Home Health ଫାଟକ ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ

ଫାଟକ ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ହସ୍ପିଟାଲ ଚାରିପଟେ ଥିବା ଏକାଧିକ ଫାଟକରେ ତାଲା ପକାଇବାରେ ଲାଗିଛନ୍ତି । ଏଥି ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଏବେ ନାହିଁ ନଥିବା ହୀନସ୍ତା ହେଉଛନ୍ତି ।

ଡାକ୍ତରଖାନା କର୍ତ୍ତୃପକ୍ଷ ଏବେ ପୋଷ୍ଟମର୍ଟମ ଗୃହ ନିକଟରେ ଥିବା ଫାଟକରେ ତାଲା ପକାଇଥିବାବେଳେ କିଛି ଦିନ ପୂର୍ବରୁ କୋଭିଡ ପରୀକ୍ଷା ହେଉଥିବା କେନ୍ଦ୍ର ସମ୍ମୁଖରେ ଥିବା ଫାଟକ ଓ ଛଅ ନମ୍ବର ପଟକୁ ଥିବା ଗୋଟିଏ ଫାଟକରେ ତାଲା ପକାଇ ଦେଇଛନ୍ତି । ଏଥି ସହିତ ଛଅ ନମ୍ବର ପଟକୁ ଥିବା ଗୋଟିଏ ଫାଟକରେ ପ୍ରସ୍ଥାନ ଉପରେ କଟକଣା ଲଗାଇଥିବାରୁ ମୁଖ୍ୟ ଫାଟକ ଦେଇ ସମସ୍ତ ଲୋକେ ଓ ଗାଡିଗୁଡିକ ଯା ଆସ କରୁଥିବାରୁ ଭିଡ ବଢିବାରେ ଲାଗିଛି ।

ସୁରକ୍ଷା ଆଳରେ କର୍ତ୍ତୃପକ୍ଷ ପୋଷ୍ଟମର୍ଟମ ପଟେ ଥିବା ଫାଟକରେ ତାଲା ପକାଇଥିବାରୁ ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି । ଏହି ଫାଟକ ନିକଟରେ ନିଦାନ କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଏବଂ ସିଟିସ୍କାନ ଓ ଏକ୍ସ-ରେ ଆଦି ଥିବାରୁ ଲୋକେ ସହଜରେ ଯିବା ଆସିବା କରୁଥିଲେ । ଫଳରେ ଅନ୍ୟ ଫାଟକରେ ଭିଡ ହ୍ରାସ ପାଉଥିଲା । ହେଲେ ଏବେ ସେହି ଫାଟକରେ ତାଲା । ସେହିଭଳି କୋଭିଡ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଥିବା ଫାଟକରେ ତାଲା ପକାଯାଇଥିବାରୁ କୋଭିଡ ସଂକ୍ରମିତମାନେ ନମୂନା ପରୀକ୍ଷାପାଇଁ ଡାକ୍ତରଖାନା ପରିସରରେ ଆସିବାକୁ ବାଧ୍ୟ ହେଉଛନ୍ତି ।

ଛଅ ନମ୍ବର ପଟକୁ ଥିବା ଫାଟକଟି କିଛି ଦିନ ଧରି ଟୀକାକରଣ ପାଇଁ ବନ୍ଦ ଥିବାବେଳେ ଏବେ ନିର୍ମାଣ କାର୍ଯ୍ୟ ପାଇଁ ଏହାକୁ ତାଲା ପକାଇ ଦିଆଯାଇଛି । ଫଳରେ ଶିଶୁ ବିଭାଗ ଓ ସୁପର ସ୍ପେଶିଆଲିଷ୍ଟ ବିଭାଗକୁ ଆସୁଥିବା ରୋଗୀମାନେ ମୁଖ୍ୟ ଫାଟକ ଦେଇ ବୁଲି ବୁଲି ଆସୁଛନ୍ତି ।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ପରିସରକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଗାଡିକୁ ସୁରକ୍ଷା କର୍ମୀମାନେ ଘଉଡାଇବାରେ ଲାଗିଛନ୍ତି । ଫଳରେ ଲୋକେ ରୋଗୀଙ୍କୁ ପ୍ରଥମେ ଡାକ୍ତରଖାନାକୁ ନେବେ ନା ଗାଡିକୁ ପାର୍କିଂ ସ୍ଥଳକୁ ନେବେ ସେଥିନେଇ ଦ୍ୱନ୍ଦରେ ପଡୁଛନ୍ତି । ଡାକ୍ତରଖାନା ପରିସରରେ ପାର୍କିଂ ପାଇଁ କମ୍‍ ସ୍ଥାନ ଥିବାରୁ ଅନେକ ଗାଡି ଏବେ ଡାକ୍ତରଖାନା ଆଖପାଖ ରାସ୍ତାରେ ଛିଡାହୋଇ ରହୁଛନ୍ତି । ଡାକ୍ତରଖାନା ଭିତରେ ଲୋକଙ୍କୁ ନିୟନ୍ତ୍ରଣ କରିବା ବଦଳରେ ମାଳ ମାଳ ସୁରକ୍ଷାକର୍ମୀ ଏବେ ରାସ୍ତାଘାଟରେ ଗାଡି ଚାଳକଙ୍କୁ ହଇରାଣ ହରକତ କରୁଥିବା ଲକ୍ଷ୍ୟ କରାଯାଉଛି ।

ଫାଟକ ବନ୍ଦ ଯୋଗୁଁ କର୍ମଚାରୀ ଓ ରୋଗୀ ହନ୍ତସନ୍ତ ହେଉଥିବାବେଳେ ଡାକ୍ତରଖାନାର କର୍ମଚାରୀମାନେ ଡ୍ୟୁଟି ସମୟରେ ନିଜ ସମ୍ପର୍କୀୟ କିମ୍ବା ନିଜେ ସିଧାସଳଖ ଯାଇ ଡାକ୍ତରଙ୍କୁ ଦେଖାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶକଙ୍କ ଫତୁଆ ଏବେ ଅସନ୍ତୋଷ ବଢାଇଛି । ଏଭଳି ନିଷ୍ପତ୍ତିକୁ ଅନେକ ବରିଷ୍ଠ ଓ କନିଷ୍ଠ କର୍ମଚାରୀ ନାପସନ୍ଦ କରିଛନ୍ତି । କାର୍ଯ୍ୟରତ ଥିବା ସମୟରେ କୌଣସି ବ୍ୟକ୍ତି ବା ସମ୍ପର୍କୀୟଙ୍କୁ ସହାୟତା କରିବା କ’ଣ ଖରାପ ବୋଲି ଓଲଟା ସେମାନେ ପ୍ରଶ୍ନ କରିଛନ୍ତି ।

ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସାପାଇଁ ଆସୁଥିବା ଜଣେ ରୋଗୀକୁ ଅତି କମ୍‍ରେ ୬ଟି ସ୍ଥାନରେ ଧାଡିରେ ଛିଡା ହେବାକୁ ପଡୁଥିବାବେଳେ କର୍ତ୍ତୃପକ୍ଷଙ୍କ ଫାଟକ ବନ୍ଦ ନିଷ୍ପତ୍ତି ଏବେ ଲୋକଙ୍କ ଯନ୍ତ୍ରଣାକୁ ବଢାଇ ଦେଇଛି । ତେଣୁ ଡାକ୍ତରଖାନାର ସମସ୍ତ ଫାଟକ ଖୋଲିବା ସହିତ ଗାଡିମୋଟର ରଖିବାପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here