Home General ବଜାରରେ ଭେଜାଲ ପୂଜା ସାମଗ୍ରୀ

ବଜାରରେ ଭେଜାଲ ପୂଜା ସାମଗ୍ରୀ

ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଲ୍ୟ ସହ ମହାପ୍ରସାଦ ଏବଂ ଭୁବନେଶ୍ୱରର ଶ୍ରୀଅନନ୍ତ ବାସୁଦେବ ମନ୍ଦିରର ଅବଢା ଅନ୍‍ଲାଇନରେ ବିକ୍ରି ହେଉଥିବା ଘେନି ଆପତ୍ତି ଉଠାଇ ପୁଲିସ୍‍ ନିକଟରେ ଅଭିଯୋଗ ଦରଜ ହେଉଥିବାବେଳେ ସମଗ୍ର ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନରେ ନକଲି ପୂଜା ସାମଗ୍ରୀ ବ୍ୟାପକ ଭାବେ ବିକ୍ରି ହେଉଥିଲେ ମଧ୍ୟ ତାହାର ପ୍ରତିକାର କୌଣସି ମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଦେବତ୍ତୋର ବିଭାଗ, ଆଇନ୍‍ ବିଭାଗ କିମ୍ବା ପୁଲିସ୍‍ ପ୍ରଶାସନ କରୁନାହିଁ ।

ଲଗାତାର ଭାବେ କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନକଲି ଘିଅ କାରଖାନା ଉପରେ ଚଢଉ କରାଯାଇ ଟନ୍‍ ଟନ୍‍ ପରିମାଣର ବିଷାକ୍ତ ଘିଅ ଜବତ ହେଉଛି । କିନ୍ତୁ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିରରେ ପୋଡା ମୋବିଲ, ପାମୋଲିନ୍‍ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବା ଘିଅ ଖୋଲାଖୋଲି ଭାବେ ବିକ୍ରି ଚାଲିଛି । କେବଳ ଘିଅ ନୁହେଁ, ବିଭିନ୍ନ ମନ୍ଦିରରେ ବ୍ୟବହୃତ ହେଉଥିବା ରାଶି ତେଲ, ଜଡା ତେଲ ଆଦି ମଧ୍ୟ ନକଲି । ମୋଟାମୋଟି ଭାବେ ଠାକୁର ଠାକୁରାଣୀଙ୍କ ମାର୍ଜନା ଓ ସେମାନଙ୍କ ଆଳତୀ ଓ ଦୀପଦାନ ଲାଗି ଅତି ନିମ୍ନମାନର ଭେଜାଲ, ଘିଅ, ତେଲ ଆଦି ବ୍ୟବହାର ଚାଲିଛି ।

କେବଳ ତେଲ କି ଘିଅ ନୁହେଁ, ପୂଜା କର୍ପୁର ଠାରୁ ଆରମ୍ଭକରି ବଳିତା ପର୍ଯ୍ୟନ୍ତ ବି ଭେଜାଲ ହେଉଛି । ଏହାଛଡା ମନ୍ଦିରଗୁଡିକ ନିକଟରେ ଥିବା ଅଧିକାଂଶ ଭୋଗ ଦୋକାନରେ ଅତି ନିମ୍ନମାନ ସାମଗ୍ରୀରେ ପ୍ରସ୍ତୁତ ଭୋଗ ଖୋଲାଖୋଲି ଭାବେ ବିକ୍ରି ହେଉଛି । ବିଶେଷକରି ମନ୍ଦିର ପ୍ରଶାସନଗୁଡିକ ଭୋଗ ଦୋକାନ ନିଲାମ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବାବେଳେ ଠାକୁର ଠାକୁରାଣୀଙ୍କ ପାଇଁ ନିକଟରେ ନୈବ୍ୟେ ଲାଗି ପାଇଁ ବିକ୍ରି ହେଉଥିବା ଭୋଗ ଓ ଅନ୍ୟାନ୍ୟ ସାମଗ୍ରୀର ଗୁଣବତ୍ତା ଉପରେ ବିଶେଷ ଦୃଷ୍ଟି ଦେଉନାହାନ୍ତି ।

ଧାର୍ମିକ ଦୃଷ୍ଟିରୁ ବିଶେଷକରି ହିନ୍ଦୁମାନଙ୍କର ଗଙ୍ଗାଜଳ ପ୍ରତି ଅହେତୁକ ଦୁର୍ବଳତା ରହିଛି । ପତିତପାବନୀ ଗଙ୍ଗାଜଳକୁ ଅତ୍ୟନ୍ତ ପବିତ୍ର ଭାବେ ବିବେଚନା କରାଯାଇଥାଏ । କିନ୍ତୁ ବାସ୍ତବରେ ଗଙ୍ଗା ବହୁ ସ୍ଥାନରେ ମାନବୀୟ ଅତ୍ୟାଚାର ଯୋଗୁଁ ଅତ୍ୟନ୍ତ ପ୍ରଦୂଷିତ । ବିଭିନ୍ନ ପୂଜା ଠାରୁ ଆରମ୍ଭ କରି ଅନ୍ତେଷ୍ଟି ପର୍ଯ୍ୟନ୍ତ ଲୋକେ ଗଙ୍ଗାଜଳ ବ୍ୟବହାର କରିଥାନ୍ତି । ଲୋକଙ୍କ ଏହି ଧାର୍ମିକ ଦୁର୍ବଳତାର ସୁଯୋଗ ନେଇ ଲାଭଖୋର ବେପାରୀମାନେ ଯେକୌଣସି ପାଣିକୁ ବୋତଲରେ ଭର୍ତ୍ତିକରି ତାହା ଉପରେ ଗଙ୍ଗାଜଳ ଲେଖି ଠକି ଚାଲିଛନ୍ତି । ଏହାର ନିରାକରଣ ଦିଗରେ କିନ୍ତୁ ବିଶେଷ କେହି ଧ୍ୟାନ ଦେଉନାହାନ୍ତି ।

ସେହିପରି ହୋମୋ ଯଜ୍ଞ ପାଇଁ ବ୍ୟବହୃତ ହୋମନ ସାମଗ୍ରୀ ମଧ୍ୟ ଭେଜାଲ । ମୋଟାମୋଟି ଭାବେ ଭେଜାଲ ବିଷାକ୍ତ ସାମଗ୍ରୀ ପୂଜାର୍ଚ୍ଚନା ପାଇଁ ବ୍ୟବହୃତ ହେଉଥିବାରୁ ଏହାର ଫଳାଫଳ ମଧ୍ୟ ନକରାତ୍ମକ ହେଉଛି ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।