Home General ବଜ୍ରପାତ ନେଲାଣି ୯୭୨ ଜୀବନ

ବଜ୍ରପାତ ନେଲାଣି ୯୭୨ ଜୀବନ

ଭୁବନେଶ୍ୱର : ବଜ୍ରପାତ ଏବେ ନୂଆ ବିପତ୍ତି ଭାବେ ଉଭା ହୋଇ ଏକାଧିକ ଜୀବନ ନେଉଥିବାବେଳେ ଏଥିରୁ ଲୋକଙ୍କୁ ରକ୍ଷା କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ବଜ୍ରପାତରେ ଆମ ରାଜ୍ୟରେ ଗତ ତିନିବର୍ଷ ମଧ୍ୟରେ ୯୭୨ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ଜଣ ଗୁରୁତର ଆହତ ହୋଇଛନ୍ତି ।

ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ବଜ୍ରପାତରେ ୯୭୧ଜଣଙ୍କ ଜୀବନ ଯାଇଛି । ଏଥି ମଧ୍ୟରେ ୨୦୧୯-୨୦ ବର୍ଷରେ ସର୍ବାଧିକ ୩୫୭ଜଣ ବଜ୍ରପାତରେ ମରିଥିବାବେଳେ ୨୦୧୮-୧୯ରେ ୩୪୦ଜଣ ଓ ୨୦୨୦-୨୧ ବର୍ଷରେ ୨୭୪ଜଣ ପ୍ରାଣ ହରାଇଛନ୍ତି । ତେବେ ବଜ୍ରପାତ ମୃତ୍ୟୁ କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ଏହି ତିନିବର୍ଷରେ ସବୁଠାରୁ ଆଗରେ ରହିଥିବାବେଳେ ସବୁଠାରୁ କମ୍‍ ଗଜପତି ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି ।

ତିନିବର୍ଷରେ ମୃତ୍ୟୁବରଣ କରିଥିବା ୯୭୧ଜଣଙ୍କ ମଧ୍ୟରୁ ମୟୁରଭଞ୍ଜରେ ସର୍ବାଧିକ ୯୮ଜଣ ଥିବାବେଳେ ଗଞ୍ଜାମରେ ୭୫, କେନ୍ଦୁଝରରେ ୭୧, ବାଲୋ୍‍ବରରେ ୬୩, ସୁନ୍ଦରଗଡରେ ୫୨, ନବରଙ୍ଗପୁରରେ ୪୭, ବରଗଡ ଓ କୋରାପୁଟରେ ୪୧ଜଣ କରି ପ୍ରାଣ ହରାଇଛନ୍ତି । ଗଜପତିରେ ସବୁଠାରୁ କମ୍‍ ମାତ୍ର ୬ଜଣ ଏହି ସମୟରେ ବ୍ରଜପାତର ଶିକାର ହୋଇଥିବାବେଳେ ବୌଦ୍ଧରେ ଏହା ୭ ରହିଛି । ଅନ୍ୟ ସମସ୍ତ ଜିଲ୍ଲା ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ୨ଅଙ୍କ ରହିଛି ।

ସେହିଭଳି ଏହି ତିନିବର୍ଷରେ ବଜ୍ରପାତରେ ୫୦ଜଣ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ସର୍ବାଧବକ ୧୧ଜଣ ମୟୁରଭଞ୍ଜ ଜିଲ୍ଲାରେ ରହିଛନ୍ତି । କୋରାପୁଟରେ ୭ଜଣ ଆହତ ହୋଇଥିବାବେଳେ ଝାରସୁଗୁଡାରେ ଏହି ସଂଖ୍ୟା ୪ ରହିଛି ।

ତେବେ ବଜ୍ରପାତରୁ ଲୋକଙ୍କୁ ରକ୍ଷା କରିବାଲାଗି ରାଜ୍ୟ ସରକାର କେନ୍ଦୁଝର, ବଲାଙ୍ଗିର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲି ଠାରେ ବଜ୍ରପାତ ସୂଚନା ଦେଇପାରୁଥିବା ସେନ୍ସର ବସାଇଛନ୍ତି । ଏହାଦ୍ୱାରା ୨୦୦ରୁ ୨୫୦ କିଲୋମିଟର ମଧ୍ୟରେ ବଜ୍ରପାତର ଆଗୁଆ ସୂଚନା ମିଳିପାରୁଛି ।

ଏହାଛଡା ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡରେ ଲାଗିଥିବା ସେନ୍ସର ଦ୍ୱାରା ମଧ୍ୟରେ ଆମ ରାଜ୍ୟର ବଜ୍ରପାତ ସଂକ୍ରାନ୍ତରେ ସୂଚନା ମିଳୁଛି । ଏହି ସେନ୍ସର ଜରିଆରେ ବଜ୍ରପାତ ହେବାର ୩୦/୪୦ ମିନିଟ୍‍ ପୂର୍ବରୁ ଆଗୁଆ ସୂଚନା ମିଳୁଥିବାବେଳେ ଲୋକଙ୍କୁ ଏ ନେଇ ସତର୍କ କରାଯାଉଛି ।

ଏଥିପାଇଁ ୧୪ଟି ସ୍ଥାନରେ ଲାଗିଥିବା ଆଉଟଡୋର ଆଲର୍ଟ ବ୍ୟବସ୍ଥାରେ ବଜ୍ରପାତ ଓ ଘୂର୍ଣ୍ଣିଝଡର ୩୦/୪୦ ମିନିଟ୍‍ ପୂର୍ବରୁ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଉଛି । ଏତେ ସବୁ ସତ୍ୱେ ବି ଗାଁ ଗହଳର ଅନେକ ଲୋକ ବିଶେଷକରି ଗରିବ ମଜୁରିଆ ଶ୍ରେଣୀର ଲୋକେ ବଜ୍ରପାତର ଶିକାର ହୋଇଯାଉଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here