Home General ଫୁଲବାଣୀରେ ହାଡ ଭଙ୍ଗା ଜାଡ

ଫୁଲବାଣୀରେ ହାଡ ଭଙ୍ଗା ଜାଡ

ଭୁବନେଶ୍ୱର : ପ୍ରବଳ ଜାଡରେ ଓଡ଼ିଶା ଥରୁଥିବା ବେଳେ ରାଜ୍ୟର ୧୭ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୩.୬ ଡିଗ୍ରୀ ରେକର୍ଡ ସହିତ ଏହା ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ।

ଗତ କିଛିଦିନ ଧରି ତାପମାତ୍ରା ଅହେତୁକ ଭାବେ ହ୍ରାସ ପାଇବା ଫଳରେ କନ୍ଧମାଳ ଓ କେନ୍ଦୁଝରରେ ତୁଷାରପାତ ଆରମ୍ଭ ହୋଇଛି । ରାତି ଥଣ୍ଡା ଅସହ୍ୟ ହୋଇଥିବା ବେଳେ ଦିନବେଳା ବି ଲୋକେ ଶୀତରେ ଥରି ଯାଉଛନ୍ତି । କେତେକ ଅଞ୍ଚଳରେ ଦ୍ୱିପ୍ରହରରେ ସୂର୍ଯ୍ୟକିରଣ ଦେଖିବାକୁ ମିଳୁଛି ।

ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ତାପମାତ୍ରା ସଂକ୍ରାନ୍ତରେ ହୋଇଥିବା ରେକର୍ଡରୁ ଜଣାଯାଇଛି ଯେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ଥିଲାବେଳେ ଚାନ୍ଦବାଲି, ଅନୁଗୁଳ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ, ଟିଟିଲାଗଡ, ସୋନପୁର, ନୟାଗଡ ଓ ବୌଦ୍ଧରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୦.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୧୦.୬ ଡିଗ୍ରୀ ରହିଛି । ଉଭୟ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ଯୋଗୁଁ ଦିନମଜୁରିଆ ବିଶେଷକରି ରାସ୍ତା କଡରେ ଆଶ୍ରୟ ନେଇଥିବା ଲୋକେ ଶୀତ ପ୍ରକୋପରେ ହନ୍ତସନ୍ତ ହେଉଛନ୍ତି ।

ରାଜ୍ୟରେ ଜାରି ରହିଥିବା ଏହି ଶୀତ ଲହରୀ ଆଉ ଦୁଇଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋଆର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨୪ ତାରିଖଠାରୁ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଏଥିରେ କୁହାଯାଇଛି ।

ଫୁଲବାଣୀରେ ରାଜ୍ୟର ସବୁଠାରୁ କମ୍‍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ପୁରୀରେ ୧୪.୪ ଡିଗ୍ରୀ ରହିଛି । ଏହା ପଛକୁ ପାରଳାଖେମୁଣ୍ଡିରେ ୧୩ଡିଗ୍ରୀ, ପାରାଦୀପରେ ୧୨.୪ ଡିଗ୍ରୀ, ବାଲେଶ୍ୱରରେ ୧୧.୧ ଡିଗ୍ରୀ ଓ ଛତ୍ରପୁର ଓ ମାଲକାନଗିରିରେ ୧୧ ଡିଗ୍ରୀ କରି ତାପମାତ୍ରା ରେକର୍ଡ କରାଯାଇଛି । ଗୋପାଳପୁରରେ ତାପମାତ୍ରା ୧୧.୮ ଡିଗ୍ରୀ ରହିଛି ।