Home Education ପ୍ରତିଷ୍ଠା ହେବ ଆଉ ୨୪ ଆଇଟିଆଇ

ପ୍ରତିଷ୍ଠା ହେବ ଆଉ ୨୪ ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଆଉ ୨୪ଟି ନୂତନ ଆଇଟିଆଇ କେନ୍ଦ୍ର ପ୍ରତିଷ୍ଠା ହେବ । ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ।

ଆଜି ବିଧାନସଭାରେ ଶ୍ରୀ ସିଂହଙ୍କ ମୂଳ ପ୍ରଶ୍ନ ଉପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରା, ତାରା ପ୍ରସାଦ ବାହିନିପତି, ବିଜେଡି ବିଧାୟକ ରୋହିତ ପୂଜାରୀ, ଅରବିନ୍ଦ ଢାଲି, ନିତ୍ୟାନନ୍ଦ ଗଣ୍ଡ ବିଜେପି ବିଧାୟିକା କୁସୁମ ଟେଟେ ପ୍ରମୁଖ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ ।

ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ ରାଜ୍ୟରେ ଆଉ ୨୪ଟି ନୂତନ ଆଇଟିଆଇ କେନ୍ଦ୍ର ପ୍ରତିଷ୍ଠା ହେବ । ବର୍ତ୍ତମାନ ରାଜ୍ୟରେ ୪୯ଟି ସରକାରୀ ଓ ୪୮୮ଟି ବେସରକାରୀ ଆଇଟିଆଇ ରହିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ଠାରେ ଇମ୍ଫା ଓ ଗଞ୍ଜାମ ଜିଲ୍ଲାର ସେରଗଡ ଠାରେ ଏନ୍‍ଟିପିସି ଆଇଟିଆଇ ସ୍ଥାପନ କରିଛନ୍ତି । ଏହା ବ୍ୟତିତ କଳାହାଣ୍ଡି ଜିଲ୍ଲାର ଧରମଗଡ ଠାରେ ଅନ୍ୟଏକ ସରକାର ଆଇଟିଆଇ ପିଜିସିଆଇଏଲଙ୍କ ସହଯୋଗରେ ସ୍ଥାପନ କରାଯିବ ।

ସଦସ୍ୟ ସୁରେଶ କୁମାର ରାଉତରାୟ ଓ କୁସୁମ ଟେଟେ ଆଇଟିଆଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ କାହିଁକି ସ୍ଥାନୀୟ ଶିଳ୍ପରେ ନିଯୁକ୍ତି ପାଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଶ୍ରୀ ରାଉତରାୟ କହିଥିଲେ ଯେ ଜଟଣୀ ଥିବା ଶିଳ୍ପାନୁଷ୍ଠାନରେ ମହାରାଷ୍ଟ୍ର ଓ ତାମିଲନାଡୁର ପିଲା ଆସି କାମ କରୁଥିବାବେଳେ ଆମ ପିଲାଏ ତାଲିମ ନେଇ ବେକାର ହୋଇ ବୁଲୁଛନ୍ତି ।

ସେହିଭଳି ଶ୍ରୀମତୀ ଟେଟେ କହିଥିଲେ ଯେ ସୁନ୍ଦରଗଡ ଜିଲ୍ଲାର ଖଣି ଓ କାରଖାନାରେ ସବୁ ବାହାର ରାଜ୍ୟର କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ହେଲେ ଆଇଟିଆଇ ତାଲିମ ପ୍ରାପ୍ତ ସ୍ଥାନୀୟ ପିଲା ଦାଦନ ଖଟିବାକୁ ଯାଉଛନ୍ତି । ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ ଆଇଟିଆଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ କିଭଳି ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ପାଇବେ ସେଥିପାଇଁ ଅନ୍ୟ ବିଭାଗଗୁଡିକ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ