Home Health ପ୍ଲାଜମା ଥେରାପିରେ ୮ଶହରୁ ଅଧିକ ସୁସ୍ଥ

ପ୍ଲାଜମା ଥେରାପିରେ ୮ଶହରୁ ଅଧିକ ସୁସ୍ଥ

ପ୍ଲାଜମା ଥେରାପି ପ୍ରୟୋଗରେ ୮ଶହରୁ ଅଧିକ କରୋନା ସଂକ୍ରମିତ ଓଡିଶାରେ ସୁସ୍ଥ ହୋଇଥିବାବେଳେ ସାଢେ ୩ଶହଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ହଜାର ୟୁନିଟ୍‍ରୁ ଅଧିକ ପ୍ଲାଜମା ସଂଗ୍ରହ ହୋଇ ସାରିଲାଣି ।

ଏଯାବତ୍‍ ଓଡିଶାରେ ପ୍ରାୟ ୨ଲକ୍ଷ ୮୦ହଜାର ଲୋକ କରୋନା ସଂକ୍ରମିତ ଭାବେ ଚିହ୍ନିତ ହୋଇଥିବାବେଳେ ୨ଲକ୍ଷ ୬୦ହଜାରରୁ ଅଧିକ ସୁସ୍ଥହୋଇ ସାରିଲେଣି । ଏବେ ପ୍ରାୟ ୧୯ହଜାର କରୋନା ରୋଗୀ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ଅନେକ ରୋଗୀଙ୍କ ପାଇଁ ପ୍ଲାଜମାର ଆବଶ୍ୟକତା ପଡୁଛି ।

ସରକାରୀ ତଥ୍ୟ ମୁତାବକ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଠାରୁ ସଂଗୃହୀତ ପ୍ଲାଜମା ବ୍ୟବହାର କରି ପ୍ରାୟ ୮୫୦ ଗୁରୁତର କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ବିଶେଷଜ୍ଞମାନେ କହୁଛନ୍ତି ଯେ କରୋନା ପାଇଁ ଏଯାବତ୍‍ ନିର୍ଦ୍ଦିଷ୍ଟ ପ୍ରତିଷେଧକ କିମ୍ବା ଔଷଧ ବାହାରି ନଥିବାବେଳେ ପ୍ଲାଜମା ଏହି ଗୁରୁତର ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଛି ।

କେବଳ ସେତିକି ନୁହେଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଗ୍ରହଣ କରି ଆଉ ପ୍ରାୟ ୩୫୦ କୋଭିଡ ରୋଗୀଙ୍କ ଅବସ୍ଥାରେ ଉନ୍ନତି ଆସୁଥିବାବେଳେ ପାଖାପାଖି ୭୦୦ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଇତି ମଧ୍ୟରେ ରାଜ୍ୟରେ ଥିବା ପ୍ଲାଜମା ବ୍ୟାଙ୍କଗୁଡିକ ମାଧ୍ୟମରେ ୩ହଜାର ୟୁନିଟ୍‍ରୁ ଅଧିକ ପ୍ଲାଜମା ସଂଗୃହୀତ ହୋଇସାରିଛି ଏବଂ ସେଥିରୁ ୨୬୦୦ରୁ ଅଧିକ କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା ବ୍ୟବସ୍ଥା ହୋଇଛି ।

ଖୋରଧା ଜିଲ୍ଲାରେ ୫ଶହରୁ ଅଧିକ କରୋନା ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିବାବେଳେ ଗଞ୍ଜାମରେ ୪ଶହ, କଟକରେ ୩୫୦, ସୁନ୍ଦରଗଡରେ ପ୍ରାୟ ଅଢେଇଶହ ପର୍ଯ୍ୟନ୍ତ ରୋଗୀ ପ୍ଲାଜମା ନେଇଛନ୍ତି । ଝାରସୁଗୁଡାରେ ଶତାଧିକ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ ସମ୍ବଲପୁର, ବରଗଡ ଓ ବାଲେଶ୍ୱର ଜିଲ୍ଳାରେ ମଧ୍ୟ ଶହେ ପାଖାପାଖି କରି କୋଭିଡ ରୋଗୀ ପ୍ଲାଜମା ଥେରାପିରୁ ଉପକୃତ ହୋଇଛନ୍ତି ।

କରୋନା ସଂକ୍ରମଣରୁ ଆରୋଗ୍ୟ ହେବାର ୪ସପ୍ତାହ ପରେ ୧୮ରୁ ୬୫ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ଲାଜମା ଦାନ କରିପାରିବେ । ତେବେ ମଧୁମେଧ, କ୍ୟାନସର, କିଡ୍‍ନୀ, ହୃଦରୋଗ, ଫୁସ୍‍ଫୁସ୍‍ ଓ ଲିଭର ଜନିତ ରୋଗୀ ଏବଂ ଗର୍ଭବତୀମାନେ କିନ୍ତୁ ପ୍ଲାଜମା ଦେଇପାରିବେ ନାହିଁ ।

ଇତି ମଧ୍ୟରେ ରାଜ୍ୟ ସରକାର କଟକ, ବ୍ରହ୍ମପୁର, ବୁର୍ଲା ଓ କୋରାପୁଟ ଠାରେ ଥିବା ମେଡିକାଲ କଲେଜ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଓ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍‍ ପ୍ରତିଷ୍ଠା କରିଛନ୍ତି । ତେବେ ରାଜ୍ୟରେ ୨ଲକ୍ଷ ୬୦ହଜାରରୁ ଅଧିକ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିବାବେଳେ ଏଯାବତ୍‍ ଏମାନଙ୍କ ମଧ୍ୟରୁ ୨ହଜାର ଜଣ ବି ପ୍ଲାଜମା ଦାନ କରିନାହାନ୍ତି ।