Home Health ପ୍ରାଚୀ ଏନକ୍ଲେଭରେ ଡେଙ୍ଗୁ ମଶା

ପ୍ରାଚୀ ଏନକ୍ଲେଭରେ ଡେଙ୍ଗୁ ମଶା

ଭୁବନେଶ୍ୱର : ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ପ୍ରାଚୀ ଏନ୍‍କ୍ଲେଭ ଓ ଏହାର ଆଖପାଖ ଅଞ୍ଚଳ ଏବେ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍‍ ମଶାଙ୍କ ବାସସ୍ଥଳୀ । ରାଜ୍ୟସ୍ତରୀୟ କୀଟ ବିଶେଷଜ୍ଞଦଳ ଏହି ଅଞ୍ଚଳ ଗସ୍ତ କରିବାବେଳେ ଏଡିସ୍‍ ମଶା ଥିବା ଠାବ କରିଛନ୍ତି ।

କୀଟ ବିଶେଷଜ୍ଞ ଡି.ଆର,ମହାପାତ୍ର ଓ ମିହିର ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍‍ ଚନ୍ଦ୍ରଶେଖରପୁର ଅଞ୍ଚଳ ଗସ୍ତ କରିଥିଲେ । ଏହି ଟିମ୍‍ରେ ଚନ୍ଦ୍ରଶେଖରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଫର୍ମାସିଷ୍ଟ, ଆଶାର୍କମୀ, ବିଏମ୍‍ସିର ୩ଜଣ ମଶା ଲାର୍ଭା ମରା ସୁପରଭାଇଜର ଆଦି ଗସ୍ତ କରିଥିଲେ ।

ଏହି ଗସ୍ତ ସମୟରେ ୮ନମ୍ବ ୱାର୍ଡର ପ୍ରାଚୀ ଏନକ୍ଲେଭ ଓ ଏହା ନିକଟରେ ଥିବା ନୀଳମାଧମ ବସ୍ତି ଅଞ୍ଚଳରେ ବିଶେଷଜ୍ଞଦଳ ଏଡିସ୍‍ ମଶାଙ୍କ ବଂଶବିସ୍ତାର ଅଞ୍ଚଳ ଠାବ କରିଥିଲେ । ବିଶେଷକରି ଏହି ଇଲାକାରେ ଗୋରୁଗାଈଙ୍କ ପାଇଁ ଘର ଆଗରେ ଥିବା ସିମେଣ୍ଟକୁଣ୍ଡ ଏଡିସ ମଶାଙ୍କ ବଂଶବିସ୍ତାର ପାଇଁ ଉପଯୁକ୍ତ ସ୍ଥାନ ପାଲଟିଥିବା ବିଶେଷଜ୍ଞ ଟିମ ସରକାରଙ୍କୁ ଦେଇଥିବା ରିପୋର୍ଟରୁ ଜଣାଯାଇଛି । ପ୍ରାଚୀ ଏନକ୍ଲେଭରେ ନିର୍ମାଣାଧିନ ଗୋଟିଏ ଘରଭିତରୁ ଏଡିସ୍‍ ମଶାର ଲାର୍ଭା ଠାବ କରାଯାଇଥିବାବେଳେ ନୀଳମାଧବ ବସ୍ତିରେ ଥିବା ଗୁହାଳ, ପାଣିକୁଣ୍ଡରେ ମଧ୍ୟ ଏଡିସ୍‍ ମଶା ଠାବ କରାଯାଇଛି ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଶେଷଜ୍ଞଦଳ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍‍ ମଶା ଓ ଲାର୍ଭା ଠାବ କରାଯିବାପରେ ଏହାର ନିରାକରଣ ପାଇଁ କେତେକ ପରାମର୍ଶ ଦେଇଛନ୍ତି । ଏଥି ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ଡେଙ୍ଗୁ ସନ୍ଦେହ କରାଯାଉଥିବା ରୋଗୀଙ୍କର ତୁରନ୍ତ ରକ୍ତ ପରୀକ୍ଷା କରାଯିବା ପାଇଁ କୁହାଯାଇଛି । ଏଥି ସହିତ ନିୟମିତ ଭାବେ ରାଜଧାନୀର ଯେଉଁ ଅଞ୍ଚଳରେ ଡେଙ୍ଗୁ ଦେଖାଯାଉଛି ସେଠାରେ ଲୋକଙ୍କୁ ସଚେତନ କରିବା ଜରୁରୀ ବୋଲି ବିଶେଷଜ୍ଞଦଳମତ ଦେଇଛନ୍ତି ।

ସେହିଭଳି ପ୍ରାଚୀ ଏନକ୍ଲେଭରେ ଲୋକଙ୍କ ଘର ସମ୍ମୁଖରେ ଥିବା ସିମେଣ୍ଟ କୁଣ୍ଡରେ ଯେଭଳି ପାଣି ନରହିବ ସେଥିପାଇଁ ତୁରନ୍ତ ଏହାକୁ ହଟାଇବା କିମ୍ବା ଓଲଟାଇ ଦେବାକୁ କୁହଯାଇଛି । ଯଦି କୌଣସି ବ୍ୟକ୍ତି ଘର ଆଗରେ କୁଣ୍ଡରେ ପାଣି ରଖିବାକୁ ଚାହୁଁଛନ୍ତି ତେବେ କୁଣ୍ଡଟିକୁ ଅତି କମରେ ସପ୍ତାହରେ ଥରେ ଶୁଖାଇବା ଆବଶ୍ୟକ । ଯାହା ଫଳରେ ଏଡିସ୍‍ ମଶାମାନେ ଏଥିରେ ଦେଇଥିବା ଅଣ୍ଡା ନଷ୍ଟ ହୋଇଯିବ । ଛାତ ଉପରେ ଥିବା ପାଣି ଟାଙ୍କିକୁ ଠିକଣା ଭାବେ ଘୋଡାଇବା ସହିତ ନିର୍ମାଣଧିନ ଘର ଗୁଡିକୁ ନିୟମିତ ଭାବେ ମଶା ନିୟନ୍ତ୍ରଣ କର୍ମଚାରୀମାନେ ଗସ୍ତ କରି ଲୋକଙ୍କୁ ବୁଝାଇବା ଆବଶ୍ୟକ ।

ରାଜଧାନୀରେ ଥିବା ପାର୍କ ଓ ବସ୍ତି ଅଞ୍ଚଳକୁ ବିଏମ୍‍ସିର ମଶା ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଗସ୍ତ କରିବା ସହିତ ପାର୍କ ଓ ଅନ୍ୟାନ୍ୟ ସ୍ଥାନରେ ଉଠୁଥିବା ଘାସଗୁଡିକୁ ନିୟମିତ ବ୍ୟବଧାନରେ କାଟି ଦେବାପାଇଁ ପରାମର୍ଶ ଦିଆଯାଇଛି ।

ଉଲ୍ଲେଖନୀୟ ଯେ ନୀଳାମାଧବ ବସ୍ତିର ଅନତି ଦୂରରେ ରହିଛି କେୟାର ହସ୍ପିଟାଲ ଓ ହାଟ । ଏହି ହାଟର ପଚା ପରିବା ଠାରୁ ଆରମ୍ଭ କରି କୁକୁଡା, ଛେଳି ଓ ମାଛ ପୁଟି ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ନିକଟରେ ବୋହି ଯାଉଥିବା ଏକ ଖୋଲା ନାଳରେ ପଡିଥାଏ । ଏବେ ଯାହାକୁ ଡ୍ରେନ କୁହାଯାଉଛି ୧୫ବର୍ଷ ତଳେ ଏକ ସ୍ୱଚ୍ଛ ଝରଣା ଥିଲା ଓ ସେଥିରେ ଶହ ଶହ ଲୋକ ଗାଧୋଉଥିଲେ । ଏବେ କିନ୍ତୁ ନୀଳାଦ୍ରୀବିହାର, ଲୁମ୍ବିନୀ ବିହାର, ବିଡିଏ କଲୋନୀ, ପ୍ରାଚୀ ଏନକ୍ଲେଭ ଆଦିର ସମସ୍ତ ନର୍ଦ୍ଦମାଜଳ ଏହି ମୁକୁଳା ଡ୍ରେନରେ ପଡୁଛି । ଏହା କଡ ଦେଇ ଯିବାବେଳେ ଦୁର୍ଗନ୍ଧରେ ନାକ ଫାଟିଯାଏ । ଏହି ମୁକୁଳା ଡ୍ରେନଟି ରାଜଧାନୀର ଏକ ପ୍ରମୁଖ ମଶା ଉତ୍ପାଦନ କେନ୍ଦ୍ର ହୋଇଥିବାବେଳେ ତାହାର ପ୍ରତିକାର କରାଯାଉନଥିବାରୁ ଡେଙ୍ଗୁ ବ୍ୟାପିବା ସ୍ୱାଭାବିକ । (ତଥ୍ୟ)