Home Health ପ୍ରଥମ ଡୋଜ୍‍ ଟିକାଦାନରେ ୫ଜିଲ୍ଲା ପଛରେ

ପ୍ରଥମ ଡୋଜ୍‍ ଟିକାଦାନରେ ୫ଜିଲ୍ଲା ପଛରେ

ଭୁବନେଶ୍ୱର : ଶତ ପ୍ରତିଶତ ଟିକାଦାନ ଲକ୍ଷ୍ୟ ହାସଲ ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲୁଥିବାବେଳେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରଥମ ଡୋଜ୍‍ କୋଭିଡ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୮୫ ପ୍ରତିଶତରୁ କମ୍‍ ରହିଛି । ସେହିଭଳି ୧୨ଟି ଜିଲ୍ଲାରେ ପ୍ରଥମ ଡୋଜ୍‍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୮୫ରୁ ୯୦ ପ୍ରତିଶତ ମଧ୍ୟରେ ରହିଛି । ଏହି ଲୋକମାନେ କେବେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ସହିତ ବୁଷ୍ଟର ଡୋଜ୍‍ ନେବେ ଓ ଶତ ପ୍ରତିଶତ ଲକ୍ଷ୍ୟ ପୂରଣରେ ସହାୟକ ହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯେଉଁ ୫ଜିଲ୍ଲାରେ ପ୍ରଥମ ଡୋଜ୍‍ ଟିକାଦାନ ଏତେ ଧିମା ରହିଛି ସେଗୁଡିକ ହେଲା କଟକ, ଗଜପତି, ସୁନ୍ଦରଗଡ, ଅନୁଗୁଳ ଓ ରାୟଗଡା । କଟକ ଜିଲ୍ଲାରେ ୧୮ବର୍ଷରୁ ଉର୍ଦ୍ଧ୍ୱ ମାତ୍ର ୭୯ ପ୍ରତିଶତ ବ୍ୟକ୍ତି ପ୍ରଥମ ଡୋଜ୍‍ କୋଭିଡ ଟିକା ନେଇଥିବାବେଳେ ଗଜପତିରେ ୮୦, ସୁନ୍ଦରଗଡରେ ୮୧, ଅନୁଗୁଳରେ ୮୩ ଓ ରାୟଗଡାରେ ୮୪ ପ୍ରତିଶତ ନେଇଛନ୍ତି । କଟକ ଜିଲ୍ଲାରେ ରାଜ୍ୟର ସବୁଠାରୁ କମ୍‍ ଟିକାକରଣ ହେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଦ୍ୱୈତନଗରୀର ଅନ୍ୟତମ ସହର ଭୁବନେଶ୍ୱରରେ ସର୍ବାଧିକ ୧୧୭ ପ୍ରତିଶତ ଟିକାକରଣ ହୋଇଛି ।

ସେହିଭଳି ପ୍ରଥମ ଡୋଜ୍‍ ନେବା କ୍ଷେତ୍ରରେ ୯୦ ପ୍ରତିଶତରୁ କମ୍‍ ସଂଖ୍ୟା ଥିବା ଜିଲ୍ଲା ମଧ୍ୟରେ ଜଗତ୍‍ସିଂହପୁର, ନୟାଗଡ, ବାଲେଶ୍ୱର, ବରଗଡ, ପୁରୀ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ମୟୁରଭଞ୍ଜ, ବୌଦ, ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲା ରହିଛି । ଜଗତ୍‍ସିଂହପୁର ଓ ନୟାଗଡ ଜିଲ୍ଲାରେ ମାତ୍ର ୮୫ ପ୍ରତିଶତ ଲୋକେ ପ୍ରଥମ ଡୋଜ୍‍ ନେଇଛନ୍ତି । ବରଗଡା, ପୁରୀ ଓ ଢେଙ୍କାନାଳରେ ୮୭ ପ୍ରତିଶତ ଲୋକେ ପ୍ରଥମ ଡୋଜ୍‍ ନେଇଥିବାବେଳେ କେନ୍ଦୁଝର, କଳାହାଣ୍ଡି, ମୟୁରଭଞ୍ଜ ଓ ବୌଦରେ ଏହା ୮୮ ପ୍ରତିଶତ ଏବଂ ବଲାଙ୍ଗିର ଓ ଗଞ୍ଜାମରେ ଏହା ୮୯ ପ୍ରତିଶତ ରହିଛି ।

ଶତ ପ୍ରତିଶତ ପ୍ରଥମ ଡୋଜ୍‍ ଟିକାକରଣ ହୋଇଥିବା ଜିଲ୍ଲା ମଧ୍ୟରେ ନୂଆପଡା, କୋରାପୁଟ ଓ ଖୋରଧା ରହିଛି । ଖୋରଧା ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ରହିଥିବାରୁ ଏଠାରେ ପ୍ରଥମ ଡୋଜ୍‍ ଟିକାକରଣ ହାରାହାରି ୧୧୭ ପ୍ରତିଶତ ଦର୍ଶାଯାଇଛି ।

ରାଜ୍ୟରେ ଶତ ପ୍ରତିଶତ ଟିକାକରଣ ପାଇଁ ରାଜ୍ୟ ସରକାର ଗତବର୍ଷ ନଭେମ୍ବର ୩ ତାରିଖରୁ ଘରକୁ ଘର ବୁଲି ଟିକା ନେଇନଥିବା ଲୋକଙ୍କୁ ଠାବ କରୁଛନ୍ତି । ଏଥିପାଇଁ ୩୨୭୨ ଭ୍ରାମ୍ୟମାଣ ଟିମ୍‍ ମୁତୟନ ହୋଇଛନ୍ତି । ତେବେ ଯେଉଁ ହାରରେ ପ୍ରଥମ ଡୋଜ୍‍ ନେବାପାଇଁ ଲୋକେ ବାକି ରହିଛନ୍ତି ସେମାନଙ୍କୁ ଠାବ କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଦେବା ପାଇଁ ବହୁ ସମୟ ଲାଗିଯିବ । ଏହା ପଛକୁ ଏମାନଙ୍କ ମଧ୍ୟରୁ କେତେକ ବୁଷ୍ଟର ଡୋଜ୍‍ ବି ନେବାପାଇଁ ଯୋଗ୍ୟ ଥିବେ । ତେଣୁ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଓଡିଶାକୁ ଢେର ସମୟ ଲାଗିଯିବ ବୋଲି ଆକଳନ କରାଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here