Home General ପଡ଼ିରହିଛି କୋଟିଏ ଟଙ୍କା

ପଡ଼ିରହିଛି କୋଟିଏ ଟଙ୍କା

ଭୁବନେଶ୍ୱର : ପୁରୀ ଜିଲ୍ଲାର ଅନ୍ୟତମ ଗାନ୍ଧୀ ପୀଠ ବେରବୋଇକୁ ଗାନ୍ଧୀ ସର୍କିଟ୍‍ର ଅନ୍ତର୍ଭୁକ୍ତ କରି ଏହି ପବିତ୍ର ସ୍ଥାନର ବିକାଶ ଲାଗି ରାଜ୍ୟ ସରକାର ୬ ବର୍ଷ ତଳେ କୋଟିଏ ଟଙ୍କା ମଞ୍ଜୁର କରିଥିବା ବେଳେ ଇତିମଧ୍ୟରେ ଏଥିରେ ଗୋଟିଏ ଟଙ୍କାର ବି କାମ ହୋଇନାହିଁ । ଓଲଟା ଏହି ପୀଠରେ ଥିବା କେତେକ ଗଛକୁ ବିକାଶ ନାମରେ କାଟି ଦିଆଯିବା ସହ ପାଚେରୀକୁ ଭାଙ୍ଗି ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୩୮ ମସିହା ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଗାନ୍ଧୀଜୀ ପତ୍ନୀ କସ୍ତୂରବା, ପୁଅ ମଣିଲାଲ, ବୋହୂ ସୁଶୀଳା, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଜେ.ବି କୃପାଳିନୀ, ମୌଲାନା ଆଜାଦ, ପ୍ରଫୁଲ୍ଲ ଚନ୍ଦ୍ର ଘୋଷଙ୍କ ଭଳି ବହୁ ସର୍ବଭାରତୀୟ ନେତାଙ୍କ ସହ ବେରବୋଇର ଗାଁ ଗହିରରେ ନିର୍ମିତ ଛଣ ଓ ପତ୍ର କୁଡ଼ିଆରେ ଅବସ୍ଥାନ କରିଥିଲେ ।

ଓଡ଼ିଶାର ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ଅନ୍ୟତମ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‍ଗୋ, ମା’ ରମାଦେବୀ, ଗୌପବନ୍ଧୁ ଚୌଧୁରୀ, କୃପାସିନ୍ଧୁ ହୋତା, ସୁନାମଣି ଦେବୀ, ବିନୋଦ କାନୁନ୍‍ଗୋ, ରାଧାନାଥ ରଥ, ହରେକୃଷ୍ଣ ମହତାବ, ବିଶ୍ୱନାଥ ପଟ୍ଟନାୟକ, ଅନ୍ନପୂର୍ଣ୍ଣା ମହାରାଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବକ ଭାବେ କାର୍ଯ୍ୟ କରିଥିଲେ ।

ଦେଶର ବିଭିନ୍ନ ସମସ୍ୟା ଓ ତାହାର ପ୍ରତିକାର ଏବଂ ସ୍ୱାଧୀନ ଭାରତର ସ୍ୱରୂପ ବିଶେଷ କରି ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଗ୍ରାମ ସ୍ୱରାଜ, ଅହିଂସା ଆଦି ପ୍ରସଙ୍ଗରେ ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାମାନ କରାଯିବା ସହ ସ୍ୱାଧୀନ ଭାରତର ନକ୍ସା ଅଙ୍କାଯାଇଥିଲା ।

ଏହି ଐତିହାସିକ ସମ୍ମିଳନୀର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ମା’ ରମାଦେବୀଙ୍କ ଉଦ୍ୟମରେ ବେରବୋଇରେ କସ୍ତୂରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ନିଧିର ଏକ ସେବାଶ୍ରମ ଏଠାରେ ପ୍ରତିଷ୍ଠା କରାଯାଇଛି । ଏହାଛଡ଼ା ସ୍ଥାନୀୟ ଲୋକମାନଙ୍କ ଉଦ୍ୟମ କ୍ରମେ ବେରବୋଇରେ ଗାନ୍ଧୀ ସ୍ମୃତି ସମିତି ଗଢ଼ାଯାଇ ବର୍ଷ ବର୍ଷ ଧରି ଏହି ଐତିହାସିକ ଘଟଣାର ସ୍ମୃତିରୋମନ୍ଥନ କରାଯାଉଛି ।

ଗାନ୍ଧୀଜୀ ଓ କସ୍ତୂରବା ଏହି ଗ୍ରାମର ବ୍ରହ୍ମେଶ୍ୱର ପୋଖରୀ ନିକଟରେ ଯେଉଁ ସ୍ଥାନରେ ଅସ୍ଥାୟୀ କୁଡ଼ିଆରେ ରହୁଥିଲେ ସେଠାରେ ଗାନ୍ଧୀଜୀଙ୍କର ଏକ ପ୍ରତିମୂର୍ତ୍ତି ଦୀର୍ଘବର୍ଷ ତଳୁ ସ୍ଥାପିତ ହୋଇଛି । ଗାନ୍ଧୀଜୀ ବେରବୋଇ ଗାଁରୁ ଉପହାର ସ୍ୱରୂପ ଆଚାର୍ଯ୍ୟ ହରିହରଙ୍କଠାରୁ ପାଇଥିବା ବାଡ଼ିଟି ଧରି ଭାରତବର୍ଷର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବୁଲୁଥିଲେ । ପରବର୍ତ୍ତୀ ସମୟରେ ଗାନ୍ଧୀ ଆଦର୍ଶରେ ବେରବୋଇଠାରେ ଏକ ମୌଳିକ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଏହି ପୀଠକୁ ଦେଶ ବିଦେଶର ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସମେତ ଅନେକ ରାଜ୍ୟପାଳ, ମନ୍ତ୍ରୀ, ନେତା ଆଦି ଆସିଛନ୍ତି ।

ବେରବୋଇର ଗାନ୍ଧୀ ପୀଠକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଗାନ୍ଧୀ ସର୍କିଟ୍‍ରେ ସାମିଲ କରି ଏହାର ଭିତ୍ତିଭୂମି ବିକାଶ ଲାଗି ୨୦୧୪-୧୫ ବର୍ଷରେ କୋଟିଏ ଟଙ୍କା ମଞ୍ଜୁର କରିଥିବା ବେଳେ ଏପର୍ଯ୍ୟନ୍ତ ସେଠାରେ ଏହି ଟଙ୍କାରେ ଗୋଟିଏ ହେଲେ ଯୋଡ଼ାଯାଇନାହିଁ ବୋଲି ଅନେକ ଗାନ୍ଧୀପ୍ରେମୀ ଅଭିଯୋଗ କରିଛନ୍ତି ।

ତେବେ ୬ ବର୍ଷ ଧରି ମଝିରେ ମଝିରେ ଅଫିସରମାନେ ଘଟଣାସ୍ଥଳର ବାରମ୍ବାର ପରିଦର୍ଶନ ସହ ମାପଚୁପ କରିବା ସଙ୍ଗେ ସଙ୍ଗେ କିଛି ନଡ଼ିଆ ଗଛ କାଟିଛନ୍ତି ଓ ଗାନ୍ଧୀ ପୀଠର ପାଚେରୀକୁ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗିଦେଇ ନିଶାଡ଼ିଙ୍କ ପାଇଁ ଖୋଲାମେଲା ଛାଡ଼ିଦେଇଛନ୍ତି । ଏ ପ୍ରସଙ୍ଗରେ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଗାନ୍ଧୀ ସ୍ମୃତି ପୀଠର ବିକାଶ ଲାଗି ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।