Home General ବଢୁଛି ତମ୍ବାର ଚାହିଦା

ବଢୁଛି ତମ୍ବାର ଚାହିଦା

ଭୁବନେଶ୍ୱର : ବିଦ୍ୟୁତ୍‍ ଚାଳିତ ଯାନ (ଇଭି)ର ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ବିରଳ ଖଣିଜ ଦ୍ରବ୍ୟ ବିଶେଷକରି ତମ୍ବାର ଚାହିଦା ବଢିବାରେ ଲାଗିଛି । ଏଥିଯୋଗୁଁ ସମଗ୍ର ଦେଶରେ ଏବେ ତମ୍ବା ଜାତୀୟ ଖଣିଜ ପଦାର୍ଥର ଖନନ ଉପରେ ଗୁରୁତ୍ୱ ଦିଆଯାଉଛି ।

କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଜାତୀୟ ଖଣିଜ ସୂଚୀ (ଏନଏମଆଇ) ଅନୁଯାୟୀ ୨୦୧୫ ରେ ସମଗ୍ର ଦେଶରେ ୧୫୧୧ ନିୟୁତ ଟନ ତମ୍ବା ଜାତୀୟ ଖଣିଜ ପଦାର୍ଥ ମହଜୁଦ ରହିଥିଲା ଯେଉଁଥିରେ ତମ୍ବାର ପରିମାଣ ପ୍ରାୟ ୧୨,୧୫୮ ହଜାର ଟନ ଥିଲା । ତେବେ ୨୦୨୦ରୁ ଆକଳନ ଅନୁଯାୟୀ ଦେଶରେ ତମ୍ବା ଜାତୀୟ ଖଣିଜ ପଦାର୍ଥର ଗଚ୍ଛିତ ପରିମାଣ ୧୬୬୧ ନିୟୁତ ଟନ୍‍ ଥିବାବେଳେ ଏଥିରେ ୧୨,୯୧୭ ଟନ୍‍ ତମ୍ବା ଧାତୁ ରହିଥିଲା ।

ତେବେ ଭାରତ ସରକାର ‘ମେକ ଇନ୍‍ ଇଣ୍ଡିଆ’ ସ୍ମାର୍ଟ ସିଟି, ଆତ୍ମ ନିର୍ଭର ଭାରତ, ୧୦୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ, ଇଲେକଟ୍ରୋନିକ ଶିଳ୍ପ ପାଇଁ ପିଏଲ୍‍ଆଇ ଯୋଜନା ଭଳି କାର୍ଯ୍ୟକ୍ରମ ହାତକୁ ନେବା ଫଳରେ ତମ୍ବା ଭଳି ବିରଳ ଧାତୁର ବ୍ୟବହାର ବଢିବାର ଆଶା କରାଯାଉଛି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଇଭି ଯାନର ଉତ୍ପାଦନ । ଏ କ୍ଷେତ୍ରରେ ତମ୍ବା ଭଳି ଧାତୁର ବ୍ୟବହାର ବହୁଳ ହେବାରେ ଲାଗିଛି ।

ଭାରତରେ ତମ୍ବା ଉତ୍ତୋଳନ କ୍ଷେତ୍ରରେ ଏକମାତ୍ର ସଂସ୍ଥା ହେଉଛି ହିନ୍ଦୁସ୍ଥାନ କପର ଲିମିଟେଡ (ଏଚ୍‍ସିଏଲ୍‍) । ଦେଶରେ ତମ୍ବାର ଚାହିଦା ବୃଦ୍ଧି ପାଉଥିବାରୁ ୨୦୨୮-୨୯ ସୁଦ୍ଧା ବାର୍ଷିକ ୧୨ ନିୟୁତ ଟନ୍‍ ତମ୍ବା ଉତ୍ପାଦନ ପାଇଁ ଏଚସିଏଲ୍‍ ଲକ୍ଷ୍ୟଧାର୍ଯ୍ୟ କରିଛି । ବର୍ତ୍ତମାନ ଏହି ରାଷ୍ଟ୍ରାୟତ ସଂସ୍ଥା ବାର୍ଷିକ ମାତ୍ର ୪ ନିଯୁତ ଟନ୍‍ ତମ୍ବା ଉତ୍ପାଦନ କରୁଥିବା ଜଣାଯାଇଛି ।

ତେବେ ତମ୍ବା ଉତ୍ପାଦନ ବୃଦ୍ଧି ଲାଗି ଏଚସିଏଲ୍‍ ସର୍ବୋତ୍କୃଷ୍ଟ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିଛି । ଏଥି ମଧ୍ୟରେ ମାଟି ତଳେ ଥିବା ତମ୍ବା ପରିମାଣର ଅନୁଧ୍ୟାନ ଲାଗି ଜିଓଫିଜିକାଲ ଅନୁଧ୍ୟାନ ବ୍ୟବସ୍ଥା, ଡ୍ରୋନ ସର୍ଭେ, ପେଷ୍ଟ ଫିଲ୍‍ ଜ୍ଞାନକୌଶଳ କରାଯାଉଛି । ଏହି କାମରେ ଜିଏସ୍‍ଆଇ, ଏମ୍‍ଇସିଏଲ୍‍, ଏଏମଡିଇଆର ସହିତ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ କେତେକ ସଂସ୍ଥା ବି ନିୟୋଜିତ ଅଛନ୍ତି ।

ତେବେ ଦେଶ ମେକ ଇନ୍‍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାରେ ବିଭିନ୍ନ କ୍ଷେତ୍ର ବିଶେଷକରି ଇଲେକଟ୍ରୋନିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଜୋରଦାର ଉଦ୍ୟମ କରୁଛି । ଏହି ଶିଳ୍ପ ପାଇଁ ତମ୍ବା ବହୁଳ ଆବଶ୍ୟକତା ଥିବାରୁ ଦେଶରେ ଥିବା ତମ୍ବା ଖଣିଗୁଡିକରୁ ଅଧିକରୁ ଅଧିକପରିମାଣରେ ଖନନ ଉପରେ ଜୋର ଦିଆଯାଉଛି । ୨୦୨୮-୨୯ ସୁଦ୍ଧା ତମ୍ବା ଉତ୍ପାଦନ ପାଇଁ ଦିଆଯାଇଥିବା ଧାର୍ଯ୍ୟଲକ୍ଷ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି । (ତଥ୍ୟ)