Home Culture ପ୍ରତ୍ୟାହାର ହେଲା ଏନ୍‍ଏମ୍‍ଏ କଟକଣା

ପ୍ରତ୍ୟାହାର ହେଲା ଏନ୍‍ଏମ୍‍ଏ କଟକଣା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‍ଏମ୍‍ଏ) ଐତିହ୍ୟ ବାଇ-ଲ ଜାରି କରିବାର ୭୨ଘଣ୍ଟା ମଧ୍ୟରେ ତାହା ପ୍ରତ୍ୟାହାର ହୋଇଛି । ଏହି ଘଟଣା ସାମ୍ନାକୁ ଆସିବାପରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ପରିବାର ଏପରିକି ସାଧାରଣ ଲୋକେ ଏହାର ତୀବ୍ର ବିରୋଧ କରିଥିଲେ ।

ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କୁ ଭେଟିବା ସହିତ ତୁରନ୍ତ ଏହା ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସାଂସଦମାନଙ୍କ ସହିତ ଆଲୋଚନା ପରେ ଭୁଲ୍‍ ବଶତଃ ଏହା ଜାରି ହୋଇଥିବା ଓ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନେବା ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଟ୍ୱିଟ୍‍ କରି ଜଣାଇଛନ୍ତି ।

ତେବେ ଏହି କଟକଣା ସଂକ୍ରାନ୍ତରେ ଜଣାପଡିବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଏନ୍‍ଏମ୍‍ଏ କତ୍ତୃପକ୍ଷଙ୍କୁ ସୁଦୀର୍ଘ ପତ୍ର ଲେଖି ଏହାଦ୍ୱାରା କିଭଳି ସେବାୟତ ପରିବାର କ୍ଷତିଗ୍ରସ୍ତ ହେବେ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଉପୁଯିବ ତାହା ଉଲ୍ଲେଖ କରିଥିଲେ । ଏଥି ସହିତ ଶ୍ରୀମନ୍ଦିର ଐତହ୍ୟ କରିଡର ନିର୍ମାଣରେ ଏହା ବାଧକ ସାଜି ବୋଲି ମଧ୍ୟ ଦର୍ଶାଇଥିଲେ ।

ସେହିଭଳି ସେବାୟତ ପରିବାର ସଦସ୍ୟମାନେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ କରିବା ସହିତ ଆଇନ୍‍ଗତ ପଦକ୍ଷେପ ଲାଗି ଧମକ ଦେଇଥିଲେ । ଆବଶ୍ୟକ ପଡିଲେ ସେମାନେ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସହିତ ଶ୍ରୀକ୍ଷେତ୍ର ଉନ୍ନୟନ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ ବୋଲି ଦୃଢ ସ୍ୱରରେ କହିବା ସହିତ କେନ୍ଦ୍ର ସରକାର ତୁରନ୍ତ ଏହି କଟକଣା ପ୍ରତ୍ୟାହାର ପାଇଁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟର କିଛି ସମୟ ପରେ ବାଇ-ଲ ପ୍ରତ୍ୟାହାର ନେଇ ଘୋଷଣା ହୋଇଥିଲା ।

LEAVE A REPLY

Please enter your comment!
Please enter your name here