Home Health ପ୍ରାଥମିକ ଚିହ୍ନଟ ଦ୍ୱାରା କର୍କଟକୁ ପରାସ୍ତ କରିହେବ

ପ୍ରାଥମିକ ଚିହ୍ନଟ ଦ୍ୱାରା କର୍କଟକୁ ପରାସ୍ତ କରିହେବ

ଭୁବନେଶ୍ୱର : ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ । ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏହି ମତ ରଖିଛନ୍ତି ବିଶେଷଜ୍ଞ ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତମାନ ସମୟରେ ସହଜ ହୋଇ ପଡ଼ିଥିବା ବେଳେ ରୋଗୀଙ୍କୁ ଉତକୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତମାନ ଉପଲବ୍ଧ ହୋଇ ପାରୁଛି ବୋଲି ଏହି ଅବସରରେ କର୍କଟ ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲ ମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ।

ସମ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସଚୀ ମିଶ୍ର । କୋଭିଡ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଥିବା ସବ୍ୟସଚୀ ନିଜ ବକ୍ତବ୍ୟରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ \”ଆଶାର ଦୂତ\’ ବୋଲି ଅଭିହିତ କରିଥିଲେ । ଏହି ଦୂତ ମାନେ ଅନ୍ୟ ରୋଗୀମାନଙ୍କ ମନରେ କ୍ୟାନସର ଭଳି ରୋଗ ସହ ଲଢ଼ି ତାକୁ ପରାସ୍ତ କରିବାପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରନ୍ତୁ ବୋଲି ମତ ଦେଇଥିଲେ ।

ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କ୍ୟାନସର ନିରାକରଣ ପାଇଁ ଆଗୁଆ ଚିହ୍ନଟ ଜରୁରୀ ବୋଲି ସହମତି ପ୍ରକାଶ କରିବା ସହ ସମ୍ ହସପିଟାଲରେ ଏହି ରୋଗର ଚିହ୍ନଟ ଓ ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସୂଚନା ଦେଇଥିଲେ ।

କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସୋଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଏବଂ କୋଭିଡ କେୟାର କେନ୍ଦ୍ର ଆରମ୍ଭ କରାଯାଇ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଏହି ମହତ୍ କାର୍ଯ୍ୟ ନିମନ୍ତେ ସମ୍ ହସପିଟାଲର ଡାକ୍ତର, ନର୍ସ ଏବଂ ପାରା ମେଡିକ୍ସ ମାନଙ୍କୁ ପ୍ରଫେସର ସାମନ୍ତସିଂହାର ଶୁଭେଚ୍ଛା ଜଣାଇଥିଲେ । ସମ୍ ହସପିଟାଲର ଏହି କୋଭିଡ ଯୋଦ୍ଧା ମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିବା ସହ ମହାମାନବ ବୋଲି ଅଭିହିତ କରିଥିଲେ ।

ଏହି ଅବସରରେ ହସପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସୁନିଲ୍ ଅଗ୍ରୱାଲ ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସରୋଜ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ । ଡ. ଅଗ୍ରୱାଲ କହିଥିଲେ ଯେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କଣ ଚିନ୍ତା କରୁଛନ୍ତି ସେ ଦିଗରେ ସଚେତନ ହେବା ଜରୁରୀ ।