ଭୁବନେଶ୍ୱର : ନୂଆ ପାଞ୍ଜିର ଆକଳନ ଅନୁଯାୟୀ ୨୦୨୩-୨୪ ବର୍ଷରେ ଉନ୍ନୟନମୂଳକ କାମ ଯୋଗୁ ଓଡ଼ିଶା ପ୍ରଶଂସା ସାଉଁଟିବ ଏବଂ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଆଦି କ୍ଷେତ୍ରରେ ବିବିଧ ଉନ୍ନୟନମୂଳକ ଯୋଜନା ତୃଣମୂଳସ୍ତରକୁ ଲାଭଦାୟକ ହେବ । ଏଭଳି ଭବିଷ୍ୟବାଣୀ କରାଯାଇଛି ଓଡ଼ିଶା କୋହେନୂର ପ୍ରେସ ପଞ୍ଜିକାରେ ।
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ୮୮ବର୍ଷ ଧରି ପ୍ରଚଳିତ ଓଡ଼ିଶାର ସର୍ବପରିଚିତ, ବହୁ ପୁରାତନ, ସୁପ୍ରିତିଷ୍ଠିତ ଓ ବିଶୁଦ୍ଧ ପଞ୍ଜିକା ଭାବେ ଗଣାଯାଉଥିବା ଏହି ପଞ୍ଜିକାରେ ଦର୍ଶାଯାଇଛି ଯେ ଏହି ବର୍ଷରେ ନାରୀ ସଶକ୍ତିକରଣ, କୃଷିର ଉନ୍ନତି, ସରକାରୀ କର୍ମଚାରୀଙ୍କ ସମସ୍ୟା ସମାଧାନ ଆଦି ଦିଗରେ ସରକାର ନୂଆ ଯୋଜନାମାନ ଘୋଷଣା କରିବେ । ଧାର୍ମିକ ଅନୁଷ୍ଠାନ ଗୁଡିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ବୈଜ୍ଞାନିକ ଗବେଷଣା କ୍ଷେତ୍ରକୁ ଓଡ଼ିଶାରେ ପ୍ରାଧାନ୍ୟ ଦିଆଯିବ ।
ସାମାଜିକ ବିଶୃଙ୍ଖଳା, ନାରୀ ନିର୍ଯାତନା, ହିଂସାତ୍ମକ କାର୍ଯ୍ୟ ବିରୋଧରେ ମହିଳା ସଂଗଠନମାନେ ସ୍ୱର ଉଠାଇବେ, ରାଜନୈତିକ ସ୍ଥିରତା ମଧ୍ୟରେ ମୂଲ୍ୟବୃଦ୍ଧି ଆଦି ପ୍ରସଙ୍ଗରେ ବିରୋଧୀମାନେ ଆନ୍ଦୋଳନ କରିବେ ଏହାସତ୍ତ୍ୱେ ବି ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ, ସ୍ଥଳ ଓ ଆକାଶ ପଥରେ ଦୁର୍ଘଟଣା ସଂକ୍ରାନ୍ତରେ କୋହେନୂର ପ୍ରେସ୍ ପଞ୍ଜିକା ଚେତାବନୀ ଦେଇଛି । ଓଡିଶାରେ ସରକାରୀ ସ୍ତରରେ ସାମାନ୍ୟ ଅଦଳବଦଳ ସହିତ ନ୍ୟାୟିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ମଧ୍ୟ ଏହି ପଞ୍ଜିକାରେ ଗଣନା କରାଯାଇଛି ।
ମେଷ ମାସ ଆରମ୍ଭ ଅର୍ଥାତ୍ ପଣାସଂକ୍ରାନ୍ତି ବା ଆସନ୍ତା ଅପ୍ରେଲ୍ ୧୪ଠାରୁ ପାଞ୍ଜିର ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ଗଣନା ଗାଁ ଗହଳରେ ଜ୍ୟୋତିର୍ବିଦ୍ମାନେ ଦୋଳବିମାନ ନିକଟରେ ଦୋଳପୂର୍ଣ୍ଣମୀ ଦିନ କରିଥାନ୍ତି ।
କୋହେନୂର ପ୍ରେସ ପଞ୍ଜିକା ଉଲ୍ଲେଖ କରିଛି ଯେ, ଏବର୍ଷ ରାଜା- ଶୁକ୍ର ଓ ମନ୍ତ୍ରୀ- ଚନ୍ଦ୍ର ଓ ଗ୍ରହମାନଙ୍କ ଅବସ୍ଥାନରୁ ଜଣାଯାଉଛି ଯେ, ଦେଶରେ ରାଜନୈତିକ ସ୍ଥିରତା ବଜାୟ ରହିବା ସହିତ ଭାରତ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ବିରୋଧ ଭିତରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହେବ, ଦେଶରେ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ସହିତ କୃଷି, ବିଜ୍ଞାନ ଓ କାରିଗରୀ, ବୈଷୟିକ ଶିକ୍ଷା ଆଦିର ବିକାଶ ଘଟିବ । ତୈଳଦ୍ରବ୍ୟ ମୂଲ୍ୟବୃଦ୍ଧି ଯୋଗୁ ଜନଅସନ୍ତୋଷ ବଢିବ । ସୁନା, ରୁପା ଆଦିର ମୂଲ୍ୟ ବଢିବ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମଧ୍ୟ ଅଦଳବଦଳ ହୋଇପାରେ ।
୨୦୨୩-୨୪ ବର୍ଷଟି ବିଶ୍ୱ ପାଇଁ ଅତି ଜଟିଳ ସମୟ ବୋଲି ଉଲ୍ଲେଖ କରି ଏହି ବର୍ଷରେ ରାଜନୈତିକ, ଅର୍ଥନୈତିକ, ସ୍ୱାସ୍ଥ୍ୟ ଆଦି ବିଭନ୍ନ ସମସ୍ୟା ଉପୁଯିବ । ବିକଶିତ ଦେଶମାନେ ପ୍ରଭୂତ୍ୱ ବିସ୍ତାର ପାଇଁ କ୍ଷମତାର ଅପବ୍ୟବହାର କରିବା ଆଶଙ୍କା ଥିବାବେଳେ କ୍ଷୁଦ୍ର ଦେଶମାନେ ଆର୍ଥକ ସଙ୍କଟ ଦେଇ ଗତି କରିବେ ବୋଲି ପଞ୍ଜିକାର ଭବିଷ୍ୟବାଣୀ କରିଛନ୍ତି ।
ତୈଳ ଓ ଖଣିଜ ପଦାର୍ଥର ଦରବୃଦ୍ଧି ସହିତ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟି ବହୁ ଧନଜୀବନ ହାନୀ ହୋଇପାରେ ଏବଂ ଏଥିସହିତ ଭୂମିକମ୍ପର ସମ୍ଭାବନା ଥିବା କଥା ପଞ୍ଜିକାର ଉଲ୍ଲେଖ କରିଛନ୍ତି । ଅଜଣା ରୋଗପାଇଁ ପାଶ୍ଚାତ୍ୟ ଦେଶ ଗୁଡିକ ନୂଆ ଔଷଧ ପ୍ରସ୍ତୁତ କରି ଆଦୃତ ହେବେ ଏବଂ ଭାରତ ଶାନ୍ତିର ବାର୍ତ୍ତା ପ୍ରଦାନ ମାଧ୍ୟମରେ ଦେଶ ଦେଶ ଭିତରେ ମିତ୍ରତା ସୃଷ୍ଟି କରିବାକୁ ଉଦ୍ୟମ କରିବ ବୋଲି କୋହେନୂର ପଞ୍ଜିକାର ରାଷ୍ଟ୍ର ଫଳରେ ଦର୍ଶାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ବହୁ ପାଞ୍ଜି ପ୍ରକାଶ ପାଉଛି । ଏଥିମଧ୍ୟରେ ୧୯୩୫ ମସିହାରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶେଖ୍ ଅମିନୁଲ୍ ଇସ୍ଲାମ୍ କଟକ ଜାଉଁଳିଆପଟିରେ ନିଜ ଛାପାଖାନାରୁ ଓଡ଼ିଶା କୋହେନୂର ପ୍ରେସ ପଞ୍ଜିକା ପ୍ରକାଶନ ଆରମ୍ଭ କରିଥିଲେ । ପାଞ୍ଜି ସହିତ ବିଭିନ୍ନ ଧର୍ମଶାସ୍ତ୍ର, ପୁରାଣ, ଗୀତା, ଭାଗବତ ଏବଂ ସ୍ୱାଧୀନତାର ସଂଗ୍ରାମର ପ୍ରଚାରପତ୍ର ଓ ଦେଶଭକ୍ତି ଗୀତ ବି ଏହି ପ୍ରେସ୍ରେ ଛପା ଯାଉଥିଲା ।
ଏଥିପାଇଁ କୋହେନୂର ପ୍ରେସ ଛାପାଖାନାକୁ ଇଂରେଜ ସରକାର ଜବତ କରିବା ସହ ଏହାର ପ୍ରକାଶକ ଶେଖ୍ ଅମିନୁଲ୍ ଇସ୍ଲାମ୍ଙ୍କୁ ବନ୍ଦୀ କରିଥିଲେ । ଏବେବି ହିନ୍ଦୁ ଓଡ଼ିଆମାନେ କୋହେନୂର ପ୍ରେସ୍ ପାଞ୍ଜି ଉପରେ ଭରସା ରଖିଥିବା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ସୂଚନା ଦିଏ ।(ତଥ୍ୟ)