Home Finance ବଜେଟ୍‍ ଅର୍ଥ ଖର୍ଚ୍ଚ ପାଇଁ ନିର୍ଦ୍ଦେଶନାମା

ବଜେଟ୍‍ ଅର୍ଥ ଖର୍ଚ୍ଚ ପାଇଁ ନିର୍ଦ୍ଦେଶନାମା

ଭୁବନେଶ୍ୱର : ଚିହ୍ନଟ ହୋଇଥିବା ଅଗ୍ରାଧିକାର କ୍ଷେତ୍ରରେ ଅର୍ଥ ଖର୍ଚ୍ଚକୁ ପ୍ରାଥମିକତା ଦେବାପାଇଁ ରାଜ୍ୟ ସରକାର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଅତିରିକ୍ତ ବଜେଟରେ ପ୍ରାୟ ୨୦ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ସେଥିପାଇଁ ଅଗ୍ରାଧିକାର କ୍ଷେତ୍ରରେ ଖର୍ଚ୍ଚକୁ ତ୍ୱରାନ୍ୱିତ ପାଇଁ ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିବାବେଳେ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଅଗ୍ରାଧିକାର କ୍ଷେତ୍ରଗୁଡିକ ପାଇଁ ଅଧିକ ପାଣ୍ଠି ବରାଦ ହୋଇଥିବାବେଳେ କେନ୍ଦ୍ରୀୟ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାପାଇଁ ଏଥିରେ ବ୍ୟୟକୁ ତ୍ୱରାନ୍ୱିତ କରିବାକୁ ଅର୍ଥ ବିଭାଗ ପ୍ରାଥମିକତା ଦେଇଥିବା ଜଣାଯାଇଛି ।

ପୁଞ୍ଜି ସମ୍ପତ୍ତି ସୃଷ୍ଟି, ସାମାଜିକ କ୍ଷେତ୍ର, ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ, ଶୂନ ବିନିଯୋଗ ଅଧୀନରେ ପ୍ରକଳ୍ପ ସମାପ୍ତି ପାଇଁ ପ୍ରଦାନ କରାଯାଇଥିବା ପାଣ୍ଠି ଏବଂ ଆରଆଇଡିଏଫ, ଇଏପି ଏବଂ ଅନ୍ୟାନ୍ୟ ଉତ୍ସ ପାଇଁ ପ୍ରଦାନ କରାଯାଇଥିବା ପାଣ୍ଠିର ବ୍ୟୟକୁ ତ୍ୱରାନ୍ୱିତ କରିବାକୁ ବିଭାଗଗୁଡିକ କୁହାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଓଡିଶା କଣ୍ଟିଜେନ୍ସି ପାଣ୍ଠିରୁ ଅଗ୍ରୀମ ପୁନରୁଦ୍ଧାର ପାଇଁ ବ୍ୟବସ୍ଥାକୁ ବାଦ ଦେଇ ଅତିରିକ୍ତ ବ୍ୟବସ୍ଥା ସହିତ ମୋଟ ଆବଣ୍ଟନ ୩୧ ଡିସେମ୍ବର, ୨୦୨୧ ସୁଦ୍ଧା ଟ୍ରେଜେରୀ ପୋର୍ଟାଲ ଜରିଆରେ ଡିଡିଓ ଅଧିକାରୀଙ୍କ ମାଧ୍ୟମରେ ବଣ୍ଟନ କରାଯିବା ଉଚିତ ।

ବ୍ୟବସ୍ଥା ହୋଇଥିବା ପାଣ୍ଠି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବ୍ୟୟ କରାଯିବା ଆବଶ୍ୟକ । ଆର୍ଥିକ ବର୍ଷର ଶେଷ ବେଳକୁ ଯେଭଳି ଟଙ୍କା ବଳକା ନରୁହେ ସେଥିପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏହା ଫଳରେ ବିଭାଗମାନେ ଟଙ୍କା ଫେରସ୍ତ ଆର୍ଥିକବର୍ଷ ଶେଷ ବେଳକୁ ଫେରସ୍ତ କରିବାର ଅବକାଶ ଉପୁଯିବ ନାହିଁ ।

ଶେଷ ମୁହୂର୍ତ୍ତର ଭିଡ଼କୁ ଏଡାଇବା ପାଇଁ, ବିଭାଗଗୁଡିକ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୯, ୨୦୨୨ ପୂର୍ବରୁ ଟ୍ରେଜେରୀକୁ ବିଲ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଅନ୍ୟ କଣ୍ଟିଜେନ୍ସି, ଯନ୍ତ୍ରପାତି, ଯାନ, ଅଂଶଧନ ପୁଞ୍ଜି, ସବସିଡି ଏବଂ ଋଣ ଅନୁଯାୟୀ ଦାବି ପାଇଁ ମାର୍ଚ୍ଚ ୧୫ ସୁଦ୍ଧା ବିଲ୍‍ ଦାଖଲ ପାଇଁ କୁହାଯାଇଛି ।

ଅତିରିକ୍ତ ବଜେଟ୍‍ ଅର୍ଥର ପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଉପଯୋଗ ପାଇଁ ପଦକ୍ଷେପ ନିଆଯିବା ଉଚିତ କାରଣ ଅତିରିକ୍ତ ବଜେଟ୍‍ରୁ କୌଣସି ଅର୍ଥ ଫେରିଲେ ତାହା ଅଡିଟ୍‍ ଦ୍ୱାରା ପ୍ରତିକୂଳ ମନ୍ତବ୍ୟକୁ ଆମନ୍ତ୍ରଣ କରିବ । ବଜେଟ୍ ପାଣ୍ଠି କୌଣସି ପରିସ୍ଥିତିରେ ସିଭିଲ୍ ଜମାକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ଅର୍ଥ ବିଭାଗ ଚେତାବନୀ ଦେଇଛି । (ତଥ୍ୟ)