Home Finance ବଢିଚାଲିଛି ଅଣଟିକସ ରାଜସ୍ୱ ଆଦାୟ

ବଢିଚାଲିଛି ଅଣଟିକସ ରାଜସ୍ୱ ଆଦାୟ

ଭୁବନେଶ୍ୱର : ରାଜ୍ୟରେ ଅଣଟିକସ ରାଜସ୍ୱ ଆଦାୟ ଲଗାତାର ତିନିବର୍ଷ ଧରି ବୃଦ୍ଧି ପାଇବାରେ ଲାଗିଛି । ୨୦୧୯-୨୦ ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଏହି ଟିକସ ରାଜସ୍ୱ ବାବଦରେ ରାଜ୍ୟ ସରକାର ୮୮,୪୨୨.୦୭ କୋଟି ଟଙ୍କା ଆଦାୟ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ତିନିବର୍ଷ ଧରି ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ପରିମାଣର ଟିକସ ଆଦାୟ ହେଉଛି । ୨୦୧୯-୨୦ ରେ ୧୨,୫୦୦ କୋଟିର ଟିକସ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଆଦାୟ ହୋଇଥିଲା । ସେହିଭଳି ୨୦୨୦-୨୧ ବର୍ଷରେ ୧୭,୬୦୦ ଧାର୍ଯ୍ୟଲକ୍ଷ୍ୟ ବଦଳରେ ଆଦାୟ ହୋଇଥିଲା ୧୯,୫୨୮.୦୬ କୋଟି ଟଙ୍କା । ଅନୁରୂପ ଭାବେ ୨୦୨୧-୨୨ ବର୍ଷରେ ୨୦ହଜାର କୋଟି ଟଙ୍କାର ନିଜସ୍ୱ ଅଣଟିକସ ଆଦାୟ ପାଇଁ ଲକ୍ଷ୍ୟ ଥିବାବେଳେ ରାଜକୋଷକୁ ଆସିଥିଲା ୫୪,୨୬୬.୮୧ କୋଟି ଟଙ୍କା ।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯-୨୦ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୧୭.୧୮ ପ୍ରତିଶତ ଅଧିକ ଟିକସ ଆଦାୟ ହୋଇଥିବାବେଳେ ୨୦୨୦-୨୧ ରେ ୧୧୦.୫୮ ପ୍ରତିଶତ ଏବଂ ଗତ ଆର୍ଥିକ ବର୍ଷରେ ଏହା ୨୭୧.୨୮ ପ୍ରତିଶତ ଅଧିକ ଥିଲା ।

ଅଣଟିକସ ରାଜସ୍ୱ ବୃଦ୍ଧିରେ ପ୍ରମୁଖ ଯୋଗଦାନ ଖଣିଜ କ୍ଷେତ୍ରର ରହିଛି । ରାଜ୍ୟ ସରକାର ଠିକଣା ପଦକ୍ଷେପ ନେଇ ଖଣିଗୁଡିକୁ ନିଲାମ କରିବା ଫଳରେ ଗତ ତିନିବର୍ଷ ଧରି ଅଣଟିକସ ରାଜସ୍ୱ ଆଦାୟ ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିଯାଉଛି । ୨୦୧୯-୨୦ ବର୍ଷରେ ଖଣି ଓ ଖଣିଜ କ୍ଷେତ୍ରରୁ ୯୦୦୦ କୋଟିର ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧୧,୦୨୦.୦୨ କୋଟି ଟଙ୍କାର ଟିକସ ମିଳିଥିଲା ।

ସେହିଭଳି ୨୦୨୦-୨୧ରେ ୧୨,୫୦୦ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ୧୩,୭୯୧.୭୨ କୋଟିର ରାଜସ୍ୱ ଆଦାୟ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ୧୩,୭୦୦ କୋଟିର ଧାର୍ଯ୍ୟଲକ୍ଷ୍ୟ ସ୍ଥାନରେ ରାଜକୋଷକୁ ୪୮,୬୪୨.୦୨ କୋଟି ଟଙ୍କା ଆସିଥିଲା । ଏହି ତିନି ବର୍ଷରେ ଖଣି ଓ ଖଣିଜ କ୍ଷେତ୍ରରୁ ଧାର୍ଯ୍ୟଲକ୍ଷ୍ୟ ତୁଳନାରେ ଯଥାକ୍ରମେ ୧୨୨.୪୪ ପ୍ରତିଶତ, ୧୧୦.୩୩ ପ୍ରତିଶତ ଓ ୩୫୫.୦୫ ପ୍ରତିଶତ ଅଧିକ ଟିକସ ମିଳିଥିଲା ।

ରାଜ୍ୟ ସରକାର ଅଧିକ ଅଣଟିକସ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବା ସହିତ ନୂତନ ଖଣିଗୁଡିକୁ ଲିଜ୍‍ ପ୍ରଦାନ, ବ୍ୟାଙ୍କ୍‍ରେ ପଡି ରହିଥିବା ସମ୍ବଳର ବିନିଯୋଗ ଏବଂ ଦୀର୍ଘ ସମୟଧରି ଗଡୁଥିବା ରାଜସ୍ୱ ମାମଲାଗୁଡିକର ଏକକାଳୀନ ବୁଝାମଣା ଭିତ୍ତିରେ ରଫାଦଫା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି । (ତଥ୍ୟ)