Home Agriculture ଫସଲ ବୀମା ରାଜ୍ୟ ପାଇଁ ସ୍ୱେଚ୍ଛାକୃତ

ଫସଲ ବୀମା ରାଜ୍ୟ ପାଇଁ ସ୍ୱେଚ୍ଛାକୃତ

ଭୁବନେଶ୍ୱର : ଓଡିଶା ଚାଷୀଙ୍କର ଫସଲ ବୀମା ଅର୍ଥକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ରାଜ୍ୟ ପାଇଁ ସ୍ୱେଚ୍ଛାକୃତ ଅଟେ । ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ପିଏମଏଫବିୱାଇ ୨୦୧୬ ଖରିଫ ଋତୁରୁ ଆରମ୍ଭ ହୋଇଥିଲା ।

ବିହାର, ତେଲେଙ୍ଗାନା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଗୁଜୁରାଟ ଭଳି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ବୀମା ଯୋଜନାକୁ ଲାଗୁ କରିବାପରେ କେତେକ କାରଣରୁ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ଆନ୍ଧ୍ରପ୍ରଦେଶ ସରକାର ୨୦୨୨ ଖରିଫ ଋତୁରୁ ଏହାକୁ ପୁର୍ନବାର ଲାଗୁ କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପାଇଁ ପିଏମଏଫ୍‍ବିୱାଇ ସ୍ୱେଚ୍ଛାକୃତ ଅଟେ । ସେମାନଙ୍କ ଆର୍ଥିକ ସମ୍ବଳ ଓ ବିପଦ ଆଦିକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରିପାରିବେ ବୋଲି ଶ୍ରୀ ତୋମାର କରିଛନ୍ତି । ସେହିଭଳି କୃଷକମାନେ ଏଥିରେ ନିଜକୁ ପଞ୍ଜିକୃତ କରିବେ କି ନାହିଁ ତାହା ସେମାନଙ୍କ ପାଇଁ ବି ସ୍ୱେଚ୍ଛାକୃତ ଅଟେ । ୨୦୧୬ ଖରିଫ ଋତରୁ ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଏହାକୁ ଗୋଟିଏ କିମ୍ବା ଦୁଇଟି ଫସଲ ଋତୁ ପାଇଁ ଲାଗୁ କରୁଛନ୍ତି ।

ବୀମା ଅର୍ଥ ମିଳିବାରେ ବିଳମ୍ବ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଫସଲ ଅମଳ ରିପୋର୍ଟ ପ୍ରଦାନରେ ବିଳମ୍ବ, ରାଜ୍ୟ ସରକାର ତାଙ୍କର ଅଂଶଧନ ଦେବାରେ ବିଳମ୍ବ କରିବା, ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଫସଲ ଅମଳକୁ ନେଇ ବିବାଦ ଦେଖାଦେବା, ବୀମା ଅର୍ଥ ପ୍ରଦାନ ପାଇଁ ଚାଷୀଙ୍କର ସଠିକ୍‍ ବ୍ୟାଙ୍କ ସୂଚନା ନମିଳିବା ସହିତ ନିଫ୍‍ଟ ସମସ୍ୟା, ଜାତୀୟ ଶସ୍ୟ ବୀମା ପୋର୍ଟାଲରେ ଚାଷୀଙ୍କ ସମସ୍ତ ସୂଚନା ଅପଲୋଡ୍‍ ନହେବା, ଚାଷୀଙ୍କ ବୀମା ପ୍ରିମିୟମ ବାବଦ ଦେୟ ଦାଖଲରେ ବିଳମ୍ବ ଆଦି କେତେକ କାରଣ ଯୋଗୁଁ ବୀମା ଅର୍ଥ ମିଳିବାରେ ବିଳମ୍ବ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି ଯେ ଠିକଣା ଭାବେ ଚାଷୀମାନେ ଯେଭଳି ଫସଲବୀମା ଅର୍ଥ ପାଇବେ ସେଥିପାଇଁ ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା କରାଯାଉଛି । ପ୍ରତି ସପ୍ତାହରେ ଭିଡିଓ କନଫରେନ୍ସି ଜରିଆରେ ହିତାଧିକାରୀଙ୍କ ସହ ବୀମା ଅର୍ଥ ପ୍ରଦାନ ନେଇ କଥାବାର୍ତ୍ତା ହେଉଥିବାବେଳେ ବୀମା କମ୍ପାନୀ ଓ ରାଜ୍ୟ ସରକାରଙ୍କ ସହିତ ସିଧାସଳଖ ଆଲୋଚନା ହେଉଛି । ଉଲ୍ଲେଖନୀୟ ଯେ ପଦ୍ମପୁର ଉପନିର୍ବାଚନ ସମୟରେ ପିଏମଏଫ୍‍ବିୱାଇ ଅଧିନରେ ଚାଷୀଙ୍କୁ ୨୦୨୧ ଖରିଫର ଫସଲ ବୀମା ଅର୍ଥ ପ୍ରଦାନକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସାମ୍ନାସାମ୍ନି ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଫସଲବୀମା ଅର୍ଥ ମଞ୍ଜୁର କରିଥିଲେ । (ତଥ୍ୟ)