Home General ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?

ବକ୍ସିଙ୍କ ପ୍ରତିମୂର୍ତ୍ତି ସଂସଦରେ କେବେ ?

ଭୁବନେଶ୍ୱର : ପ୍ରାୟ ଦୁଇ ଦଶନ୍ଧିର ନିରନ୍ତର ଉଦ୍ୟମ ସତ୍ୱେ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ସଂସଦ ଭବନ ପରିସର ମଧ୍ୟରେ ସ୍ଥାପନ ହୋଇପାରିଲା ନାହିଁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମର୍ଯ୍ୟାଦା ଦେବାପାଇଁ ଦିଲ୍ଲୀରୁ ବରୁଣେଇ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅନେକ ଉତ୍ସବାନୁଷ୍ଠାନ ହୋଇଥିଲେ ବି ଏ ଦିଗରେ ବିଶେଷ ତତ୍ପରତା ଲକ୍ଷ୍ୟ କରାଯାଉନାହିଁ ।

୨୦୦୨ ମସିହାରୁ ସରକାରୀ ଓ ବେସରକାରୀ ସ୍ତରରେ ଏ ପ୍ରସଙ୍ଗ ଉଠି ଆସୁଛି । ଏମିତିକି ରାଜ୍ୟ ସରକାର ବି ବିଧିବଦ୍ଧ ଭାବେ ୨୦୦୪ ମସିହାରେ ପ୍ରସ୍ତାବ ଦେଇଥିଲେ । ସଂସଦ ଭବନରେ ସ୍ଥାପିତ ହେବାପାଇଁ ଥିବା ପ୍ରତିମୂର୍ତ୍ତି ବି ନିର୍ମାଣ କରାଯାଇଥିଲା । କିନ୍ତୁ ଏହା ଦିଲ୍ଲୀରେ ସ୍ଥାପନ କରାଯାଇ ନପାରିବାରୁ ସରକାର ବାଧ୍ୟହୋଇ ସେହି ପ୍ରତିମୂର୍ତ୍ତିଟିକୁ ଭୁବନେଶ୍ୱରରେ ବସାଇଛନ୍ତି ।

ସଂସଦ ଭବନ ପରିସରରେ ଛତ୍ରପତି ଶିବାଜୀ, ମହାରାଣା ପ୍ରତାପ, କିଟ୍ଟୁରର ରାଣୀ ଚେନ୍ନାମ୍ମା, ମହାତ୍ମା ବାସେବେଶ୍ୱର ଆଦିଙ୍କର ଘୋଡା ଉପରେ ବସିଥିବା ସଶସ୍ତ୍ର ପ୍ରତିମୂର୍ତ୍ତିମାନ ରହିଥିବାବେଳେ ବକ୍ସିଙ୍କ କ୍ଷେତ୍ରରେ କିନ୍ତୁ ଏଭଳି ସଶସ୍ତ୍ର ପ୍ରତିମୂର୍ତ୍ତି ଘେନି ଆପତ୍ତି ଉଠିଥିଲା । ତେବେ ସଂସଦ ଭବନ ପରିସରରେ ସ୍ଥାନାଭାବ ଯୋଗୁଁ ସେ ସମୟର ସଂସଦର ପ୍ରତିମୂର୍ତ୍ତି ସ୍ଥାପନ କମିଟି ୯ଫୁଟ ଉଚ୍ଚତା ବିଶିଷ୍ଟ ବକ୍ସିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ ଯେଉଁଥିରେ ଘୋଡା କିମ୍ବା ଉତ୍ତୋଳିତ ଖଡ୍ଗ ନଥିଲା ।

ଏ ପ୍ରସଙ୍ଗରେ ୨୦୦୮ ମସିହାରେ ଓଡିଶା ସରକାର କର୍ତ୍ତୃପକ୍ଷଙ୍କୁ ପୁଣି ଏକ ଅନୁରୋଧପତ୍ର ଲେଖି ଉତ୍ତୋଳିତ ଖଡ୍ଗ ସହ ଘୋଡାରେ ବସିଥିବା ବକ୍ସିଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ ଲାଗି ପ୍ରସ୍ତାବ ଦେଇଥିଲେ । ଇତି ମଧ୍ୟରେ ଏ ସଂକ୍ରାନ୍ତରେ ଅନେକ ଥର କର୍ତ୍ତୃପକ୍ଷଙ୍କୁ ମନେ ପକାଇ ଦିଆଯାଉଥିଲେ ବି ଏଯାବତ୍‍ କିଛି ସକରାତ୍ମକ ଉତ୍ତର ମିଳୁନାହିଁ ।

ସଂସଦ ପରିସରରେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ବିଭିନ୍ନ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ରହିଛି ଏବଂ ଏହି ପ୍ରତିମୂର୍ତ୍ତି ନିକଟରେ ବି ନିର୍ଦ୍ଦିଷ୍ଟ ଦିନରେ ଉତ୍ସବ ପାଳନ ହୁଏ । କିନ୍ତୁ ସ୍ୱାଧୀନତାର ୭୫ବର୍ଷ ଭିତରେ ଏଯାବତ୍‍ ଓଡିଶାର କୌଣସି ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସଂସଦ ଭବନ ଭିତରେ ସ୍ଥାନ ପାଇନାହିଁ । କେବଳ ସେତିକି ନୁହେଁ ଦେଶର ରାଜଧାନୀ ଦିଲ୍ଲୀର ଅନେକ ଆବାସିକ ଅଞ୍ଚଳର ଓ ରାସ୍ତାଘାଟର ନାମ ବହୁ ମହାପୁରୁଷଙ୍କ ନାମରେ ନାମିତ ହୋଇଛି । କିନ୍ତୁ ଏ ତାଲିକାରେ ବି ଓଡିଶାର କୌଣସି ବରପୁତ୍ରଙ୍କୁ ଏଯାବତ୍‍ ସ୍ଥାନିତ କରାଯାଇ ନାହିଁ ।

ଦିଲ୍ଲୀରେ ଥିବା ବିଭିନ୍ନ ଓଡିଆ ସମାଜ ପକ୍ଷରୁ ବାରମ୍ବାର ଏ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଏହାଛଡା ଓଡିଶାରୁ ବି ସରକାରୀ ଓ ବେସରକାରୀ ସ୍ତରରେ ଏଭଳି ପ୍ରସ୍ତାବମାନ ଦିଆଯାଉଛି । ସ୍ୱାଧୀନତା ପରଠାରୁ ଏଯାବତ୍‍ କେନ୍ଦ୍ର ସରକାରଙ୍କ ଭାରତ ରତ୍ନ ତାଲିକାରେ ଓଡିଶାର କୌଣସି କୃତୀ ସନ୍ତାନଙ୍କୁ ବି ସାମିଲ କରାଯାଇନାହିଁ । ଅଥଚ ମରଣତ୍ତୋର ଭାବେ ଅନ୍ୟ ରାଜ୍ୟରେ ଜନ୍ମଗ୍ରହଣ କରିଥିବା ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନରେ ଭୂଷିତ କରାଗଲାଣି ।(ତଥ୍ୟ)

LEAVE A REPLY

Please enter your comment!
Please enter your name here