Home Judiciary ପ୍ରାପ୍ୟ ପାଇଁ ପୂର୍ବତନ ସୈନିକଙ୍କ ଅଦାଲତି ଲଢେଇ

ପ୍ରାପ୍ୟ ପାଇଁ ପୂର୍ବତନ ସୈନିକଙ୍କ ଅଦାଲତି ଲଢେଇ

ଭୁବନେଶ୍ୱର : ଦେଶର ଶତ୍ରୁ ବିରୁଦ୍ଧରେ ଲଢିବାପାଇଁ ସେନା ବାହିନୀରେ ୧୫ବର୍ଷ ଧରି ସଫଳତାର ସହ କାମ କରିବାପରେ ଓଡିଶା ପ୍ରଶାସନିକ ସେବାରେ ନିଷ୍ଠା ଓ ଦକ୍ଷତାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଣେ ପୂର୍ବତନ ସୈନିକ ଏବେ ତାଙ୍କର ପ୍ରାପ୍ୟ ପାଇଁ ରାଜ୍ୟ ପ୍ରଶାସନ ବିରୁଦ୍ଧରେ ୫ବର୍ଷ ଧରି ଲଢି ଚାଲିଛନ୍ତି ।

ସ୍ୟାଟ୍‍ ଓ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବାପରେ ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ରୁଜୁ କରିଥିବା ମାମଲା ଖାରଜ ହୋଇଯିବା ପରେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ପ୍ରାପ୍ୟ ମିଳୁନାହିଁ । ଏଥିଲାଗି ତାଙ୍କୁ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଛି ।

ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଳୁ ଚରଣ ରଣସିଂହ ୧୯୯୬ ମସିହାରେ ଓଡିଶା ପ୍ରଶାସନିକ ସେବା ଅଧିକାରୀଭାବେ ଯୋଗଦେଇ ୨୦୧୭ ମସିହାରୁ ଅବସର ଗ୍ରହଣ କଲେଣି । ଚାକିରି କାଳ ଭିତରେ ବଦଳି ହୋଇ ସେ ଆସିକାର ତହସିଲଦାର ଭାବେ ଯୋଗଦେବାର ଅଳ୍ପ କେଇଦିନ ମଧ୍ୟରେ ରାଜସ୍ୱ ପାର୍ଷଦରୁ ନିର୍ଦ୍ଦେଶ ପାଇଥିଲେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବାଲିଘାଟ ଲିଜ୍‍ ଦେବାପାଇଁ ।

ସେ ଏହି ତହସିଲକୁ ଆସିବାର ଦୀର୍ଘବର୍ଷ ପୂର୍ବରୁ ଅନେକ ବାଲିଘାଟ ନିଲାମ କିମ୍ବା ଲିଜ୍‍ରେ ଦିଆନଯାଇ ବାଲି ମାଫିଆଙ୍କ ଚୋରା କାରବାର ପାଇଁ ଏକ ପ୍ରକାର ଛାଡି ଦିଆଯାଇଥିଲା । ତେବେ ରାଜସ୍ୱ ପାର୍ଷଦର ନିର୍ଦ୍ଦେଶାନୁଯାୟୀ ତହସିଲଦାର ଶ୍ରୀ ରଣସିଂହ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ କ୍ରମେ ବାଲିଘାଟ ଲିଜ୍‍ ଦେବାପରେ ସରକାର ତାଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଥିରେ ମଧ୍ୟ ଦଣ୍ଡବିଧାନ ହୋଇଥିଲା ।

ଏ ପ୍ରସଙ୍ଗରେ ନ୍ୟାୟ ପାଇଁ ଶ୍ରୀ ରଣସିଂହ ସ୍ୟାଟ୍‍ଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସ୍ୟାଟ୍‍ ତାଙ୍କ ମାମଲାର ବିଚାର କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ହୋଇଥିବା ଦଣ୍ଡବିଧାନକୁ ବାତିଲ କରିଦେବା ସହ ନିଲମ୍ବନ ସମୟକୁ କାର୍ଯ୍ୟଦିବସ ଭାବେ ଗ୍ରହଣ କରି ସରକାର ଏହି ସଚ୍ଚୋଟ ଅଧିକାରୀଙ୍କୁ ସମସ୍ତ ପ୍ରାପ୍ୟ ଦେବା ଏବଂ ଯଦି ତାଙ୍କର କୌଣସି କନିଷ୍ଠ ଅଧିକାରୀ ପଦୋନ୍ନତି ପାଇଥାନ୍ତି ତେବେ ସେହି ତାରିଖରୁ ତାଙ୍କୁ ବି ପଦୋନ୍ନତି ଦେବାକୁ କହିଥିଲେ ।

ଏହା ବିରୁଦ୍ଧରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ରିଟ୍‍ ଆବେଦନ ଦାଖଲ କରିଥିଲେ ଏବଂ ମାମଲାର ବିସ୍ତୃତ ଶୁଣାଣି କରି ହାଇକୋର୍ଟ ସ୍ୟାଟ୍‍ଙ୍କ ରାୟକୁ କାଏମ ରଖିବାରୁ ତାହା ବିରୁଦ୍ଧରେ ଓଡିଶା ସରକାର ସୁପ୍ରିମ୍‍କୋର୍ଟରେ ଏକ ଏସ୍‍ଏଲ୍‍ପି ଦାଖଲ କରିଥିଲେ । ଏହି ଏସଏଲ୍‍ପିଟି ମଧ୍ୟ ଖାରଜ ହୋଇଯାଇଛି ।

ଇତି ମଧ୍ୟରେ ୨୦୧୭ ମସିହାରେ ଶ୍ରୀ ରଣସିଂହ ଚାକିରିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ସମସ୍ତ ପ୍ରାପ୍ୟ ମିଳିନାହିଁ । ଏଥିଘେନି ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସେ ଓଡିଶା ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶର ଅନୁପାଳନ କରି ରାଜକୋଷକୁ ରାଜସ୍ୱ ଆଣିବାପାଇଁ ବାଲିଘାଟ ଲିଜ୍‍ ଦେଇ ମାଫିଆଙ୍କ ଚୋରି ରୋକିଥିବାବେଳେ ପ୍ରଶଂସା ପାଇବା ପରିବର୍ତ୍ତେ ତାଙ୍କୁ ନିଲମ୍ବିତ କରାଯିବା ସହ ଏକ ପ୍ରକାର ବଦନାମ କରାଯାଇଥିଲା ବୋଲି ଶ୍ରୀ ରଣସିଂହ କ୍ଷୋଭର ସହ କହିଛନ୍ତି ।

ତେବେ ଦେଶର ବିଚାର ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ଏବଂ ଜଣେ ଲଢୁଆ ସୈନିକ ଭାବେ ସେ ଶତ୍ରୁପକ୍ଷ ବିରୁଦ୍ଧରେ ଲଢିଥିବାବେଳେ ଏବେ କିନ୍ତୁ ତାଙ୍କୁ ନିଜ ସରକାରର ବ୍ୟବସ୍ଥା ବିରୁଦ୍ଧରେ ହକ୍‍ ଓ ମର୍ଯ୍ୟାଦା ରକ୍ଷାପାଇଁ ଲଢିବାକୁ ପଡୁଛି । (ତଥ୍ୟ)