Home Health ଫର୍ମରେ ଭିନ୍ନ ସୂଚନା ଯୋଗୁଁ ରକ୍ତ ପାଇଁ ହଇରାଣ

ଫର୍ମରେ ଭିନ୍ନ ସୂଚନା ଯୋଗୁଁ ରକ୍ତ ପାଇଁ ହଇରାଣ

ଭୁବନେଶ୍ୱର : ରୋଗୀଙ୍କୁ ରକ୍ତ ଯୋଗାଣ ପାଇଁ ବିଭିନ୍ନ ସରକାରୀ ରକ୍ତଭଣ୍ଡାର ଓ ଡାକ୍ତରଖାନାରେ ବ୍ୟବହୃତ ଫର୍ମରେ ଭିନ୍ନ ଭିନ୍ନ ସୂଚନା ଥିବାରୁ ଜରୁରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତ ପ୍ୟାକେଟଟିଏ ପାଇବାକୁ ଲୋକେ ହଇରାଣ ହରକତ ହେଉଛନ୍ତି । ବିଶେଷକରି ମେଡିକାଲ କଲେଜ ଓ ଅନ୍ୟ ରକ୍ତ ଭଣ୍ଡାର ଫର୍ମରେ ଚିକିତ୍ସକମାନଙ୍କ ଦସ୍ତଖତକୁ ନେଇ ଠିକଣା ସୂଚନା ରହୁନାହିଁ ।

କଟକ ଏସ୍‍.ସି.ବି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ରକ୍ତ ଆବଶ୍ୟକ କଲେ ଚିକିତ୍ସା କରୁଥିବା ଡାକ୍ତର ଯେଉଁ ଫର୍ମରେ ରକ୍ତ ଆଣିବାକୁ ଲେଖି ଦେଉଛନ୍ତି ତାହା ସେହି ମେଡିକାଲ କଲେଜ ପରିସରରେ ଥିବା ରକ୍ତଭଣ୍ଡାରରେ କାର୍ଯ୍ୟ କରୁଛି । ସେଠାରେ କୌଣସି ସମସ୍ୟା ଦେଖା ଦେଉନାହିଁ । ଯଦି କୌଣସି ରୋଗୀଙ୍କର ରକ୍ତ ସେଠାରେ ନମିଳୁଛି ଓ ତାଙ୍କୁ ଅନ୍ୟ ରକ୍ତଭଣ୍ଡାରକୁ ଯିବାକୁ ପଡୁଛି ସେତେବେଳେ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାର କାରଣ ହେଉଛି ମେଡିକାଲ କଲେଜରେ ରକ୍ତ ପାଇଁ ଥିବା ରିକ୍ୟୁଜିସନ ଫର୍ମରେ କେବଳ ଚିକିତ୍ସକଙ୍କ ଦସ୍ତଖତ ଓ ଷ୍ଟାମ୍ପ ଲଗାଇବା ପାଇଁ ଉଲ୍ଲେଖ ରହିଛି । ହେଲେ ଅନ୍ୟ କେତେକ ରକ୍ତଭଣ୍ଡାର ଓ ଡାକ୍ତରଖାନାରେ ଉପଲବ୍ଧ ଫର୍ମରେ ଚିକିତ୍ସକଙ୍କ ନାମ, ବଡ ଅକ୍ଷରରେ ଦସ୍ତଖତ ସହିତ ସମ୍ପୃକ୍ତ ଚିକିତ୍ସକଙ୍କର ପଞ୍ଜିକରଣ ନମ୍ବର ଦେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହୁଛି । ତେଣୁ ମେଡିକାଲ କଲେଜ ଫର୍ମ ଧରି ରୋଗୀଙ୍କ ସମ୍ପର୍କୀୟମାନେ ଅନ୍ୟ ରକ୍ତଭଣ୍ଡାରରେ ରକ୍ତସଂଗ୍ରହ ଲାଗି ପହଞ୍ଚିବାବେଳକୁ ସେଠାରେ ତାଙ୍କ ଫର୍ମ ଅନୁଯାୟୀ ଡାକ୍ତରଙ୍କ ନାମ ଓ ପଞ୍ଜିକରଣ ନମ୍ବର ମଗାଯାଉଛି ।

ହେଲେ ମେଡିକାଲ କଲେଜରେ ଚିକିତ୍ସା କରୁଥିବା ଡାକ୍ତରମାନେ ଅନ୍ୟ ରକ୍ତଭଣ୍ଡାରକୁ ସେମାନଙ୍କ ପଞ୍ଜିକରଣ ନମ୍ବର ଦେବାକୁ ସଫା ସଫା ମନାକରି ଦେଉଛନ୍ତି । କାରଣ ସେମାନେ ଯେଉଁ ଫର୍ମରେ ଦସ୍ତଖତ କରି ଦେଉଛନ୍ତି ସେଥିରେ ପଞ୍ଜିକରଣ ନମ୍ବର ଉଲ୍ଲେଖ ପାଇଁ କୌଣସି ସୂଚନା ନାହିଁ । ଏଭଳି ସ୍ଥିତିରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଦୌଡି ଦୌଡି ହାଲିଆ ହେଉଛନ୍ତି ।

ରୋଗୀମାନେ କିଭଳି ସହଜରେ ଆବଶ୍ୟକ ରକ୍ତ ପାଇବେ ସେଥିପାଇଁ ରାଜ୍ୟ ସରକାର ବ୍ଲଡ ଟ୍ରାନ୍ସଫ୍ୟୁଜନ ପାଉନସିଲ୍‍ ଗଠନ କରିଛନ୍ତି । ଏହା ରକ୍ତଭଣ୍ଡାରଗୁଡିକୁ ନିୟନ୍ତ୍ରଣ କରିଥାଏ । ଯଦି କୌଣସି ବିରଳ ଗ୍ରୁପ୍‍ର ରକ୍ତ ପାଇଁ ଅନ୍ୟ ରକ୍ତଭଣ୍ଡାରକୁ ଯିବାକୁ ପଡୁଛି ସେତେବେଳେ ଏହି ଭିନ୍ନ ଭିନ୍ନ ଫର୍ମରେ ଥିବା ଅଲଗା ଅଲଗା ସୂଚନାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରତିକାର ଲାଗି ଦାବି ହେଉଛି ।

ତେଣୁ ସମଗ୍ର ରାଜ୍ୟ ପାଇଁ ଗୋଟିଏ ପ୍ରକାର ଫର୍ମ ଛପାଇବାକୁ ମତପ୍ରକାଶ ପାଉଛି । ଫଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । (ତଥ୍ୟ)