Home Environment ପ୍ରଦୂଷଣକାରୀ କାରଖାନାକୁ ବନ୍ଦ ନୋଟିସ୍‍

ପ୍ରଦୂଷଣକାରୀ କାରଖାନାକୁ ବନ୍ଦ ନୋଟିସ୍‍

ଭୁବନେଶ୍ୱର : ପ୍ରଦୂଷଣ ସୃଷ୍ଟି କରୁଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗତ ତିନିବର୍ଷରେ ୮ଟି କାରଖାନାକୁ ବନ୍ଦ ନୋଟିସ୍‍ ଦେଇଛି । ଏଥି ମଧ୍ୟରେ ଭୂଷଣ ପାୱାର ଓ ସମଲେଶ୍ୱରୀ ଇଣ୍ଡଷ୍ଟ୍ରି ଭଳି କାରଖାନା ରହିଛି ।

ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ପରିବେଶ ପ୍ରଦୂଷଣ ପାଇଁ ୨୦୧୯-୨୦ ମସିହାରେ ୪ଟି କାରଖାନାକୁ ବନ୍ଦ ନୋଟିସ୍‍ ଦିଆଯାଇଥିବାବେଳେ ୨୦୨୦-୨୧ ରେ ୨ଟି ଓ ୨୦୨୧-୨୨ ରେ ଦୁଇଟିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ନିର୍ଦ୍ଦେଶ ପାଇଥିବା କାରଖାନା ମଧ୍ୟରେ ରାଉରକେଲା ସ୍ପଞ୍ଜ, ଥାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ, ଗ୍ରିୱାଲ ଆସୋସିଏଟସ୍‍, ଭୂଷଣ ପାୱାର ଆଣ୍ଡ ଷ୍ଟି, ନିୟୁ ଲକ୍ଷ୍ମୀ ଷ୍ଟିଲ ଆଣ୍ଡ ପାୱାର ଆଦି ରହିଛି ।

ସେହିଭଳି ତିନି ବର୍ଷ ମଧ୍ୟରେ ୪୨ଟି ଶିଳ୍ପ ସଂସ୍ଥାଙ୍କୁ ପ୍ରଦୂଷଣ କରୁଥିବା ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଛି । ୨୦୧୯-୨୦ ବର୍ଷରେ ସର୍ବାଧିକ ୨୧ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବାବେଳେ ୨୦୨୦-୨୧ ରେ ୧୩ଟି ୨୦୨୧-୨୨ରେ ୮ଟି କାରଖାନାକୁ ଏହି ନୋଟିସ୍‍ ଜାରି ହୋଇଛି । ସେହିଭଳି ଦୁଇଟି କାରଖାନା ଠାରୁ ପ୍ରଦୂଷଣ ଚାର୍ଜ ଆଦାୟ ହୋଇଛି ।

ଏଥି ମଧ୍ୟରେ ଟାଇମ ଷ୍ଟିଲ ଆଣ୍ଡ ପାୱାର ଠାରୁ ବେଆଇନ୍‍ କଠିନ ବର୍ଜ୍ୟ ଫୋପାଡିବା ପାଇଁ ୨ଲକ୍ଷ ୨୫ହଜାର ଟଙ୍କା ଓ ଭୂଷଣ ପାୱାର ଏବଂ ଷ୍ଟିଲ ଠାରୁ ସମାନ ଅଭିଯୋଗରେ ୮୯ଲକ୍ଷ ୯୨ହଜାର ଟଙ୍କା କର୍ତ୍ତୃପକ୍ଷ ଆଦାୟ କରିଛନ୍ତି । (ତଥ୍ୟ)