ୍ତି । (ତଥ୍ୟ)