Home Covid ଫେବୃୟାରୀ ୧୫ ବେଳକୁ ସ୍ଥିତି ଅସମ୍ଭାଳ ଆଶଙ୍କା

ଫେବୃୟାରୀ ୧୫ ବେଳକୁ ସ୍ଥିତି ଅସମ୍ଭାଳ ଆଶଙ୍କା

ଭୁବନେଶ୍ୱର : କରୋନା ସଂକ୍ରମଣ ଓଡିଶାରେ ଯେଭଳି ମାଡି ଚାଲିଛି ସେହି ହାର ଅବ୍ୟାହତ ରହିଲେ ଫେବୃୟାରୀ ୧୫ ବେଳକୁ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଗତ ଡିସେମ୍ବର ୩୧ତାରିଖରେ ଓଡିଶାରେ ମାତ୍ର ୨୨ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିଲେ । ସେତେବେଳେ ଦୈନିକ ୬୧,୨୭୭ କରୋନା ପରୀକ୍ଷା ହେଉଥିଲା । ତେବେ ଜାନୁୟାରୀ ୭ର ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୭୦୩ରେ ପହଞ୍ଚି ଥିବାବେଳେ ସେଦିନ ୬୮,୯୭୦ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ଜାନୁଅ।।ରୀ ୧୨ତାରିଖରେ ଦିଆଯାଇଥିବା ତଥ୍ୟ ମୁତାବକ ଚିହ୍ନିତ ସଂକ୍ରମିତଙ୍କ ସଂଖ୍ୟା ୮୭୭୮ ଥିବାବେଳେ ସେଦିନ ୭୪,୬୧୧ ନମୂନା ପରୀକ୍ଷା ହୋଇଥିଲା ।

ଆଜି ଅର୍ଥାତ୍‍ ଜାନୁଆରୀ ୧୩ତାରିଖରେ ଦିଆଯାଇଥିବା ସରକାରୀ ତଥ୍ୟ ମୁତାବକ ୧୦,୦୫୯ ନୂଆ ସଂକ୍ରମିତ ଚିହ୍ନିତ ହୋଇଛନ୍ତି । ଜାନୁଆରୀ ପହିଲାରୁ ଆଜି ମଧ୍ୟରେ ସଂକ୍ରମଣ ହାର ୩୪୬ଗୁଣ ବୃଦ୍ଧି ପାଇଛି । ଏବେ ବିଶେଷଜ୍ଞମାନେ କହୁଛନ୍ତି ଯେ ଚଳିତମାସ ଶେଷ ବେଳକୁ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ହଜାର ହୋଇପାରେ ।

ଏବେ ଆମେରିକାରେ ଦୈନିକ ୧୫ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହେଉଥିବାବେଳେ ଭାରତରେ ଏହି ସଂଖ୍ୟା ୨ଲକ୍ଷ ଆଡକୁ ମୁହାଁଇଛି । ବିଶେଷକରି ଡେଲଟା ଠାରୁ ଓମିକ୍ରନ ୪ରୁ ୬ଗୁଣ ଅଧିକ ସଂକ୍ରମଣ କ୍ଷମତା ରଖୁଥିବାରୁ ସଂକ୍ରମଣ ହାର ବଢୁଛି । ଏହାଛଡା ଟିକା ନେଇନଥିବା କିମ୍ବା ଗୋଟିଏ ଡୋଜ୍‍ ଟିକା ନେଇ ଦ୍ୱିତୀୟ ଡୋଜ୍‍କୁ ଏଡାଇ ଯାଉଥିବା ଏବଂ ଦ୍ୱିତୀୟ ଡୋଜ୍‍ ଟିକା ନେବାର ୬ମାସ ଅତିକ୍ରାନ୍ତ କରିଯାଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଭୟ ଅଧିକ ରହିଛି । ଭାରତରେ ଯେଉଁ ହାରରେ କରୋନା ବ୍ୟାପୁଛି ତାହା ଅବ୍ୟାହତ ରହିଲେ ଖୁବ୍‍ଶୀଘ୍ର ଦୈନିକ ସଂକ୍ରମଣ ୧୦ଲକ୍ଷ ଟପିପାରେ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରୁଛନ୍ତି ।

ରାଜ୍ୟରେ ଅଧିକାଂଶ ଟିକାଦାନ କେନ୍ଦ୍ର କରୋନା ବଣ୍ଟନ କେନ୍ଦ୍ର ଭଳି ପ୍ରତୀୟମାନ ହେଉଛି । ତୃତୀୟ ଲହର ସଂକ୍ରମଣ ବ୍ୟାପୁଥିବାରୁ ଟିକା ନନେଇ ଚୁପ୍‍ଚାପ୍‍ ବସି ରହିଥିବା ଅନେକ ଲୋକ ଏବେ ଟିକାକରଣ କେନ୍ଦ୍ରକୁ ଧାଉଁଛନ୍ତି । ରାଜଧାନୀରୁ ମାଲକାନଗିରି ପର୍ଯ୍ୟନ୍ତ ସଂଖ୍ୟାଧିକ ଟିକାଦାନ କେନ୍ଦ୍ରରେ ଟିକା ନେବାକୁ ଆସୁଥିବା ଲୋକେ ଅସମ୍ଭବ ଭିଡ ଜମାଉଛନ୍ତି ।

କେବଳ ସେତିକି ନୁହେଁ, ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ସଂଗ୍ରହ ପାଇଁ ବି ଅନେକ ଜାଗାରେ ଶହ ଶହ ଲୋକ ଧାଡିରେ ଖୁନ୍ଦାଖୁନ୍ଦି ହୋଇ ରହୁଛନ୍ତି । ହାଟ ବଜାର ଠାରୁ ମଲ୍‍ ଓ ସଭାକକ୍ଷ ପର୍ଯ୍ୟନ୍ତ ଚାରିଆଡେ ଅସମ୍ଭବ ଭିଡ ଲାଗି ରହୁଛି । ବିଶେଷକରି ରାଜଧାନୀ ଓ ଖୋରଧା ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ରହିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି ।

ସମ୍ଭାବ୍ୟ ବିପତ୍ତିକୁ ଆଖିଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁହାକୁ ତୁହା ସତର୍କବାଣୀ ଶୁଣାଇବା ସହିତ କୋଭିଡ ଡାକ୍ତରଖାନାଗୁଡିକୁ ସଚଳ କରୁଛନ୍ତି । ତେବେ ଅଧିକାଂଶ କ୍ଷେତ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମିତ ହେଉଥିବାରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବାବେଳେ କରୋନା ମୁକାବିଲା ପାଇଁ ତାହା ଏକ ବଡ ଆହ୍ୱାନ ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here