Home News in Odia ପ୍ରଥମ ଡିଆଁରେ କେନ୍ଦ୍ରମନ୍ତ୍ରୀ

ପ୍ରଥମ ଡିଆଁରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆଜି ୪୩ ନୂଆ ମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥିରେ ଓଡିଶାରୁ ଦୁଇ ଜଣ ଅଛନ୍ତି । ଏମାନେ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ । ତେବେ ଏହି ଦୁଇଜଣ ପ୍ରଥମଥର ପାଇଁ ସଂସଦକୁ ଯାଇ ମନ୍ତ୍ରୀପଦ ପାଇବାରେ ସଫଳ ହୋଇଛନ୍ତି ।

ମୟୁରଭଞ୍ଜ ଲୋକସବା ଆସନରୁ ସଂସଦକୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଶେଶ୍ୱର । ପେଶାରେ ଜଣେ ଯନ୍ତ୍ରୀ ଥିବା ଶ୍ରୀ ଟୁଡୁ ବିଜେପିର ଜଣେ ସକ୍ରିୟ ସଦସ୍ୟ ଓ ଆରଏଏସ୍‍ର ଜଣେ ପ୍ରଭାବଶାଳୀ ସଂଗଠକ ହୋଇଥିବାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ଶ୍ରୀ ଟୁଡୁ ନିଜ ଲୋକସଭା ଆସନଟି ଜିଣିବା ସହିତ ଜିଲ୍ଲାରୁ ୬ଜଣ ବିଜେପି ବିଧାୟକ ବି ଜିତିଥିଲେ ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶା ସାଂସଦଙ୍କ ସାମିଲ ନେଇ ଶେଷ ମୂହୂର୍ତ୍ତରେ ହିଁ ଟୁଡୁଙ୍କ ନାମ ପଦାକୁ ଆସିଥିଲା । ପୂର୍ବରୁ ସେ ଏହି ଦୌଡରେ ନଥିଲେ । ତେବେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇ ଜଣେ ଆଦିବାସୀ ନେତାଭାବେ ସେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହେବା ଓଡିଶା ପାଇଁ ଗୌରବର ବିଷୟ ।

ସେହିଭଳି ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ବି ପ୍ରଥମଥର ପାଇଁ ସଂସଦକୁ ଯାଇଛନ୍ତି । ୧୯୯୪ ବ୍ୟାଚ୍‍ର ଓଡିଶା କ୍ୟାଡରର ଏହି ଆଇଏଏସ୍‍ ଅଫିସର ତାଙ୍କର ଚାକିରିକାଳ ମଧ୍ୟରେ ବାଜପେୟୀଙ୍କ ସରକାରରେ ପିଏମ୍‍ଓରେ କାମ କରିବାର ସୁଯୋଗ ପାଇବା ସହିତ ପରବର୍ତ୍ତୀ ସମୟରେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ଆଇଏଏସ୍‍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।

୨୦୧୯ ରାଜ୍ୟସଭା ନିର୍ବାଚନରେ ବିଜେପି ଶ୍ରୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ଭୋଟରେ ସିଏ ରାଜ୍ୟସଭାକୁ ଯିବାରେ ସଫଳ ହୋଇଥିଲେ । ସେତେବେଳେ ଏହାକୁ ନେଇ ବେଶ୍‍ ଚର୍ଚ୍ଚା ହୋଇଥିଲା । ତେବେ ଏହି ଅଣଓଡିଆ ଅଫିସର ଜଣଙ୍କ ଓଡିଶାରୁ ପ୍ରଥମଥର ପାଇଁ ରାଜ୍ୟସଭାକୁ ଯିବା ସହିତ କ୍ୟାବିନେଟ୍‍ ମନ୍ତ୍ରୀପଦ ହାତେଇ ନେଇଛନ୍ତି ।

ଅନ୍ୟ ପକ୍ଷରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଯେଉଁ ୧୨ଜଣ ମନ୍ତ୍ରୀ କେନ୍ଦ୍ର ସରକାରରୁ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ରହିଛନ୍ତି । ଶ୍ରୀ ଷଡଙ୍ଗୀ କେନ୍ଦ୍ରରେ ଏମ୍‍ଏସ୍‍ଏମଇ ମନ୍ତ୍ରାଳୟ ଦାୟିତ୍ୱ ନିର୍ବାହ କରୁଥିଲେ ।

ବର୍ତ୍ତମାନ ଅନ୍ୟତମ ଓଡିଆ ଭାବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଛନ୍ତି । ତେବେ ଧର୍ମେନ୍ଦ୍ର ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି । ଧର୍ମେନ୍ଦ୍ରଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ତୈଳ ମନ୍ତ୍ରାଳୟ ସହିତ ଇସ୍ପାତ ମନ୍ତ୍ରାଳୟ ବି ରହିଛି । ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଶ୍ରୀ ଟୁଡୁ ଓ ଶ୍ରୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ଦାୟିତ୍ୱ ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here