Home Health ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ରୋଗନିର୍ଣ୍ଣୟ ସୁବିଧା

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବ ରୋଗନିର୍ଣ୍ଣୟ ସୁବିଧା

ଭୁବନେଶ୍ୱର : ଉଭୟ ଗ୍ରାମ ଏବଂ  ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟ  କେନ୍ଦ୍ର  ଓ କମ୍ୟୁନିଟି  ହେଲ୍‌ଥ୍ ସେଣ୍ଟର ମାନଙ୍କରେ  ଖୁବ୍‌ଶିଘ୍ର  ରୋଗନିର୍ଣ୍ଣୟ ପରୀକ୍ଷା ପାଇଁ  ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ  ସୃଷ୍ଟି କରାହେବ ।  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ  ବୈଠକରୁ ଏହା ଜଣାପଡିଛି ।  ଡ଼ିଜିଟାଲ୍ ମୋଡରେ  ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ପ୍ରାଥମିକ ଚିକିତ୍ସା  ବ୍ୟବସ୍ଥାର ଆଧୂନିକରଣ ସମ୍ବନ୍ଧୀୟ ଆର୍ଥିକ, ବୈଷୟିକ ଓ ପ୍ରଶାସନିକ  ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।  

ଗ୍ରାମ ଓ ସହରାଞ୍ଚଳରେ  ପ୍ରାଥମିକ  ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ  ଗୁରୁତ୍ୱ ଆରୋପକରି  ଏଥି ପାଇଁ ଆବଶ୍ୟକତା  ଭିତ୍ତିକ ନିର୍ଦ୍ଧିଷ୍ଟ କାର୍ଯ୍ୟଯୋଜନା  ପ୍ରସ୍ତୁତ କରିବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଜାତୀୟ ସ୍ୱାସ୍ଥ୍ୟ  ମିଶନ  ନିର୍ଦ୍ଦେଶାଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏସବୁ ସ୍ତରରେ ରହିଥିବା ଭିତ୍ତିଭୂମି ଏବଂ ଯନ୍ତ୍ରପାତି ଆବଶ୍ୟକତାର ସଠିକ ଅନୁଧ୍ୟାନ  କରି ଜୁଲାଇ ମାସ ଶେଷସୁଦ୍ଧା  ଜିଲ୍ଲା କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର କହିଥିଲେ ।

ଏହି କାର୍ଯ୍ୟର ସୁପରିଚାଳନା ଏବଂ  ତଦାରଖ ନିମନ୍ତେ  ରାଜ୍ୟ ଏବଂ  ଜିଲ୍ଲାସ୍ତରରେ  ସ୍ୱତନ୍ତ୍ର କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା ।  ରାଜ୍ୟସ୍ତରୀୟ କମିଟି  ମୁଖ୍ୟ ଶାସନ ସଚିବ ଏବଂ  ଜିଲ୍ଲାସ୍ତରୀୟ  କମିଟି ସଂପୃକ୍ତ ଜିଳ୍ଲାର  ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ  କାର୍ଯ୍ୟ କରିବ ।  ରାଜ୍ୟ କମିଟିରେ  ତ୍ରୀ-ସ୍ତରୀୟ ଗ୍ରାମ୍ୟ ଓ  ସହର ସ୍ୱାୟତଶାସନ  ସଂସ୍ଥାରୁ  ପ୍ରତିନିଧିମାନଙ୍କୁ ସାମିଲ କରାଯିବ ।

ସେହିପରି ଜିଳ୍ଲାସ୍ତରୀୟ  କମିଟିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ, ଗୃହ ଓ ନଗର ଉନ୍ନୟନ ବିଭାଗ  ଅଧିକାରୀମାନଙ୍କ ସହ ପଂଚାୟତ ଓ ସହରାଞ୍ଚଳ ସ୍ୱାୟତ ଶାସନ  ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ ।   ଏଥି ପାଇଁ ଗ୍ରାମ  ଓ ସହରାଞ୍ଚଳ ସ୍ୱାୟତ ଶାସନ  ସଂସ୍ଥାମାନଙ୍କର ଦକ୍ଷତା ଅବିବୃଦ୍ଧି କର୍ମଶାଳାମାନ ଆୟୋଜନ କରାଯିବ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ୧୫ଶ  ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଏହି  ଭିତ୍ତିଭୂମି ଓ ସେବା ସୁଯୋଗ ଅବିବୃଦ୍ଧି କାର୍ଯ୍ୟକ୍ରମ  କରାଯିବ । ଏଥି ପାଇଁ ୨୦୨୧ ରୁ ୨୦୨୬ ମସିହା ମଧ୍ୟରେ ପ୍ରାୟ ୨୪୫୪ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ଅର୍ଥ ସ୍ଥାନୀୟ ସ୍ୱାୟତ ଶାସନ  ସଂସ୍ଥା  ମାଧ୍ୟମରେ  ବିନିଯୋଗ ହେବ ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଉନ୍ନତିକରଣ, ବ୍ଳକ୍ ସ୍ତରରେ ଜନ ସ୍ୱାସ୍ଥ୍ୟ  ୟୁନିଟ୍ ପ୍ରତିଷ୍ଠା, ରୋଗ ନିଦାନ ପରୀକ୍ଷା ପାଇଁ ଭତ୍ତିଭୂମି, ଯନ୍ତ୍ରପାତି ଆଦି କାର୍ଯ୍ୟରେ ଏହି  ଅର୍ଥ ନିବେଶ କରାଯିବ । ଏହା ଫଳରେ ଜନସାଧାରଣ  ସହଜରେ ଆଧୂନିକ  ରୋଗନିର୍ଣ୍ଣୟ ସୁବିଧା ନିଜ ଅଂଚଳରେ  ପାଇ ପାରିବେ । ବିଭିନ୍ନ ପ୍ରକାର ସାଧାରଣ ନିଦାନ ପରୀକ୍ଷ  ପାଇଁ  ସହରାଞ୍ଚଳକୁ ଦୌଡି ଖର୍ଚ୍ଚାନ୍ତ ହେବେ ନାହିଁ ।

ତୃଣମୁଳସ୍ତର ସ୍ୱାସ୍ଥ୍ୟ ସେବା ଯୋଗାଣରେ ଏହା ବିଶେଷ  ସହାୟକ ହେବ ।  ପ୍ରକଳ୍ପ ପ୍ରସ୍ତୁତି, ସମୟାନୁବନ୍ଧିତ ଭାବେ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ଏବଂ ଗୁଣାତ୍ମକ ସେବା ଯୋଗାଣ ଉପରେ ଦୃଷ୍ଟି ନିବଦ୍ଧ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ବ୍ଳକ୍ ଏବଂ ସହରାଞ୍ଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ, ନଗର ଓ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ  ଜି.ମାଥିଭାଥାନନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଜାତୀୟ ସ୍ୱାସ୍ଥ୍ୟ ମିଶନ  ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍, ସହରାଞ୍ଚଳ ପ୍ରଶାସନ  ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।