ଭୁବନେଶ୍ୱର : ଶୀତର ପ୍ରକୋପରେ ସାରା ଓଡ଼ିଶା ଥରୁଥିବାବେଳେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଉଷ୍ମତା କିନ୍ତୁ ବାତାବରଣକୁ ସରଗରମ କରୁଛି । ଏବେ ଓଡ଼ିଶାରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଏକପ୍ରକାର ନିର୍ବାଚନ ପାଇଁ ସମରସଜ୍ଜା ଚାଲିଥିବା ଭଳି ମନେ ହେଉଛି ।

ପ୍ରାୟ ପ୍ରତିଦିନ ରାଜ୍ୟର କୋଣଅନୁକୋଣରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ନବୀନ ନିବାସ ସମ୍ମୁଖରେ ଭିଡ଼ ହେଉଛି । ‘୫-ଟି’ ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ୍‍ ଗଞ୍ଜାମ ଜିଲ୍ଲାରୁ ତାଙ୍କର ରାଜ୍ୟଗସ୍ତ ଆରମ୍ଭ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଜିଲ୍ଲାରୁ ତାଙ୍କ ରାଜ୍ୟଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷ ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହିତ ଉଦ୍‍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚଳାଇଛନ୍ତି । ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ରାଜ୍ୟ ସରକାରଙ୍କ ମୋଟା ଅଙ୍କର ଅନୁଦାନରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଥିବାବେଳେ ଏଥିରେ ମନ୍ତ୍ରୀଙ୍କ ସମେତ ବିଜେଡିର ସାଂସଦ, ବିଧାୟକ ଓ ଅନ୍ୟ ନେତାମାନଙ୍କୁ ଦେଖିବାକୁ ମିଳୁଛି । କେତେକ ସ୍ଥଳରେ ବିଜେଡି ନେତାମାନଙ୍କୁ ଇଣ୍ଡିଆ ମେଣ୍ଟ ଓ ବିଜେପି ସମର୍ଥକମାନେ ବିରୋଧ କରିବାକୁ ବାହାରୁଥିବାରୁ ଅନେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜୁଛି ।

ସଂସଦର ଶୀତ ଅଧିବେଶନ କାଳରେ ଇଣ୍ଡିଆ ମେଣ୍ଟର ଜଣେ ସାଂସଦଙ୍କ ସଭ୍ୟପଦ ରଦ୍ଦ କରାଯିବା ସହିତ ଆଉ ୧୪୬ଜଣଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେଇ କଂଗ୍ରେସ ସହିତ ତାହାର ସହଯୋଗୀ ଦଳମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ପ୍ରସଙ୍ଗ ପଞ୍ଚାୟତସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଉଠିବ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଳାଇଛି । ଏଥିସହ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ ବିଷୋଦ୍‍ଗାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ନେଇ ମଧ୍ୟ ପ୍ରଚାର ପ୍ରସାର ଚଳାଉଛି । ଏମିତିକି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଏବଂ ରାସ୍ତାଘାଟରେ ପ୍ରଧାନମନ୍ତ୍ରୀଙ୍କ ରଙ୍ଗୀନ ଫଟୋ ସହିତ ବିଭିନ୍ନ ଯୋଜନାର ଚିତ୍ର ଲଗାଇ ବିକଶିତ ଭାରତ ନାମରେ ରଥଯାତ୍ରା କରୁଛି । ବିଜେପି ବିଜେଡିକୁ ଦୋଷ ଦେଉଥିବାବେଳେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଅବହେଳା କଥା ଉଠାଉଛି । ବିଜେଡିର ପ୍ରତିଷ୍ଠା ଦିବସ ଚଳିତମାସ ଶେଷ ସପ୍ତାହରେ ରାଜ୍ୟବ୍ୟାପୀ ପାଳିତ ହେବାକୁ ଥିବାବେଳେ ଏହାକୁ ନେଇ ବି ରାଜନୈତିକ ବାତାବରଣ ସରଗରମ ହେଉଛି ।

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବାବେଳେ ଏଥିରୁ ରାଜ୍ୟ ବିଜେପି ଓ ତାର ସହଯୋଗୀ ସଂଗଠନମାନେ ଲାଭ ଉଠାଇବା ପାଇଁ ପ୍ରଚାର ପ୍ରସାରରେ ମାତିଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‍ଘାଟନ ପାଇଁ ଜାନୁଆରୀ ୧୭ରୁ ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ବିଜେଡି ସରକାରଙ୍କ ଅନ୍ୟତମ ସଫଳତା ବୋଲି କୁହାଯାଉଥିବାବେଳେ ବିଜେପି ଓ କଂଗ୍ରେସ ରତ୍ନଭଣ୍ଡାର ଖୋଲିବା ଏବଂ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଛନ୍ତି ।

ଏହାଛଡ଼ା ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ନିର୍ବାଚନ ମଣ୍ଡଳୀରୁ କେଉଁ ଦଳର କିଏ ପ୍ରାର୍ଥୀ ହେବେ ଏବଂ ବର୍ତ୍ତମାନର ସାଂସଦ ଓ ବିଧାୟକଙ୍କ ମଧ୍ୟରୁ କେଉଁମାନଙ୍କୁ ବାଦ୍‍ ଦିଆଯିବ ସେଥିଘେନି ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଆଲୋଚନା ଚାଲିଥିବାବେଳେ ଟିକେଟ କଟିବା ଆଶଙ୍କାରେ ଥିବା ନେତାମାନେ ନିଜ ସୁରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଟିକେଟ ଆଶାୟୀ ଅଛନ୍ତି ସେମାନେ ବି ନିର୍ବାଚନମଣ୍ଡଳୀରେ ଜନସମ୍ପର୍କଠାରୁ ଆରମ୍ଭ କରି ରାଜଧାନୀରେ ନେତା ଓ ଧନ ସମ୍ପର୍କ କାମରେ ବ୍ୟସ୍ତ ଅଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ଏଥର ସାରା ଓଡ଼ିଶାରେ ଆଶାୟୀ ପ୍ରାର୍ଥୀ ଓ ଦଳମାନଙ୍କର ପୋଷ୍ଟର, ବ୍ୟାନର, ତୋରଣ ଆଦି ନୂଆବର୍ଷ ପାଳନ ଅବସରରେ ସାରା ରାଜ୍ୟରେ ଛାଇ ହେବାକୁ ଯାଉଛି । ବସ୍ତୁତଃ ହାଡଥରା ଜାଡ଼ରେ ଲୋକେ ଥରୁଥିବାବେଳେ ନେତାମାନେ କିନ୍ତୁ ବେଶ୍‍ ସରଗରମ୍‍ ଥିବା ମନେ ହେଉଛି । (ତଥ୍ୟ)