Home General ବଜେଟ୍‍ ଅଧିବେଶନ ଶେଷ

ବଜେଟ୍‍ ଅଧିବେଶନ ଶେଷ

ଭୁବନେଶ୍ୱର : ଦୁଇ ପର୍ଯ୍ୟାୟରେ ବସିଥିବା ଚଳିତ ବିଧାନସଭାର ବଜେଟ୍‍ ଅଧିବେଶନ ଆଜି ଶେଷ ହୋଇଛି । ମୋଟ୍‍ ୨୬ଦିନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୨୦୨୧-୨୨ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‍ ଗୃହର ଅନୁମୋଦନ ଲାଭ କରିଛି ।

ତେବେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ତୈଳ ଦରବୃଦ୍ଧି, ଗୃହ ଭିତରେ ବିଜେପି ବିଧାୟକଙ୍କ ଆତ୍ମହୂତି ଉଦ୍ୟମ ଆଦି ପ୍ରସଙ୍ଗକୁ ନେଇ ଗୃହକାର୍ଯ୍ୟ ବ୍ୟାହତ ହୋଇଥିବାବେଳେ ସ୍ଥିତି ସୁଧାରିବାକୁ ଯାଇ ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ଅଧିବେଶନର ଶେଷ ଦିନରେ ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣା ଘଟିବା ସହିତ ବାଚସ୍ପତି ତିନି ବିଧାୟକଙ୍କୁ ନିଲମ୍ବନ କରିବା ଥିବା ଅନ୍ୟତମ ପ୍ରସଙ୍ଗ ।

ଚଳିତ ଅଧିବେଶନ କାଳରେ ସଦସ୍ୟମାନଙ୍କ ଠାରୁ ୨୦୭୨ ଟି ତାରକା ପ୍ରଶ୍ନ ଗ୍ରହଣ କରାଯାଇଥିବାବେଳେ ୪୪ଟି ପ୍ରଶ୍ନ ଆଲୋଚନା ପରିସରକୁ ଆସିଥିଲା । ସେହିଭଳି ୨୯୯୭ଟି ଅଣତାରକା ପ୍ରଶ୍ନ ଆସିଥିବାବେଳେ ୩୮୩୦ଟି ଅଣତାରକା ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ପ୍ରଦାନ କରିଥିଲେ ।

୨୬ଦିନର ବୈଠକ ମଧ୍ୟରେ ମାତ୍ର ୫ଟି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ହଟଗୋଳ ଯୋଗୁଁ ଅଧିକାଂଶ ଦିନ ମୁଲତବି ପ୍ରସ୍ତାବ ଆଲୋଚନା ହୋଇପାରିନଥିବାବେଳେ ଶେଷ ଦିନରେ କଂଗ୍ରେସ ପକ୍ଷରୁ ଖଣି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବାରୁ ତାହାକୁ ନେଇ ଦୀର୍ଘ ସମୟ ଧରି ଗୃହରେ ହଟଗୋଳ ଓ କଥା କଟାକଟି ଲାଗି ରହିଥିଲା ।

ଚଳିତ ବଜେଟ୍‍ ଅଧିବେଶନ କାଳରେ ୮୭ଟି କାଗଜ ଉପସ୍ଥାପିତ ହୋଇଥିବାବେଳେ ମନ୍ତ୍ରୀମାନେ ୯ଟି ବିବୃତ୍ତି ରଖିଥିଲେ । ୬ଟି ବାର୍ଷିକ ରପୋର୍ଟ, ୪୪ଟି କମିଟି ରିପୋର୍ଟ, ୧୦ଟି ସରକାରୀ ବିଲ୍‍ ଉପସ୍ଥାପିତ ହୋଇଥିଲା । ତେବେ ଏହି ସମୟରେ ୯ଟି ବିଲ୍‍ ଓ ୩ଟି ସଙ୍କଳ୍ପ ପାରିତ ହୋଇଥିଲା ।

ବଜେଟ ଅଧିବେଶନ କାଳରେ ମାତ୍ର ୮ଟି ବିଭାଗର ଖର୍ଚ୍ଚଦାବି ଉପରେ ସଦସ୍ୟମାନେ ଆଲୋଚନା କରିଥିଲେ । ହଟ୍ଟଗୋଳ ଯୋଗୁଁ ଅଧିକାଂଶ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‍ ଦ୍ୱାରା ପାରିତ ହୋଇଥିଲା ।